ଚର୍ଚ୍ଚା ବଢ଼ାଇଲା ପାଣ୍ଡିଆନଙ୍କ ରଣନୀତି: ପ୍ରମୋଦ ମିଶ୍ରଙ୍କୁ ପ୍ରଶଂସା, ଧର୍ମେନ୍ଦ୍ରଙ୍କୁ ତେର୍‌ଚ୍ଛା ବାଣ

ଛାତ୍ରଛାତ୍ରୀଙ୍କୁ ୬ ସୂତ୍ରୀ ସଫଳତାର ମନ୍ତ୍ର ଦେଲେ, ଜର୍ମାନୀରେ ଓଡ଼ିଆ ବୈଜ୍ଞାନିକ କିସାନଙ୍କ ନାଁ ନେଲେ

ସମ୍ବଲପୁର: ନାଁ ନ ନେଇ ମଞ୍ଚ ଉପରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲକ୍ଷ୍ୟ ରଖି କଠୋର ଭାଷାରେ ସମାଲୋଚନ କରିଛନ୍ତି ୫ଟି-ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ କିନ୍ତୁ ପ୍ରଶଂସାରେ ପୋତିଛନ୍ତି। ସମ୍ବଲପୁର ଜିଲ୍ଲାରେ ଶ୍ରୀ ପାଣ୍ଡିଆନଙ୍କ ଏଭଳି ଗୋଟିଚାଳନା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ସମ୍ବଲପୁର ମନ୍ଦଲିଆଠାରେ ନୂଆ-ଓ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ସଫଳତାର ୬ ସୂତ୍ରୀ ଫର୍ମୁଲା ବତାଇବା ଛଳରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ନାମ ନେଇଥିଲେ। ସେପଟେ କୁଚିଣ୍ଡା ଓ ରେଢ଼ାଖୋଲ ସଭାରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ।

‘ନୂଆ- ଓ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ, କଠିନ ପରିଶ୍ରମର କିଛି ବିକଳ୍ପ ନାହିଁ। ସମ୍ବଲପୁର ମାଟିର ସନ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ଓ ଜର୍ମାନୀରେ ବୈଜ୍ଞାନିକ ଥିବା ଶେଷ କିସାନଙ୍କ ଗୋଟିଏ ଗୋଟିଏ ଉଦାହରଣ। ସମ୍ବଲପୁର ଗଙ୍ଗାଧର ମେହେର କଲେଜରୁ ଯାଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହୋଇଛନ୍ତି ଶ୍ରୀ ମିଶ୍ର। ସରକାରୀ କଲେଜରେ ପାଠ ପଢ଼ି ସେ ସଫଳତାର ଏହି ଶୀର୍ଷସ୍ଥାନକୁ ଯାଇଛନ୍ତି। କଠିନ ପରିଶ୍ରମ ଓ ଅଧ୍ୟବସାୟ ହିଁ ଏହା ପଛର ମୂଳ ସୂତ୍ର। ଶୀର୍ଷରେ ପହଞ୍ଚି ମଧ୍ୟ ଶ୍ରୀ ମିଶ୍ର କେବେ ପରିଶ୍ରମ ବନ୍ଦ କରିନାହାନ୍ତି। କିଛି ଦିନ ତଳେ ସେ ନିଜେ ପ୍ରମୋଦ ମିଶ୍ରଙ୍କୁ ରବିବାର ଫୋନ୍ କରିଥିଲେ। ସେଦିନ ଛୁଟିଦିନ ଥିବାରୁ ଆରମ୍ଭରୁ କ୍ଷମା ମାଗି ନେଇଥିଲେ। ହେଲେ ଶ୍ରୀ ମିଶ୍ର କହିଥିଲେ, ସେ ଅଫିସରେ ଅଛନ୍ତି। ସଫଳତାର ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ରବିବାର ମଧ୍ୟ ଅଫିସ କାମ କରୁଛନ୍ତି। ଶ୍ରୀ ପାଣ୍ଡିଆନ କହିଥିଲେ, ସେ ଆଇଏଏସ୍‌ ଟ୍ରେନିଂ ନେବାବେଳେ ପ୍ରମୋଦ ମିଶ୍ର କେନ୍ଦ୍ର କୃଷି ସଚିବ ଥିଲେ ଏବଂ ଟ୍ରେନିଂ କ୍ଲାସ ନେଉଥିଲେ । କୃଷି ସମ୍ପର୍କରେ ଯେଉଁଭଳି ବକ୍ତବ୍ୟ ରଖିଥିଲେ ଲାଗୁଥିଲା ସେ କୃଷିପାଠ ପଢ଼ିଛନ୍ତି। ବିପର୍ଯ୍ୟୟ ପରିଚାଳନା ବୈଠକରେ ତାଙ୍କ ବକ୍ତବ୍ୟ ଶୁଣି ଲାଗିଥିଲା ସେ ବିପର୍ଯ୍ୟୟ ପରିଚାଳନା ପାଠ ପଢ଼ିଛନ୍ତି।

ଛାତ୍ରଛାତ୍ରୀଙ୍କୁ ୬ ସୂତ୍ରୀ ସଫଳତାର ମନ୍ତ୍ର ଦେଲେ
ଜର୍ମାନୀରେ ଓଡ଼ିଆ ବୈଜ୍ଞାନିକ କିସାନଙ୍କ ନାଁ ନେଲେ
କଟକ-ସମ୍ବଲପୁର ଜାତୀୟ ରାଜପଥ ପ୍ରସଙ୍ଗରେ ଝାଡ଼ିଲେ ଅସନ୍ତୋଷ

