ପାନପୋଷ ମାର୍କେଟ କମ୍ପ୍ଲେକ୍ସ: ଆବଣ୍ଟନ ପରେ ଖୋଲିବାକୁ ଦିଆଯାଉନି!

ଚିନ୍ତାରେ ୧୫୦ରୁ ଅଧିକ ବ୍ୟବସାୟୀ, ମୋଟ ରହିଛି ୨୦୬ ଦୋକାନ

ରାଉରକେଲା: ଦୋକାନ ଆବଣ୍ଟନ ସରିଲା। ବ୍ୟବସାୟୀଙ୍କୁ ଚାବିକାଠି ଦିଆଗଲା। ହେଲେ ଆଜି ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଦିଆଯାଉନି। ଦୋକାନ ପାଇଥିବା ବ୍ୟବସାୟୀମାନେ ଥରେ କି ଦୁଇ ଥର ନୁହେଁ ଅନେକବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏଯାଏଁ ଆର୍‌ଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଦୋକାନ ପାଇଥିବା ପ୍ରାୟ ୧୫୦ ବ୍ୟବସାୟୀ ଚିନ୍ତା‌ରେ ପଡ଼ିଛି। ୪ ବର୍ଷ ଅପେକ୍ଷା କରିବା ପରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲା। ବହୁ ବାଦବିବାଦ ମଧ୍ୟରେ ଆର୍‌ଏମ୍‌ସି ପକ୍ଷରୁ ଲଟେରି ଜରିଆରେ ବ୍ୟବସାୟୀମାନଙ୍କୁ ଦୋକାନ ଆବଣ୍ଟନ କରାଗଲା। ଏବେ ଅସ୍ଥାୟୀରୁ ସ୍ଥାୟୀ ଦୋକାନକୁ ଆସିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବ୍ୟବସାୟୀଙ୍କ ବାଟ ଉଗାଳୁଛି ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀ।

କେବଳ ଏତିକି ନୁହେଁ ଅବଶିଷ୍ଟ ପ୍ରାୟ ୫୬ ବ୍ୟବସାୟୀଙ୍କୁ କେବେ ନିଲାମ ଜରିଆରେ ଦୋକାନ ଦିଆଯିବ, ସେ ନେଇ ଅଦ୍ୟାବଧି ଆର୍‌ଏମ୍‌ସି ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନି। ଫଳରେ ଦୋକାନ ପାଇନଥିବା ଏସବୁ ଅସ୍ଥାୟୀ ଦୋକାନୀ ଆର୍‌ଏମ୍‌ସିର ଅବହେଳାକୁ ଦାୟୀ କରିଛନ୍ତି। ଏସଂକ୍ରାନ୍ତରେ ଆର୍‌ଏମ୍‌ସି ଉପାୟୁକ୍ତ ଗୌରମବୟ ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ, ସେ କଲ୍‌ ରିସିଭ୍‌ କରିନଥିଲେ। ରାଉରକେଲା ପ୍ରବେଶପଥ ପାନପୋଷ ଛକରେ ୫୩.୫୩ କୋଟି ଟଙ୍କା ଖର୍ଚ୍ଚରେ ପାନପୋଷଠାରେ ମାର୍କେଟ କମ୍ପ୍ଲେକ୍ସ ତିଆରି ହୋଇଛି। ପ୍ରାୟ ୨୦୬ରୁ ଅଧିକ ଦୋକାନ ଗୃହ ରହିଛି।

ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାର ଠିକ୍ ପୂର୍ବରୁ ରଙ୍ଗ ଦେଇ ତା’କୁ ଚକାଚକ୍‌ କରି ଦିଆଯାଇଥିଲା। ‌ମୁଖ୍ୟମନ୍ତ୍ରୀ ଲୋକର୍ପିତ କରିବା ପରେ ମାର୍କେଟ କମ୍ପ୍ଲେକ୍ସର ମୁଖ୍ୟ ଗେଟ୍‌ରେ ତାଲା ଝୁଲୁଛି। ଏହି ବହୁ ପ୍ରତୀକ୍ଷିତ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ୨୦୧୯ ଡିସେମ୍ବର ୧୦ରେ ଆରମ୍ଭ ହୋଇଥିଲା। ଗତ ୨୦୨୨ ଏପ୍ରିଲ ୨୩ ତାରିଖ ସୁଦ୍ଧା ସରିବାର ଥିଲା। ତେବେ ତା’ର ବର୍ଷକ ବିଳମ୍ବରେ ମଧ୍ୟ କାମ ନସାରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହାକୁ ତରବରିଆ ଭାବେ ଉଦ୍‌ଘାଟନ କରା ଯାଇଥିଲା। ଏଠାରୁ ବିସ୍ଥାପିତ ଦୋକାନୀମାନେ ୪ ବର୍ଷ ପାନପୋଷ ସରକାରୀ କଲେଜ ପାର୍ଶ୍ବ ଅସ୍ଥାୟୀ ଦୋକାନରେ ଖରାବର୍ଷାରେ ପଡିଛନ୍ତି। ପାନପୋଷ ପ୍ରମୁଖ ଛକ ଠାରୁ ଦୂରରେ ବ୍ୟବସାୟୀଙ୍କୁ ଅସ୍ଥାୟୀ ଦୋକାନ କରି ଥଇଥାନ କରାଯାଇଛି। ଗ୍ରାହକମାନେ ଯାଉ ନଥିବାରୁ ବ୍ୟବସାୟୀମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି। କେବେ ଦୋକାନୀମାନଙ୍କୁ ଏଠାରୁ ନୂଆ ମାର୍କେଟକୁ ସ୍ଥାନାନ୍ତର କରାଯିବ, ତା’ର ଉତ୍ତର ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ।

ସମ୍ବନ୍ଧିତ ଖବର