ଖୋଲୁଛି ଟୁକୁନା ଗୁମର, ଧଳସାମନ୍ତ ସହିତ ମଧ୍ୟ ଥିଲା ସମ୍ପର୍କ

ଧଳସାମନ୍ତକୁ ବିକିଛି ୨୩ ବନ୍ଧୁକ! ଖାନନଗରରୁ ଜଣେ ଦୁର୍ବୃତ୍ତ ଅଟକ

କଟକ: ଗ୍ୟାଙ୍ଗଷ୍ଟର୍‌ ଧଳସାମନ୍ତ ଭାଇଙ୍କ ଲିଙ୍କ୍‌ରେ ଗତ ଡିସେମ୍ବରରେ ଯେଉଁ ୨୩ ବନ୍ଧୁକ ଓ ଏକ ହଜାର ୧୩୦ ରାଉଣ୍ଡ୍‌ ଗୁଳି ଜବତ ହୋଇଥିଲା, ସେ ସବୁକୁ ବନ୍ଧୁକ କାରଖାନା ମାଲିକ ଟୁକୁନା ସ୍ବାଇଁ ହିଁ ଯୋଗାଇଥିବା ଜଣାପଡ଼ିଛି। ଧଳସାମନ୍ତ ଗ୍ୟାଙ୍ଗ୍‌ ସହ ଟୁକୁନାର ବନ୍ଧୁକ କାରବାରକୁ ନେଇ ଚୌଦ୍ବାର ଥାନା ପୁଲିସର ରିମାଣ୍ଡ୍‌ରେ ଆସିଥିବା ଟୁକୁନା ଜେରା ସମୟରେ ପୁଲିସକୁ ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛି। ଏହି କାରବାରରେ ଏବେ ମଧ୍ୟସ୍ଥି ଓ ସହଯୋଗୀଙ୍କୁ ଖୋଜୁଛି ପୁଲିସ। ଟୁକୁନାର ବୟାନ ଆଧାରରେ ଖାନନଗର ଅଞ୍ଚଳର ଜଣେ ପେସାଦାର ଅପରାଧୀକୁ ମଧୁପାଟଣା ଥାନା ପୁଲିସ ସହାୟତାରେ ଉଠାଇ ନେଇ ଜେରା କରାଯାଉଛି। ସମ୍ପୃକ୍ତ ଦୁର୍ବୃତ୍ତ ନିକଟରୁ ବନ୍ଧୁକ ଓ ଗୁଳି ମିଳିଥିବା ଚର୍ଚ୍ଚା ଉଠୁଥିବା ବେଳେ ସେ ସମ୍ପର୍କରେ କିନ୍ତୁ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଉନାହିଁ।

