ଦିଲ୍ଲୀ ଅନ୍ତର୍ଜାତୀୟ ସରସ ମେଳାରେ ଓରମାସ ଷ୍ଟଲ୍

ଭୁବନେଶ୍ୱର : ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଥିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର (ଆଇଆଇଟିଏଫ୍) ସରସ ମେଳା-୨୦୨୧ରେ ଓଡ଼ିଶାର ଓରମାସ ତରଫରୁ ପାଞ୍ଚଟି ଷ୍ଟଲ୍ ଖୋଲାଯାଇଛି । ଗଞ୍ଜାମ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀ ସଦସ୍ୟମାନଙ୍କ ଦ୍ୱାରା ପରିଚାଳିତ ଏହି ଷ୍ଟଲରେ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ, ହସ୍ତଶିଳ୍ପ, ଆଚାର, ବଡ଼ି, ପାମ୍ପଡ଼, ଘରକରଣା ସାମଗ୍ରୀ ସହ ସାଜସଜ୍ଜା ଜିନିଷ ସବୁ ବିକ୍ରି କରାଯାଉଛି। ଏ.ବି.ସି-୭ ହଲ୍‌ର ୮,୯ ୧୦, ୯୦ ଓ ୨୧ ନମ୍ବର ଷ୍ଟଲରେ ଓଡ଼ିଶା ସାମଗ୍ରୀ ବିକ୍ରି କରାଯାଉଛି ।

ଯାଜପୁର ଜିଲ୍ଲା ଷ୍ଟଲରେ ଟସର ଶାଢ଼ୀ, ଷ୍ଟଲ୍, ଜ୍ୟାକେଟ, ସଲ୍ ଆଦି ବିକ୍ରି ହେଉଥିବା ବେଳେ, ବାଲେଶ୍ୱର ଷ୍ଟଲରେ ଉଲ୍, କପଡ଼ା ଆଦିରୁ ପ୍ରସ୍ତୁତ ଡେକୋରେଟିଭ ସାମଗ୍ରୀ ସହ ଲାଖରୁ ତିଆରି ଜିନିଷ ମଧ୍ୟ ବିକ୍ରି କରାଯାଉଛି । ସେହିପରି ଗଞ୍ଜାମ ଜିଲ୍ଲା ଷ୍ଟଲରେ ବ୍ରହ୍ମପୁରର ପ୍ରସିଦ୍ଧ ଆଚାର, ପାମ୍ପଡ଼, ବଡ଼ି ସହ ପାଟି ସୁଆଦିଆ ଚଟପଟି ସ୍ନାକ୍ସ ଆଦି ବିକ୍ରି କରାଯାଉଛି । ସେହିପରି ମୟୂରଭଞ୍ଜ ଷ୍ଟଲରେ ସବାଇ ଘାସରୁ ତିଆରି ଘରକରଣା ସମାଗ୍ରୀ ସହ ବିଭିନ୍ନ ଆକର୍ଷଣୀୟ ଜିନିଷ ସବୁ ବିକ୍ରି କରାଯାଉଛି। ଜି.ଆଇ ଟ୍ୟାଗ୍ ମାନ୍ୟତାପ୍ରାପ୍ତ କନ୍ଧମାଳର ପ୍ରସିଦ୍ଧ ହଳଦୀ ଗୁଣ୍ଡ ଓ ଗୋଟା ହଳଦୀର ମଧ୍ୟ ଭଲ ବିକ୍ରି ହେଉଛି। ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ଏହି ମେଳା ୨୭ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର