ପାରଳା ବିଧାନସଭା ଆସନ: ବିଜେଡିରେ ଟିକଟ ଆଶାୟୀଙ୍କ ତାଲିକା ଲମ୍ବା, ସଂଗଠନ ପାଇଁ ବଡ଼ ଚ୍ୟାଲେଞ୍ଜ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ୨୦୨୪ ନିର୍ବାଚନ ପାଇଁ ଚର୍ଚ୍ଚା ଜୋର୍‌ ଧରିବାର କାରଣ ହେଲା, ଜିଲ୍ଲାରେ ତିନି ବର୍ଷରୁ ଊର୍ଦ୍ଧ୍ବ ଚାକିରି କରିଥିବା ସରକାରୀ କର୍ମଚାରୀଙ୍କ ତାଲିକା ରାଜ୍ୟ ସରକାର ମାଗିଥିବା ନେଇ ଏକ ନିର୍ଦ୍ଦେଶନାମା କପି ସୋସିଆଲ୍‌ ମିଡ଼ିଆରେ ଘୂରି ବୁଲୁଛି। ଏଥିରୁ ରାଜ୍ୟ ସରକାର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଏକ ଅନୁମାନ ଆରମ୍ଭ ହୋଇଗଲାଣି। ତାପରେ ଜିଲ୍ଲାର ଇଭିଏମ୍‌ ଗୁଡ଼ିକର ପରୀକ୍ଷା ଓ ମରାମତି ଏବଂ ଷ୍ଟ୍ରଙ୍ଗରୁମକୁ ତଦାରଖ ଆରମ୍ଭ ହୋଇଥିବାରୁ ନିର୍ବାଚନ ପାଖେଇ ଆସୁଥିବା ଚର୍ଚ୍ଚା ଚାଲିଛି। ଏ ପରିପ୍ରେକ୍ଷୀରେ ଜିଲ୍ଲାର ୩ଟି ପ୍ରମୁଖ ରାଜନୈତିକ ଦଳ ଶିବିର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। ବିଜୁ ଜନତା ଦଳରୁ କିଏ ପ୍ରାର୍ଥୀ ହେବ ସେ ନେଇ ସବୁ ମହଲରେ ଉତ୍କଣ୍ଠା ‌ବେଶି। ବିଶେଷ କରି ପାରଳାଖେମୁଣ୍ଡି ବିଧାନସଭା ଆସନର ସମୀକରଣ ନେଇ ବିଭିନ୍ନ ଆସରରେ ବିତର୍କ ଦେଖିବାକୁ ମିଳୁଛି। ଚା ଖଟିରୁ ଆରମ୍ଭ କରି ବିଭିନ୍ନ ଛକରେ ଶାସକ ଦଳରୁ ଏଥର ପ୍ରାର୍ଥୀ କିଏ ହେବ ବୋଲି ତର୍କବିତର୍କ ଶଉଣିବାକୁ ମିଳୁଛି।

ପାରଳା ବିଧାନସଭା ଆସନ ରାଜନୀତି ଚିତ୍ରପଟ ଅନୁଧ୍ୟାନ କଲେ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସରୁ ଦଳୀୟ ଟିକଟ ଦାବିଦାର ଦୁଇରୁ ତିନି ଜଣଙ୍କ ମଧ୍ୟରେ ସୀମିତ। ମୋହନା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଭାବେ ଦାଶରଥି ଗମାଙ୍ଗ ଟିକଟ ପାଇବା ସୁନିଶ୍ଚିତ ବୋଲି କୁହାଯାଉଥିବା ବେଳେ ପାରଳା ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ କେ. ନାରାୟଣ ରାଓ ଟିକଟ ପାଇବା ଏକରକମ ନିଶ୍ଚିତ। ପାରଳାରୁ କଂଗ୍ରେସ ଟିକଟ ଲବିରେ କୌଣସି ନେତାଙ୍କର ଏତେଟା ଉତ୍ସାହ ଥିବା ଭଳି ଜଣାପଡୁନାହିଁ। ବିଜୁ ଜନତା ଦଳର ଟିକଟ ଲବିରେ କିନ୍ତୁ ଅନେକ ଦାବିଦାର। ଆଶାୟୀଙ୍କ ମଧ୍ୟରେ ଅଛନ୍ତି ଡ.ତିରୁପତି ପାଣିଗ୍ରାହୀ ଓ ତାଙ୍କ ପୁଅ ଇଂ ରୂପେଶ ପାଣିଗ୍ରାହୀ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍‌. ଲିଙ୍ଗରାଜ, ପାରଳା ରାଜଜେମା ସୁଶ୍ରୀ କଲ୍ୟାଣୀ ଗଜପତି, ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ତଥା ବର୍ତ୍ତମାନ ସଂଗଠନର ରାଜ୍ୟ ସମ୍ପାଦକ ଦାୟିତ୍ବରେ ଥିବା ପ୍ରଦୀପ କୁମାର ନାୟକ।