ସୂଚନା ଅନୁଯାୟୀ, ତାଳଚେର ପାଇକସାହିର କୁଖ୍ୟାତ ବନ୍ଧୁକ କାରଖାନା ମାଲିକ ଟୁକୁନାର ଗ୍ୟାଙ୍ଗଷ୍ଟର୍‌ ହାଇଦର୍, ଟିଟୋ ସମେତ ଧଳସାମନ୍ତ ଗ୍ୟାଙ୍ଗ୍ ସହିତ ବି ସମ୍ପର୍କ ରହିଥିଲା। ଚୌଦ୍ବାରର ବିରୂପା ବ୍ୟାରେଜ ନିକଟରେ ଶେଖବଜାରର ବାବୁଆ ଓରଫ ପ୍ରକାଶ ବେହେରା ବନ୍ଧୁକ କାରବାର କରୁଥିବା ଅଭିଯୋଗରେ ଚୌଦ୍ବାର ଥାନା ପୁଲିସ ୨୦୨୦ ଡିସେମ୍ବରରେ ତାକୁ କାବୁ କରିଥିଲା। ବାବୁଆ ନିକଟରୁ ଦୁଇଟି ୯ ଏମ୍‌ଏମ୍‌ ପିସ୍ତଲ ଓ ୫ ରାଉଣ୍ଡ୍‌ ଗୁଳି ଜବତ ହୋଇଥିଲା। ବାବୁଆର ବୟାନ ଆଧାରରେ ଦେଉଳସାହିର ବୁଦ୍ଧିଆ ଓରଫ ପ୍ରକାଶ ସେଠୀକୁ କାବୁ କରାଯାଇ ଥିଲା। ଏମାନଙ୍କ ବୟାନ ଆଧାରରେ ଚୌଦ୍ବାର ଥାନା ପୁଲିସ ୨୦୨୦ ଡିସେମ୍ବର ୧୦ ଓ ୧୧ ତାରିଖ ଦୁଇ ଦିନ ଧଳସାମନ୍ତ ଭାଇଙ୍କ ସିଡିଏ ସେକ୍ଟର-୬ ଘରେ ଚଢ଼ଉ କରି ୧୬ ବନ୍ଧୁକ, ୧ ହଜାର ୯୫ ରାଉଣ୍ଡ ଗୁଳି, ୨୪ଟି ମାଗାଜିନ୍ ଜବତ କରିଥିଲା। ୧୧ ତାରିଖରେ ବୁଦ୍ଧିଆ ସମେତ ୮ଜଣଙ୍କୁ ପୁଲିସ ଗିରଫ କରିଥିଲା। ପୁନର୍ବାର ୧୫ ତାରିଖରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ପୁଲିସ ବିଭାଗର ଜଣେ ହୋମଗାର୍ଡ ଥିବା ଜଣାପଡ଼ିଥିଲା। ଏମାନଙ୍କ ନିକଟରୁ ୭ଟି ବନ୍ଧୁକ, ୩୫ ରାଉଣ୍ଡ ଗୁଳି ଜବତ ହୋଇଥିଲା।

ତେବେ ଏହି ବନ୍ଧୁକ ଓ ଗୁଳିଗୁଡ଼ିକୁ ବନ୍ଧୁକ କାରଖାନା ମାଲିକ ଟୁକୁନା ଧଳସାମନ୍ତ ଗ୍ୟାଙ୍ଗର ସଦସ୍ୟଙ୍କୁ ବିକ୍ରି କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେହି ଆଧାରରେ ଗତ ଶନିବାର ଠାରୁ ଚୌଦ୍ବାର ଥାନା ପୁଲିସ ଟୁକୁନାକୁ ୫ ଦିନିଆ ରିମାଣ୍ଡରେ ଝାରପଡ଼ା ଜେଲରୁ ଆଣିଛି। ଆସନ୍ତା ଗୁରୁବାର ଟୁକୁନାର ରିମାଣ୍ଡ୍‌ ଅବଧି ଶେଷ ହେବ। ଜଗତସିଂହପୁର ଲିଙ୍କ୍‌ରେ କମିସନରେଟ୍ ପୁଲିସ ୯ ଜଣଙ୍କୁ ୫ଟି ପିସ୍ତଲ ଓ ୩୩ ରାଉଣ୍ଡ ଗୁଳି ସହିତ ଗିରଫ କରିଥିବାବେଳେ ଚଳିତବର୍ଷ ମଧ୍ୟ ଜଗତସିଂହପୁରରୁ ପ୍ରାୟ ୧୦ରୁ ଅଧିକ ଦୁର୍ବୃତ୍ତଙ୍କୁ ବନ୍ଧୁକ ଓ ଗୁଳି ସହିତ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଛି। ଟୁକୁନା ଅଧିକ ସଂଖ୍ୟାରେ ବନ୍ଧୁକ ଓ ଗୁଳି ଜଗତସିଂହପୁର ଓ କଟକର ଅପରାଧୀଙ୍କୁ ବିକ୍ରି କରିଥିବା କୁହାଯାଉଛି। ତେବେ ଖୁବ ଶୀଘ୍ର ଚୌଦ୍ବାର ଥାନା ପୁଲିସ ଟୁକୁନାର ବନ୍ଧୁକ କାରବାର ସଂକ୍ରାନ୍ତରେ ପର୍ଦ୍ଦାଫାସ କରିବାକୁ ଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର