ପୁରପଲ୍ଲୀରେ ପାଳିତ ହେଲା ପୁଅ ଜିଉଁତିଆ 

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଦୂତିବାହନ ଓଷା ପାଳିତ ହୋଇଯାଇଛି। ପୁଅଜିଉଁତିଆ ଭାବେ ପରିଚିତ ଏହି ନିଆରା ବ୍ରତରେ ନିଜ ସନ୍ତାନସନ୍ତତି, ବିଶେ‌ଷ କରି ପୁତ୍ର ସନ୍ତାନଙ୍କ ମଙ୍ଗଳ ମନାସି ମାଁ ମାନେ ଶନିବାର ନିର୍ଜଳା ଉପବାସ ରଖିଥିଲେ। ସଂଧ୍ୟାରେ ମହିଳା ମାନେ ନୂଆ ଶାଢ଼ି ଓ ଅଳଙ୍କାର ପିନ୍ଧି ପୂଜାସ୍ଥଳରେ ସମବେତ ହୋଇଥିଲେ। ଗୋଟିଏ ଗୋଟିଏ ପୂଜାସ୍ଥଳରେ ବହୁ ମହିଳା ସମବେତ ହୋଇ ଏକତ୍ର ପୂଜା କରିଥିଲେ। ଏଥି ପାଇଁ ପୂଜାସ୍ଥଳକୁ ପୂର୍ବରୁ ପ୍ରସ୍ତୁତ କରା ଯାଇଥିଲା। ମାଟିରେ ବର୍ଗାକାର ଗାତ ଖୋଳି ପାଣି ଭର୍ତ୍ତି କରି ସେଥିରେ ମାଛ ଯାଁଳ ଛଡ଼ା ଯାଇଥିଲା। ଗର୍ତ୍ତର ମଧ୍ୟ ଭାଗକୁ ଦ୍ବୀପ ଭଳି ରଖି ମଝିରେ ତୁଳସୀ ଗଛ ସ୍ଥାପନ କରା ଯାଇଥିଳା। ମଣ୍ଡପ ଚାରି ପାର୍ଶ୍ବକୁ କଦଳୀ ଗଛ, ଫୁଲ, ପତ୍ର‌ ଆଦିରେ ସଜା ଯାଇଥିଲା। ସଂଧ୍ୟାରେ ମହିଳା ମାନେ ଏକତ୍ରିତ ହେବା ପରେ ସାଥୀରେ ଆଣିଥିବା ପୂଜା ସାମଗ୍ରୀ, ୨୧ ପ୍ରକାର ଫଳ, ମୂଳ ଆଦି ସମର୍ପଣ କରି ପୂଜାପାଠ କରିଥିଲେ। ପଣ୍ଡିତ ଦୂତିବାହନଙ୍କ କଥା ପାଠ କରି ମହିମା ଗାନ କରିଥିଲେ। ସନ୍ତାନ ଅପେକ୍ଷାରେ ଥିବା ମହିଳା ମାନେ ମଧ୍ୟ ବ୍ରତ ରଖି ପୁତ୍ରକନ୍ୟା ଆଶା‌ରେ ଦୂତିବାହନଙ୍କ ଆରାଧନା କରିଥିଲେ।  ରବିବାର ସକାଳେ ମାଁ ମାନେ ପୂଜା କରାଯାଇଥିବା ଦୁବଫୁଲ ନିଜ ସନ୍ତାନଙ୍କୁ ବନ୍ଦାଇ ସେମାନଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିବେ। ଏହାପରେ ନିଜର ବ୍ରତ ସମାପ୍ତ କରିବା ବିଧି ରହିଛି।

କରୋନା ପାଇଁ ବିଗତ ଦୁଇ ବର୍ଷ ମହିଳାଙ୍କର ଗୋଟିଏ ସ୍ଥାନରେ ଏକତ୍ରିତ ହେବାକୁ ବାରଣ କରା ଯାଇଥିବାରୁ ପୁଅଜିଉଁତିଆ ଓଷା ଫିକା ପଡ଼ିଥିଲା। ହେଲେ  ଚଳିତ ବର୍ଷ ପୁଣିଥରେ ଏଥି ପାଇଁ ମହିଳା ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପଶ୍ଚିମ ଓଡ଼ିଶାର ପ୍ରତିଟି ଗାଁ ଗଣ୍ଡା, ସହରର ସାହି ସାହିରେ ସଂଧ୍ୟାରେ ଏହି ପୂଜା ଚାଲିଥିଲା। ଗାଁ ମାନଙ୍କରେ ଗୋଟିଏ ସ୍ଥାନରେ ବା ପ୍ରତି ସାହିରେ ଗୋଟିଏ ଗୋଟିଏ ପୂଜାସ୍ଥଳରେ ସବୁ ମହିଳା ଏକତ୍ରିତ ହୋଇଥିଲେ। ସହରରେ ମଧ୍ୟ ଗୋଟିଏ ‌େଗାଟିଏ ପୂଜାସ୍ଥଳରେ ୧୦ରୁ ନେଇ ୫୦ ଜଣ ପର୍ଯ୍ୟନ୍ତ ମହିଳା ଏକତ୍ର ପୂଜା କରିଥିଲେ। ‌ପୂଜାସ୍ଥଳ ମାନଙ୍କୁ ସଫାସୁତରା ଓ ଆଲୋକିତ କରା ଯାଇଥିଲା। ଏହାକୁ ପ୍ରସ୍ତୁତ କରିବାରେ ଯୁବକ ଓ ପୁରୁଷ ମାନେ ସହାୟତା କରିଥିଲେ। ଆଶ୍ବିନ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପୁଅ ଜିଉଁତିଆ ଓଷା ପାଳିତ ହୋଇଥିବା ବେଳେ ଶୁକ୍ଳପକ୍ଷ ଅଷ୍ଟମୀରେ ଭାଇ ଜିଉଁତିଆ ଓଷା ଅନୁଷ୍ଠିତ ହେବ। ପଶ୍ଚିମ ଓଡ଼ିଶାରେ ଏହି ଦୁଇ ଓଷାର ସ୍ବତନ୍ତ୍ର ମହତ୍ବ ରହିଛି।

ସମ୍ବନ୍ଧିତ ଖବର