ବିଜେଡିର ଜିଲ୍ଲା ସଂଗଠନ ପ୍ରଭାରୀ ଭାବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗସ୍ତରେ ଆସିଥିବା ବେଳେ ଟିକଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଶେଷ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଗତ ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ସୁଶ୍ରୀ କଲ୍ୟାଣୀ ଗଜପତିଙ୍କୁ ୫୦ ପ୍ରତିଶତ ନେତା ଓ କର୍ମୀଙ୍କ ସମର୍ଥନ ମିଳିଲା ନାହିଁ। ଅନେକେ ଭାଜପା ପ୍ରାର୍ଥୀଙ୍କୁ ସମର୍ଥନ କରି ଦଳ ଛାଡ଼ି ପଳାଇଲେ। ଫଳରେ କଲ୍ୟାଣୀ ଦେବୀ ପରାଜିତ ହେଲେ। ତେବେ, ୨୦୨୨ରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ସବୁ ଗୋଷ୍ଠୀ ଏକତ୍ର ହୋଇ ଲଢ଼ିବା ଫର୍ମୁଲା ଆପଣେଇବା ଫଳରେ ଆଶାଠାରୁ ଅଧିକ ସଫଳତା ମିଳିଲା। ଏଣୁ ସେହି ରଣନୀତି ହିଁ ଆସନ୍ତା ବିଧାନସଭା ନିର୍ବାଚନରେ ଆପଣେଇବାକୁ ପଡ଼ିବ ବୋଲି ରାଜ୍ୟ ନେତୃତ୍ବ ଭଲଭାବେ ଜାଣିଛନ୍ତି।

 

ବର୍ତ୍ତମାନ, ଜିଲ୍ଲା ବିଜେଡିର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ଜଗବନ୍ଧୁ ଦାଶ। ହେଲେ ଦାୟିତ୍ବ ନେବାର ତିନି ମାସ ମଧ୍ୟରେ ସେ ସମସ୍ତ ଆଶାୟୀ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାରେ ଓ ଦଳୀୟ ସମାବେଶରେ ଏକାଠି ବସି ଆଲୋଚନା କରିବାରେ ସକ୍ଷମ ହୋଇପାରି ନାହାନ୍ତି। ଏଣୁ ଆଶାୟୀଙ୍କ ମଧ୍ୟରୁ ଯିଏ ଟିକଟରୁ ବଞ୍ଚିତ ହେବ, ତାଙ୍କ ସମର୍ଥିତ ଗୋଷ୍ଠୀର ସମର୍ଥନ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଯିବ କି ବିପକ୍ଷରେ ତା କହି ହେଉନାହିଁ।

୨୦୧୯ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାର ଦୁଇଟିଯାକ ଆସନ ବିଜେଡି ହାତଛଡ଼ା କରିଥିଲା। ମୋହନା କଂଗ୍ରେସ କବ୍‌ଜାକୁ ଯାଇଥିବା ବେଳେ ପାରଳା ଆସନ ବିଜେପି ଭାଗରେ ପଡ଼ିଥିଲା। ଆସନ୍ତା ନିର୍ବାଚନରେ ବିଜେଡି ଦୁଇଟିଯାକ ଆସନ ହାତେଇବ ବୋଲି ଦୃଢ଼ତାର ସହ ଦାବି କରିବା କେତେ ଦୂର ଯଥାର୍ଥ ତା ସମୟ ହିଁ କହିବ।

ସମ୍ବନ୍ଧିତ ଖବର