ଜୟପୁର : ବାଇପାସ ରୋଡ ବସ୍ତି ଉଚ୍ଛେଦକୁ ବିରୋଧ, ଥଇଥାନ ଦାବି କଲେ ୫୪ ପରିବାର

ଜୟପୁର : ଜଗନ୍ନାଥ ସାଗର ପୁନଃରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡି ଥିବାବେଳେ ଏଥିରେ କଣ୍ଟା ସାଜିଛି ଚାରିପଟେ ଆଶାତୀତ ଭାବେ ବୃଦ୍ଧି ପାଇଥିବା ବସ୍ତି ଓ ଏହାର ଉଚ୍ଛେଦ। ବାଇପାସ ରୋଡ ନିକଟ ବସ୍ତିରେ ଦୀର୍ଘବର୍ଷ ହେବ ୫୪ ପରିବାର ରହି ଆସୁଥିବାବେଳେ ଏହାକୁ ଉଚ୍ଛେଦ କରିବାକୁ ଜୟପୁର ତହସିଲ ପକ୍ଷରୁ ଏକ ମାସ ମଧ୍ୟରେ ଖାଲି କରିବାକୁ ନୋଟିସ ଦିଆଯାଇଛି। ଏହାକୁ ବିରୋଧ କରି ଆଜି ଉପଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଭେଟିଛନ୍ତି ଜୟପୁର ବସ୍ତିବାସିନ୍ଦା ସଂଘ। ସଂଘର ଆବାହକ ଯୁଧିଷ୍ଠିର ରାଉଳଙ୍କ ସହ ୫୪ ପରିବାର ଆଜି ଉପଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଥିବା ଜଣାପଡିଛି।

ତେବେ ଜୟପୁର ତହସିଲ ଅଧୀନସ୍ଥ ଜଗଦାତ୍ରୀପୁର ମୌଜା ଖାତା ନମ୍ବର ୧୪୫୮ ଓ ୧୪୦୪ରେ ଏହି ପରିବାର ରହି ଆସୁଛନ୍ତି। ଏହି ପ୍ଲଟ ଦୁଇଟି ଜଗନ୍ନାଥ ସାଗରରେ ଯାଉଥିବାରୁ ଏହିଠାରେ ଜବରଦଖଲ ଉଚ୍ଛେଦ କରାଯିବାକୁ ତହସିଲଦାର ଅଶ୍ବିନୀ ମହାପାତ୍ର ମଙ୍ଗ ଭିଡିଛନ୍ତି। ଏକମାସ ମଧ୍ୟରେ ସରକାରୀ ଜାଗାକୁ ଛାଡିବାକୁ ନୋଟିସ ଜାରି କରାଯାଇଥିବାବେଳେ ଏହାକୁ ବିରୋଧ କରିଛି ସଂଘ। ଏହାସହ ଦାବି କରାଯାଇଛି ଯେ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଉଷା ସର୍ଭେ କରି ଟୋକେନ ପ୍ରଦାନ କରିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଏହି ବସ୍ତିବାସିନ୍ଦାଙ୍କୁ ପଟ୍ଟା ମିଳିବାକୁ ରହିଥିବାବେଳେ ଜଗନ୍ନାଥ ସାଗର ମାମଲା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ବିଚାରଧୀନ ରହିଥିବାରୁ ଏଥିରେ କେଁ ପଶିଥିଲା। ସହର ସରା ପ୍ରାୟ ୧୦ଟି ବସ୍ତି ରହିଥିବାବେଳେ ସବୁ ବସ୍ତିବାସିନ୍ଦାଙ୍କୁ ପଟ୍ଟା ମିଳି ସାରିଥିବାବେଳେ ଏହି ପରିବାରଙ୍କୁ ପଟ୍ଟା ଦିଆଯାଇ ନ ଥିବା ଜଣାପଡିଛି।

କୋଭିଡ୍-୧୯ ପରିସ୍ଥିତିରେ ଏହି ଗରିବ ଗୁରୁବାଙ୍କୁ ଘର ଛାଡି ଚାଲିଯିବାକୁ କୁହାଯାଉଛି। ଲୋକେ ଏବେ କାମଦାମ ଛାଡି ଘରେ ବସିଥିବାବେଳେ ଏହି ୫୪ ପରିବାରଙ୍କୁ ଅନ୍ୟତ୍ର ଥଇଥାନ କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏଥିରେ ସିପିଆଇର ରାଜ୍ୟ ପରିଷଦ ସଭ୍ୟ ପ୍ରମୋଦ କୁମାର ମହାନ୍ତି, ଜିଲ୍ଲା ସହସମ୍ପାଦକ ରାମକୃଷ୍ଣ ଦାସ, କୃଷକ ନେତା ନିତ୍ୟାନନ୍ଦ ପାତ୍ର ଓ ଶ୍ରମିକ ନେତା ସୁଦର୍ଶନ ବିଷୋୟୀ ପ୍ରମୁଖଙ୍କ ସହ ୫୪ଟି ପରିବାରବର୍ଗ ରହିଥିଲେ।

ସମ୍ବନ୍ଧିତ ଖବର