ନିଜ ଘରୁ ୨୪ ଲକ୍ଷ ଚୋରି, ବନ୍ଧାହେଲେ ପୂଜକ

ରାୟଗଡ଼ା : ସଂପତ୍ତି ଲୋଭରେ ନିଜ ଘରୁ ଚୋରି! ମା’ଙ୍କ ସଂପତ୍ତି ବଡ଼ଭାଇ, ଭଉଣୀଙ୍କୁ ନ ଦେବା ପାଇଁ ଚୋରି ନାଟକ ରଚି ସୃଷ୍ଟି କରିଥିଲେ ବିଭ୍ରାନ୍ତ। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ପୂରା ଘଟଣା ଉପରୁ ପର୍ଦ୍ଦା ଉଠାଇଛି ରାୟଗଡ଼ା ପୁଲିସ। ଘଟଣାର ଅଭିଯୋଗକାରୀ ବି. ବିଶ୍ବ ଗଣପତି ଶର୍ମା (ବୃତ୍ତିରେ ପୂଜକ)ଙ୍କୁ ପୁଲିସ ଗିରଫ କରିଛି। ଏଥିସହିତ ଚୋରି ହୋଇଥିବା ନଗଦ ୨୪ ଲକ୍ଷ ଟଙ୍କା ସହ ସୁନା ଗହଣାକୁ ମଧ୍ୟ ଉଦ୍ଧାର କରିଛି। ଜଣେ ପୂଜକ ସଂପତ୍ତି ଲୋଭରେ ନିଜେ କରିଥିବା ଷଡ଼୍‌ଯନ୍ତ୍ରରେ ନିଜେ ଫସିବା ଘଟଣା ରାୟଗଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାୟଗଡ଼ା ସହରର ରୟତ କଲୋନି ଷଷ୍ଠ ଲାଇନରେ ମା’ଙ୍କ ସହ ବହୁ ବର୍ଷ ହେଲା ରହି ଆସୁଛନ୍ତି ବିଶ୍ବ ଗଣପତି ଶର୍ମା। ବାପା ପୂଜକ ଥିଲେ ଏବଂ ତାଙ୍କ ପରଲୋକ ପରେ କଲୋନିରେ ଥିବା ଶିବ ମନ୍ଦିରରେ ଗଣପତି ପୂଜକ ଭାବେ କାମ କରିବା ସହ ‌ଜଜମାନ କାମ କରୁଥିଲେ। ବଡ଼ଭାଇ ବି. ସାଇ ଶର୍ମା ମଧ୍ୟ ମନ୍ଦିରର ପୂଜକ କାମ କରୁଥିବା ବେଳେ କଲୋନିର ଅନ୍ୟ ଏକ ଘରେ ନିଜ ପରିବାର ସହ ରହୁଛନ୍ତି। ଆନ୍ଧ୍ରପ୍ରଦେଶରେ ପେନସନ୍ ସଂପର୍କିତ କାମ ରହିଥିବାରୁ ଗଣପତି ମା’ଙ୍କୁ ନେଇ ଜୁଲାଇ ୨୫ ତାରିଖରେ ପାଲକୋଣ୍ଡା ଯାଇଥିଲେ। ଜୁଲାଇ ୩୧ ସକାଳେ ଗଣପତି ପହଞ୍ଚିବା ପରେ ଘର ତାଲା ଭାଙ୍ଗି ଟଙ୍କା, ସୁନା ଚୋରି ହୋଇଥିବା ସଂପର୍କରେ ମା’ଙ୍କୁ ଅବଗତ କରିବା ସହ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ।

ଚୋରି ଅଭିଯୋଗ ପରେ ଡଗସ୍କ୍ବାଡ୍‌ ଦ୍ବାରା ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଗଣପତିଙ୍କ ଘରୁ କୁକୁର ବାହାରି କିଛି ବାଟ ଯିବା ପରେ ବଡ଼ଭାଇ ବି. ସାଇ ଶର୍ମାଙ୍କ ଘରେ ପଶିଥିଲା। ପୁଲିସ୍ ସନ୍ଦେହରେ ତାଙ୍କୁ ପଚରାଉଚରା କରିବା ପରେ ସଂପତ୍ତି ଭାଗବଣ୍ଟାକୁ ନେଇ ଚାଲିଥିବା ବିବାଦ ପଦାକୁ ଆସିଥିଲା। ବଡ଼ ଭାଇ ସାଇ ଶର୍ମାଙ୍କ ନିକଟରୁ ପୁଲିସ୍ କିଛି ସୁରାକ୍ ନ ପାଇବା ପରେ ଗଣପତିଙ୍କ ଉପରେ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ପୁଲିସ୍ ତଦନ୍ତରେ ଗଣପତି ନିଜେ ହିଁ ଚୋରି କରିଥିବା ସ୍ପଷ୍ଟ ହେବା ପରେ ମିଥ୍ୟା ଅଭିଯୋଗ ସଂପର୍କରେ ଜଣାପଡ଼ିଥିଲା।

ଅନ୍ୟପକ୍ଷରେ, ଚୋରି ଏତଲାରେ ଗଣପତି ୩୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଚୋରି ହୋଇଥିବା ଦର୍ଶାଇଥିଲେ। ଚୋରି ପରେ ଟଙ୍କାକୁ ନିଜ ଘର ଭିତରେ ହିଁ ଗଣପତି ରଖିଥିଲା। ଉଦ୍ଧାର ଟଙ୍କା ଗଣିବା ସମୟରେ ୩୦ ଲକ୍ଷ ବଦଳରେ ୨୪ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଥିଲା। ସେହିପରି ୧୦ ଭରି ସୁନା ବଦଳରେ ୨ଟି ସୁନା ଚେନ୍, ଗୋଟିଏ ସୁନା ଲକେଟ୍ ପୁଲିସକୁ ମିଳିଛି।

ସମ୍ବନ୍ଧିତ ଖବର