ଶେଷ କିସାନଙ୍କ ସଂପର୍କରେ ମଧ୍ୟ କହିଥିଲେ ଶ୍ରୀ ପାଣ୍ଡିଆନ। ପିଲାବେଳୁ ବାପା ମାଆ ଛେଉଣ୍ଡ ଥିବା ଶେଷ କିସାନ ଗାଁ ସ୍କୁଲରେ ହିଁ ପାଠ ପଢ଼ିଥିଲେ। ପେଟ ପୋଷିବା ପାଇଁ କାମ କରୁଥିଲେ। କଠିନ ପରିଶ୍ରମ ଓ ପ୍ରବଳ ଇଚ୍ଛାଶକ୍ତି କାରଣରୁ ସେ ଭୁବନେଶ୍ବରରେ ନାଇଜରରେ ପାଠ ପଢ଼ିଲ ଓ ସ୍ବର୍ଣ୍ଣପଦକ ହାସଲ କଲେ। ପରବର୍ତ୍ତୀ ସମୟରେ ଜର୍ମାନୀରେ ବୈଜ୍ଞାନିକ ଅଛନ୍ତି। ଓଡ଼ିଶାରେ ଫାର୍ମା କଂପାନି ଖୋଲି ସେ ବହୁ ଲୋକଙ୍କୁ ନିଯୁକ୍ତି ଦେବା କିସାନଙ୍କ ଇଚ୍ଛା ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସୋସିଆଲ ମିଡ଼ିଆରେ ଅଧିକ ସମୟ ଦେଲେ ପାଠ ପଢ଼ିବାର ଦକ୍ଷତା କମିବ ବୋଲି ସେ ସତର୍କ କରାଇ ଦେଇଥିଲେ।

ଅନ୍ୟପଟରେ କୁଚିଣ୍ଡା ଓ ରେଢ଼ାଖୋଲ ସଭାରେ ନାଁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ଶ୍ରୀ ପାଣ୍ଡିଆନ। କହିଥିଲେ, ୧୦ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ଶେଷ ହେଉନି। ନିର୍ବାଚନ ଆସିଲେ କିଛି ନେତା ବଡ଼ ବଡ଼ ଭାଷଣ ମାରୁଛନ୍ତି। ହେଲେ ଜାତୀୟ ରାଜପଥ କାମ ସରୁନାହିଁ। ଏହି କାମ ଆରମ୍ଭ ହେବାର ବହୁ ପୂର୍ବରୁ ବରଗ଼ଡ଼ରୁ ଆମ୍ବପାଣୀ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ୍‌ ୱେ କାମ ଆରମ୍ଭ ହୋଇ କେବେଠୁ ଶେଷ ହେଲାଣି। ଶ୍ରୀ ପାଣ୍ଡିଆନ ତାଙ୍କର ଏହି ଗସ୍ତ ପରିପ୍ରେକ୍ଷୀରେ ସକାଳେ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ଦର୍ଶନ କରିବା ସହିତ ଆସନ୍ତା ୨୭ ତାରିଖ ଦିନ ଲୋକାର୍ପଣ ହେବାକୁଥିବା ୨୯୨ କୋଟି ଟଙ୍କାର ସମଲେଇ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ। କୁଚିଣ୍ଡାରେ ୨୧୦ କୋଟି ଟଙ୍କା ବ୍ୟୟରେ ଭେଡ଼େନ ନଦୀର ବୁଢ଼ାରଜା, କିରାଶାସନ, ସଇଡ଼ା ଓ ‌ଗୋଛରା ଠାରେ ନିର୍ମାଣାଧୀନ ବ୍ୟାରେଜର ସମୀକ୍ଷା କରିଥିଲେ।‌ ୧୩.୫୮ କୋଟି ଟଙ୍କା ବ୍ୟୟରେ ରେଢ଼ାଖୋଲ ଜଗନ୍ନାଥ ମନ୍ଦିର, ପଞ୍ଚଖଣ୍ଡା ମନ୍ଦିରର ଉନ୍ନୟନ କାର୍ଯ୍ୟ, କନ୍ଧରା ଠାରେ ଥିବା ଭୀମଭୋଇଙ୍କ ସ୍ମୃତିପୀଠ ଓ ମଧୁପୁରଠାରେ ପ୍ରାପ୍ତିପୀଠର ପୁନରୁଦ୍ଧାର କାର୍ଯ୍ୟ ଏବଂ ସମ୍ବଲପୁର ଜିଲ୍ଲାରେ ୭ ବ୍ଲକରେ ୮୦୨ କୋଟି ଟଙ୍କା ଚାଲିଥିବା ମେଗା ଜଳସେଚନ ପ୍ରକଳ୍ପ ଓ ୧୩୧ କୋଟି ବ୍ୟୟରେ ହେବାକୁ ୧୬ଟି ରାସ୍ତା ଓ ୯୦ କୋଟି ବ୍ୟୟରେ ଚାଲିଥିବା ୯୦ କୋଟି ଟଙ୍କାର ନିର୍ମାଣ ସମୀକ୍ଷା କରିଥିଲେ ।

ସମ୍ବନ୍ଧିତ ଖବର