ତିଲୁଭାଇ ଆଉ ନାହାନ୍ତି

କଟକ : ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, କଟକ ପୌର ପରିଷଦର ପୂର୍ବତନ ନଗରପାଳ, ଆଦର୍ଶ ରାଜନେତା ତ୍ରିଲୋଚନ କାନୁ୍‌ନ୍‌ଗୋ (ତିଲୁ ଭାଇ) ଆଉ ନାହାନ୍ତି। ଶୁକ୍ରବାର ସକାଳେ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ଗତ ମାର୍ଚ୍ଚ ୩୦ ତାରିଖରୁ ସେ ମସ୍ତିଷ୍କ ଆଘାତରେ ଆକ୍ରାନ୍ତ ‌ହୋଇ ପ୍ରଥମେ କଟକ ଓ ପରେ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ।

ଅନ୍ତିମ ସମୟରେ ପତ୍ନୀ ଅବସରପ୍ରାପ୍ତ ପ୍ରିନ୍ସିପାଲ୍‌ ଡକ୍ଟର ଅଗସ୍ତି କାନୁନ୍‌ଗୋ, ପୁଅ ଶୁଭଦର୍ଶନ କାନୁନ୍‌ଗୋ, ତିନିଝିଅ ଶୁଭଶ୍ରୀ କାନୁନ୍‌ଗୋ, ରାଜଶ୍ରୀ କାନୁନ୍‌ଗୋ, ଇତିଶ୍ରୀ କାନୁନ୍‌ଗୋ, ଭଉଣୀ ସରସ୍ବତୀ ଖୁଣ୍ଟିଆ, ଭାଇ ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ କଟକସ୍ଥିତ ଶେଖ୍‌ବଜାର ଘରକୁ ‌ଶେଷଦର୍ଶନ ପାଇଁ ନିଆଯାଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭୁବନେଶ୍ବରରେ ହସ୍ପିଟାଲରୁ ତାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରୁ ମରଶରୀରକୁ କଟକ ବାସଭବନକୁ ଅଣାଯିବା ପରେ ତାଙ୍କ ପୈତୃକ ଘର କଣ୍ଟାପଡ଼ା ବ୍ଲକ୍‌ ଗୋବିନ୍ଦପୁର ଥାନା ବଡ଼ମୂଳେଇ ଗ୍ରାମକୁ ନିଆଯାଇଛି। ଶୁକ୍ରବାର ଦିନ ତାଙ୍କ ମରଶରୀରକୁ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଉଦୟନାଥ ସ୍ବୟଂଶାସିତ କଲେଜରେ ରଖାଯାଇଛି। ଆଜି(ଶନିବାର) ବଡ଼ମୂଳେଇ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ତ୍ରିଲୋଚନ କାନୁନ୍‌ଗୋଙ୍କ ପରଲୋକ ଖବର ପାଇ ବାରବାଟୀ କଟକ ବିଧାୟକ ଇଂ. ମହମ୍ମଦ ‌ମୋକିମ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡକ୍ଟର ଭବାନୀ ଶଙ୍କର ଚୟନୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ, ପୂର୍ବତନ ମେୟର ସୌମେନ୍ଦ୍ର କୁମାର ଘୋ‌ଷ, ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର, କଂଗ୍ରେସ ନେତ୍ରୀ ଗିରିବାଳା ବେହେରା, ପୂର୍ବତନ କାଉନସିଲ୍‌ର ଧର୍ମେଶ ନାୟକ, ଆଇନଜୀବୀ ପ୍ରଦୀପ ପଟ୍ଟନାୟକ, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ, ଡାକ୍ତର ରବିରଞ୍ଜନ ସାହୁ, ହିନ୍ଦ୍‌ ମଜ୍‌ଦୁର ସଂଘର ସଭାପତି ଦାମୋଦର ସାହୁ, ଡାକ୍ତର ନିମାଇଁ ଚରଣ ପରିଜା, ରବିନାରାୟଣ ମଲ୍ଲିକ, ସାହିତ୍ୟିକ ଡକ୍ଟର ‌ଗୋବିନ୍ଦ ଭୂୟାଁ, କଂଗ୍ରେସ ନେତା ତ୍ରିଲୋଚନ ମହାନ୍ତି ପ୍ରମୁଖ କଟକର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ‌ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କ ମରଶରୀରକୁ ସିଏମ୍‌ସି କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ମେୟର ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ, କମିସନର ନିଖିଲ ପବନ କଲ୍ୟାଣ, ପୂର୍ବତନ ମେୟର ଅନିତା ବେହେରାଙ୍କ ସମେତ କର୍ପୋରେଟର ଓ ଅନ୍ୟ ଅଧିକାରୀମାନେ ଶ୍ରୀ କାନୁନ୍‌ଗୋଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ବର୍ଗତଃ କାନୁନ୍‌ଗୋ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ବଡ଼ମୂଳେଇ ଗ୍ରାମରେ ୧୯୪୦ ମସିହା ସେପ୍ଟେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ପ୍ରେମାନନ୍ଦ କାନୁନ୍‌ ଗୋ ଓ ମା’ଙ୍କ ନାମ କ୍ଷେତ୍ରମଣି କାନନ୍‌ଗୋ। ଝାରପଡ଼ା ହାଇସ୍କୁଲରେ କିଛିଦିନ ପଢ଼ିବା ପରେ ସୁନ୍ଦରଗାଁ ହାଇସ୍କୁଲରୁ ସେ ମାଟ୍ରିକ୍ ପାସ୍ କରିଥିଲେ। ପରେ ରେଭେନ୍‌ସା କଲେଜରୁ ଗଣିତ ବିଷୟରେ ସ୍ନାତକ ଓ ସ୍ନାତକୋତ୍ତରରେ ଉତ୍ତୀର୍ଣ୍ଣ ହୋଇ ସୁନ୍ଦରଗାଁ ହାଇସ୍କୁଲରେ ଗଣିତ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ୧୯୭୧ରେ ଗୋବିନ୍ଦପୁର ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ୧୯୭୪ରେ କଂଗ୍ରେସ ଟିକଟରୁ କଟକ ସହର ବିଧାୟକ ହୋଇଥିଲେ। ୧୯୭୮ରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ସେ କଟକ ପୌର ପରିଷଦର ନଗରପାଳ ନିର୍ବାଚିତ ହୋଇଥିଲେ। ପୁଣି ୧୯୮୫ରେ ସ୍ବାଧୀନ ପ୍ରାର୍ଥୀଭାବେ ଗୋବିନ୍ଦପୁରରୁ ବିଧାୟକ ହୋଇଥିଲେ। ୧୯୯୨ରୁ ୧୯୯୫ପର୍ଯ୍ୟନ୍ତ ପୁଣି ଦ୍ବିତୀୟବାର କଟକ ପୌର ପରିଷଦର ନଗରପାଳ ନିର୍ବାଚିତ ହୋଇଥିଲେ। କଟକ ପୌର ପରିଷଦର ନଗରପାଳ ଭାବେ କାର୍ଯ୍ୟ କରିବା ସମୟରେ ସେ ସହରର ପରିମଳ ଓ ମଶାମରା ଅଭିଯାନକୁ ତ୍ବରାନ୍ବିତ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟ ପାଇଁ କଟକ ସହରବାସୀ ତାଙ୍କୁ ଶ୍ରଦ୍ଧାରେ ‘ମଶା ମଉସା’ ବୋଲି ସମ୍ବୋଧନ କରୁଥିଲେ। ସେ ୧୯୯୮ରୁ ୨୦୦୩ପର୍ଯ୍ୟନ୍ତ ଜଗତସିଂହପୁର ଲୋକସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଅର୍ଥନୀତିରେ ବି ତାଙ୍କର ବିଶେଷ ଦକ୍ଷତା ଥିଲା। ସେଥିପାଇଁ ୨୦୦୨ରେ ସେ ଦ୍ବିତୀୟ ରାଜ୍ୟ ଅର୍ଥ କମିସନର ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ ଉଦ୍ୟମରେ ଅଡ଼ଶପୁରରେ ୟୁଏନ୍ କଲେଜ୍ ପ୍ରତିଷ୍ଠା ହୋଇଥିଲା। ମୃତ୍ୟୁ ପର୍ଯ୍ୟନ୍ତ ସେ ୟୁଏନ୍ କ‌ଲେଜ ପରିଚାଳନା କମିଟି ସଭାପତି ଥିଲେ।

ସମ୍ବନ୍ଧିତ ଖବର