ବାଲେଶ୍ବର ଖେଳାଳିଙ୍କୁ ଜାତୀୟ ଦଳରେ ଦେଖିବାକୁ ଚାହେଁ: ମଳୟ

ବାଲେଶ୍ବର: ମଳୟ ରଞ୍ଜନ ବେହେରା (୩୦)। ଖୋଖୋରେ ଜଣେ ସଫଳ ପ୍ରଶିକ୍ଷକ(କୋଚ୍‌) ଭାବେ ‌ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ନିକଟରେ ଓଡ଼ିଶାର ଜଗରନଟ୍ସ ଦଳ ଅଲ୍‌ଟିମେଟ୍‌ ଖୋଖୋ (ସିଜିନ୍‌-୧) ପ୍ରତିଯୋଗିତାରେ ଆନ୍ଧ୍ରପ୍ରଦେଶର ତେଲୁଗୁ ଯୋଦ୍ଧାକୁ ହରାଇ ଚାମ୍ପିଅନ୍‌ ହୋଇଛି। ଓଡ଼ିଶା ଜଗରନଟ୍ସ ଦଳରେ ସ୍ଥାନ ପାଇଥିବା ୬ ଜଣ ଓଡ଼ିଆ ଖେଳାଳିଙ୍କ ମଧ୍ୟରୁ ବାଲେଶ୍ବରରୁ ୪ ଜଣ ଖେଳାଳି ସ୍ଥାନ ପାଇଥିଲେ। ଏହି ଟିମ୍‌ ଚାମ୍ପିଅନ୍‌ ହେବା ପଛରେ ପ୍ରଶିକ୍ଷକ ମଳୟଙ୍କ ଭୂମିକା ଅତୁଳନୀୟ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ମଳୟ ଛୋଟ ବେଳୁ ବାଲେଶ୍ବରରେ ରହିଆସୁଛନ୍ତି। ବାଲେଶ୍ବର ସହର ଫକୀରମୋହନ ନଗରରେ ମା’ଙ୍କ ସହ ସେ ରହୁଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ମାଟ୍ରିକ୍‌, ଆନ୍ଧ୍ରରେ ଯୁକ୍ତଦୁଇ (ଡିଷ୍ଟାନ୍ସ) ଏବଂ ପରେ ସଂସ୍କୃତ ମହାବିଦ୍ୟାଳୟରେ ଯୁକ୍ତତିନି ପାସ୍‌ କରିଛନ୍ତି। ସେ ଜାତୀୟସ୍ତର ପ୍ରତିଯୋଗିତାରେ ବହୁଥର ଖେଳିଛନ୍ତି, ହେଲେ ଉପଯୁକ୍ତ ସୁଯୋଗ ନ ମିଳିବାରୁ ସେ ଖେଳରୁ ସନ୍ନ୍ୟାସ ନେଇଥିଲେ। ଆଉ ଅନ୍ୟ ଖେଳାଳିଙ୍କ ଭିତରେ ନିଜ ସ୍ବପ୍ନ ପୂରଣ କରିବାକୁ ଚାହିଁଥିଲେ। ଶତାଧିକ ଖେଳାଳିଙ୍କୁ ସେ ପ୍ରଶିକ୍ଷଣ ଦେଇଛନ୍ତି। ୯୦ ପ୍ରତିଶତ ଖେଳାଳି ଜାତୀୟସ୍ତରରେ ଖେଳିଛନ୍ତି। ଏବେ ସେ ନିଜେ ଏକ କ୍ଲବ୍‌ (ପ୍ଲେଇଂ ଷ୍ଟାର୍‌ ଏକାଡେମି) ଗଢ଼ି ୬୦ରୁ ଅଧିକ ଖେଳାଳିଙ୍କୁ ଦେୟମୁକ୍ତ ପ୍ରଶିକ୍ଷଣ ‌ଦେଉଛନ୍ତି। ସେ ଓଡ଼ିଶା ଟିମ୍‌ର କୋଚ୍‌ ମଧ୍ୟ ରହିଛନ୍ତି।

ସାକ୍ଷାତକାର: କବିତା ପାତ୍ର

ଆପଣଙ୍କ ତତ୍ତ୍ବାବଧାନରେ ଓଡ଼ିଶା ଜଗରନଟ୍ସ ଦଳ ଅଲ୍‌ଟିମେଟ୍‌ ଖୋ-ଖୋ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ଚାମ୍ପିଅନ୍‌ ହୋଇଛି। ଜଣେ କୋଚ୍‌ ଭାବେ ନିଜ ଖୁସି କିପରି ବ୍ୟକ୍ତ କରିବେ?
ଓଡ଼ିଶା ଟିମ୍‌ରେ ଯେତେଜଣ ଖେଳାଳି ସାମିଲ ହୋଇଛନ୍ତି, ଏଥିରୁ ଅଧାରୁ ଅଧିକ ଖେଳାଳି ବାଲେଶ୍ବରର। ଏହାଠୁ ବଡ଼ ସୌଭାଗ୍ୟ ଓ ଖୁସି ବୋଧେ ମୋ ପାଇଁ ଆଉ କିଛି ନାହିଁ। ସବୁଠୁ ବଡ଼ କଥା, ଯେଉଁ ଖେଳାଳିଙ୍କୁ କିଣାଯାଇଛି, ସବୁଠୁ ଅଧିକ ମୂଲ୍ୟ (୫ ଲକ୍ଷ)ର ଖେଳାଳି ଭାବେ ବାଲେଶ୍ବରର ଜଗନ୍ନାଥ ମୁର୍ମୁ ରହିଛନ୍ତି। ମୁଁ ନିଜକୁ ଗୌରବ ଅନୁଭବ କରୁଛି। ଆଗକୁ ଆହୁରି କେମିତି ଅଧିକ ଖେଳାଳି ତିଆରି କରିବି, ସେହି ସ୍ବପ୍ନ ଦେଖୁଛି।

ଓଡ଼ିଶାର ସଫଳତା ପଛର ରହସ୍ୟ କ’ଣ ଥିଲା?
ଓଡ଼ିଶା ଟିମ୍ ବାଲାନ୍ସ ଟିମ୍‌। ଏଥିରେ ସବୁ ଖେଳାଳି ୧ ନମ୍ବର ଥିଲେ। ଫାଇନାଲରେ ତେଲୁଗୁ ଯୋଦ୍ଧାକୁ ସାମ୍ନା କରିବା ପାଇଁ ସମସ୍ତଙ୍କ ଭିତରେ ଭରପୂର ଦକ୍ଷତା ରହିଥିଲା। ସେମାନଙ୍କ ଭିତରେ ଆକ୍ରମଣ ସହିତ ସୁରକ୍ଷିତ ରହିବାର ବିଭିନ୍ନ କୌଶଳ ରହିଥିଲା। ଯାହା ଖେଳ ମୈଦାନରେ ପ୍ରମାଣ ହୋଇଛି।

ଯେତେବେଳେ କ୍ରିକେଟ୍‌ ଓ ଫୁଟ୍‌ବଲ୍‌ ଭଳି ଖେଳକୁ ନେଇ ସବୁଠି କ୍ରେଜ୍‌ ରହିଛି, ସେତେବେଳେ ଆପଣ ଖୋଖୋର ବିକାଶ ନେଇ କାହିଁକି ସ୍ବପ୍ନ ଦେଖିଲେ?
ଛୋଟ ବେଳୁ ଖୋଖୋ ପ୍ରତି ମୋର ରୁଚି ରହିଥିଲା। ହେଲେ ସୁଯୋଗ ଅଭାବରୁ ଆଗକୁ ଯାଇପାରିନଥିଲି। ତେଣୁ ନିଜର ସ୍ବପ୍ନକୁ ଅନ୍ୟ ଖେଳାଳିଙ୍କ ଭିତରେ ଦେଖିଲି ଏବଂ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କଲି। ଆଉ ଆଜି ସେଥିରେ ସଫଳ ହୋଇଛି ବୋଲି ଅନୁଭବ କରୁଛି।

ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବାଲେଶ୍ବରର ୪ଜଣ ଖେଳାଳି; ଜଗନ୍ନାଥ ମୁର୍ମୁ, ଲିପୁନ ମୁଖୀ, ସିଦ୍ଧେଶ୍ବର ଟୁଡୁ ଓ ସୁକାନ୍ତ ସିଂଙ୍କୁ ଆପଣ କିପରି ଆବିଷ୍କାର କଲେ?
ଖୋଖୋକୁ ଆଗକୁ ନେବା ପାଇଁ ମୁଁ ଖେଳାଳିଙ୍କ ଭିତରେ ଖୋଖୋରେ ଚାମ୍ପିଅନ୍‌ ହେବାର ଭୋକକୁ ଖୋଜିଲି। ଏଥିପାଇଁ ମୁଁ ବିଭିନ୍ନ ସ୍କୁଲ ଗଲି, ଖେଳାଳିଙ୍କୁ ଖୋଜି ପାଇଲି। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରୁ ମୁଁ ବହୁ ଖେଳାଳିଙ୍କୁ ପାଇଲି। ଏହି ୪ ଜଣ ଖେଳାଳିଙ୍କୁ ବି ସେମିତି ପାଇଥିଲି। ମୋ ପାଖରେ ପ୍ରଶିକ୍ଷଣ ନେବାକୁ ସେମାନଙ୍କୁ ପ୍ରୋତ୍ସାହିତ କଲି। ଗୋଟିଏ ଉଦ୍ଦେଶ୍ୟ ଥିଲା, ଗରିବ ଖେଳାଳିଙ୍କୁ ଆଗକୁ ନେବି। ଆଉ ପରବର୍ତ୍ତୀ ସମୟରେ ସଫଳ ହେଲି। ଗତ ୧୫ ବର୍ଷ ଧରି ମୁଁ ଖେଳାଳିଙ୍କୁ ଦେୟମୁକ୍ତ ପ୍ରଶିକ୍ଷଣ ଦେଇଆସୁଛି।

ବାଲେଶ୍ବର ଓ ରାଜ୍ୟରେ ଖୋଖୋକୁ ନେଇ କ’ଣ ସ୍ବପ୍ନ ଦେଖିଛନ୍ତି?
ଖୋଖୋ କହିଲେ ପୂର୍ବରୁ ଲୋକେ ଜାଣୁ ନଥିଲେ। କ୍ରିକେଟ୍‌ରେ ଖେଳାଳିଙ୍କ ନାଁ କହିଲେ ପ୍ରାୟ ସମସ୍ତେ ଜାଣନ୍ତି। ଇଚ୍ଛା ଥିଲା, ଖୋଖୋକୁ ପରିଚୟ ମିଳୁ। ଏବେ ଧୀରେ ଧୀରେ ଏହି ଖେଳର ଗୁରୁତ୍ବ ବଢ଼ିଛି। ମୁଖ୍ୟମନ୍ତ୍ରୀ ଏହାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ଖୋଖୋରେ ‘ମଦର ଅଫ୍‌ ଗେମ୍‌’ ଏବେ ବାଲେଶ୍ବରକୁ ବୁଝାଗଲାଣି। ଆଗାମୀ ଦିନରେ ଭାରତ ଟିମ୍‌ରେ ବାଲେଶ୍ବର ଖେଳାଳି ଅଧିନାୟକ ହୁଅନ୍ତୁ, ଏହା ମୋର ସବୁଠୁ ବଡ଼ ସ୍ବପ୍ନ।

ଯେଉଁ ଖେଳାଳିମାନେ ଖୋଖୋ ପ୍ରତି ଆଗ୍ରହ ରଖିଛନ୍ତି, ସେମାନଙ୍କୁ କ’ଣ ପରାମର୍ଶ ଦେ‌ବେ?
ଖେଳରେ ଧୈର୍ଯ୍ୟ ସବୁଠୁ ଗୁରୁତ୍ବପୂର୍ଣ୍ଣ। ଧୈର୍ଯ୍ୟ ନଥିଲେ କେଉଁଥିରେ ବି ସଫଳତା ମିଳେନାହିଁ। ‌ତେଣୁ ସବୁ ଖେଳାଳିଙ୍କୁ ମୋର ଗୋଟିଏ ପରାମର୍ଶ, ସଫଳତାକୁ ଛୁଇଁବାକୁ ହେଲେ ଧୈର୍ଯ୍ୟ ଓ କଠିନ ପରିଶ୍ରମ ଏକାନ୍ତ ଜରୁରୀ।

ସମ୍ବନ୍ଧିତ ଖବର