ଓଡ଼ିଆ ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ ପ୍ରତ୍ୟାହାର କରାଯାଉ:ଏବିଭିପି

ଭୁବ‌ନେଶ୍ବର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୪୫ତମ ରାଜ୍ୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ୩୦ଟି ଜିଲ୍ଲାର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ରାଜ୍ୟର ଶିକ୍ଷା ଓ ସାମାଜିକ ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ସହମତି ଅନୁଯାଇ ଦୁଇଟି ପ୍ରସ୍ତାବ ପାରିତ ହୋଇଛି। ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱତନ୍ତ୍ରତା କ୍ଷୁଣ୍ଣ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଆଣିଛନ୍ତି। ତୁରନ୍ତ ଏପରି ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଉ। ରାଜ୍ୟର ବିଏଡ୍‌ ମହାବିଦ୍ୟାଳୟଗୁଡ଼ିକ ବନ୍ଦ କରି ରାଜ୍ୟ ସରକାର ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ପରୋକ୍ଷରେ ଅନ୍ୟ ରାଜ୍ୟମୁଖୀ କରିବା ଅତ୍ୟନ୍ତ ନିନ୍ଦନୀୟ। ତେଣୁ ରାଜ୍ୟ ସରକାର ଶୈକ୍ଷିକ ଶିକ୍ଷା ପ୍ରତି ଦୃଷ୍ଟି ଦେଇ ରାଜ୍ୟର ସମସ୍ତ ବିଏଡ୍ ମହାବିଦ୍ୟାଳୟଗୁଡ଼ିକ ପୁନର୍ବାର ଖୋଲିବାକୁ ସଙ୍ଗଠନ ଦାବି କରିଛି।

ସେହିପରି ଓଡ଼ିଶାର ପିଲାମାନଙ୍କୁ ଚାକିରି ନଦେଇ ବାହାର ରାଜ୍ୟର ପିଲାଙ୍କୁ ନିଯୁକ୍ତି ଦେବାକୁ ଏବିଭିପି ନିନ୍ଦା କରିଛି। ଶିମିଳିପାଳ ଜୈବ ସମ୍ବଳର ସୁରକ୍ଷା ଏବଂ କୋଟିଆ ଭଳି ପ୍ରସଙ୍ଗ ରାଜ୍ୟର ସୀମା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ସୀମା ସୁରକ୍ଷା କରିବା ସହ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ ଦିଗରେ ପଦକ୍ଷେପ ନେବାକୁ ଅଧିବେଶନରେ ପ୍ରସ୍ତାବ ପାରିତ ହୋଇଛି। ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ତତ୍ପରତା ଦେଖାଇ ରୋଜଗାର ସୃଷ୍ଟି କରନ୍ତୁ ବୋଲି ଖାରବେଳ ନଗରସ୍ଥିତି ଏବିଭିପି କାର୍ଯ୍ୟକ୍ରମରେ ଆୟାଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ସହ ସମ୍ପା‌ଦକ ସୁଧାଂଶୁ ସାହୁ, ଭୁବନେଶ୍ୱର ମହାନଗର ସହ ସମ୍ପାଦକ ଅଭ‌ି‌ଷେକ ପାଣି କହିଛନ୍ତି।

ସମ୍ବନ୍ଧିତ ଖବର