ପୁଅର ବୃକକ୍ ଚିକିତ୍ସା କରି କରି ମା ବାପା ସର୍ବସ୍ୱାନ୍ତ: ସରକାରୀ ସହାୟତାକୁ ଅପେକ୍ଷା

ଲଖନପୁର: ଲଖନପୁର ବ୍ଲକର ସଦର ପଞ୍ଚାୟତ ଭଇଁସାମୁଣ୍ଡା ଗାଁର ଆଦିବାସୀ ସମ୍ପ୍ରଦାୟର ଗରିବ ଦମ୍ପତି ଟାଳେଶ୍ୱର ଭୋଇ ଓ ଲକ୍ଷ୍ମୀପ୍ରିୟା ଭୋଇ। ଜମିବାଡ଼ି କିଛି ନାହିଁ। ପତିପତ୍ନୀ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାନ୍ତି। ସେମାନଙ୍କ ଦୁଇ ପୁଅ। ବଡ଼ ପୁଅ ସଞ୍ଜୟକୁ ୧୪ ବର୍ଷ ଓ ସାନ ପୁଅ ସୁଶାକାନ୍ତକୁ ୧୨ ବର୍ଷ। ଉଭୟେ ଲଖନପୁର ପଞ୍ଚାୟତ ହାଇସ୍କୁଲ ଛାତ୍ର। ୨୦୧୫ ପର୍ଯ୍ୟନ୍ତ ସବୁ ପରିସ୍ଥିତି ଠିକ ଥିଲା। ହେଲେ ସାନ ପୁଅ ସୁଶାକାନ୍ତକୁ ୫ ବର୍ଷ ହେଲା ପରେ ହଠାତ ତାର ଆଖି, ଦେହ ଓ ଗୋଡ଼ ହାତ ଫୁଲିବାକୁ ଲାଗିଲା।

ଏହା ଦେଖି ମା’ ବାପା ବିବ୍ରତ ହୋଇ ପୁଅ ସୁଶାକାନ୍ତକୁ ୨୦୧୫ ମେ ୧୮ ତାରିଖରେ ବୁର୍ଲା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କଲେ। ସେଠି ଡାକ୍ତରମାନେ ସୁଶାକାନ୍ତର ବିଭିନ୍ନ ପରୀକ୍ଷା କଲା ପରେ ତାକୁ ନେଫ୍ରୋଟିକ ସିଣ୍ଡ୍ରୋମ ନାମକ ଏକ ରୋଗ ହୋଇଥିବା ଜାଣିବାକୁ ପାଇଥିଲେ। ଏହି ରୋଗ ଯୋଗୁଁ ସୁଶାକାନ୍ତର ଦୁଇଟି ଯାକ ବୃକକ୍ ଫୁଲି ଯାଇଥିବାରୁ ତିନି ମାସ ପାଇଁ ବିଭିନ୍ନ ଔଷଧ ଦେଇଥିଲେ। ଏହି ଔଷଧ ବ୍ୟବହାର ପରେ ସୁଶାକାନ୍ତର ଶାରୀରିକ ସ୍ଥିତି ବର୍ଷକ ପାଇଁ ଠିକ ଥିଲା।

ତେବେ ପୁଣି ବର୍ଷେ ପରେ ସୁଶାକାନ୍ତର ଆଖି, ଦେହ ଓ ଗୋଡ଼ ହାତ ଫୁଲିବାରୁ ପୁଅକୁ ତିନି ବର୍ଷ ଧରି ଲଖନପୁର ସ୍ୱାସ୍ଥ୍ୟ କେନ୍ଦ୍ରର ତତ୍କାଳୀନ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଦେଖାଇ ତାଙ୍କ ପରାମର୍ଶ କ୍ରମେ ପ୍ରତି ମାସରେ ଔଷଧ କିଣି ମା ବାପା ପୁଅର ଚିକିତ୍ସା କରିଥିଲେ। ଆର୍ଥିକ ଅବସ୍ଥା ମଧ୍ୟରେ ରୋଗୀଣା ପୁଅର ଚିକିତ୍ସା କରି କରି ୫ ବର୍ଷ ଧରି ଲଖନପୁର ଓ ବୁର୍ଲା ଭିତରେ ଘାଣ୍ଟି ହୋଇ ମା ବାପା ନୟାନ୍ତ ହେବା ପରେ ମଧ୍ୟ ପୁଅ ସୁଶାକାନ୍ତର ଶାରୀରିକ ସ୍ଥିତିରେ ବିଶେଷ ଉନ୍ନତି ନ ହେବାରୁ ଶେଷରେ ବାଧ୍ୟ ହୋଇ ଭୁବନେଶ୍ୱର ସମ ହସ୍ପିଟାଲରେ ୨୦୨୨ ମସିହା ଜାନୁଆରି ୧୭ ତାରିଖରେ ଭର୍ତ୍ତି କରିଥିଲେ।

ଗତ ଫେବ୍ରୁଆରି ୧ ତାରିଖରେ ଥରେ ଓ ମାର୍ଚ୍ଚ ମାସ ୮ ତାରିଖରେ ଥରେ ଭୁବନେଶ୍ୱର ସମ ହସ୍ପିଟାଲରେ ପୁଅକୁ ଭର୍ତ୍ତି କରି ଚିକିତ୍ସା କରଥିଲେ। ତେବେ ଠିକାର ଡାକ୍ତରଙ୍କ ଔଷଧ ଖାଇବାରୁ ବର୍ତ୍ତମାନ ରୋଗୀଣା ପୁଅ ସୁଶାକାନ୍ତର ଶାରୀରିକ ସ୍ଥିତି ସ୍ଥିର ଥିବା ମା ବାପା କହିଛନ୍ତି। ହେଲେ ପୁଅର ଔଷଧ ପାଇଁ ମାସକୁ ୫ ହଜାର ଟଙ୍କା ଆବଶ୍ୟକ ପଡ଼ୁଥିବା ଏବଂ ଚିକିତ୍ସା ପାଇଁ ନେବା ଆଣିବାରେ ମଧ୍ୟ ଅନ୍ୟାନ୍ୟ ଖର୍ଚ୍ଚ ହେଉଛି। ଗତ ୭ ବର୍ଷରେ ପୁଅର ଚିକିତ୍ସା ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ପାଇ ନଥିବା ମା’ ଲକ୍ଷ୍ମୀପ୍ରିୟା କହିଛନ୍ତି।

ପୁଅ ଏବେ ଷଷ୍ଠ ଶ୍ରେଣୀରେ ପଢ଼ୁଛି, ପ୍ରତିଦିନ ଔଷଧ ନ ଖାଇଲେ ସ୍ୱାସ୍ଥ୍ୟ ବିଗିଡ଼ିବ ଏବଂ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। ରୋଗୀଣା ପୁଅର ଚିକିତ୍ସା ପାଇଁ ଆମେ ସର୍ବସ୍ୱାନ୍ତ। ଆଗକୁ ସରକାରୀ ସହାୟତା ବିନା ପୁଅର ଚିକିତ୍ସା ଆମ ପାଇଁ ଅସମ୍ଭବ ବୋଲି କୋହଭରା ଆଖିରେ ମା ଲକ୍ଷ୍ମୀପ୍ରିୟା କହିଛନ୍ତି। ପୁଅ ସୁଶାକାନ୍ତର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ମା’ ବାପା ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର