ଜୟପୁର ବିମାନବନ୍ଦରରୁ ବିମାନ ଉଡ଼ିବ

ଡିଜିସିଏ ଚିହ୍ନଟ ସମସ୍ୟାର ଯାଞ୍ଚ କଲେ ଜିଲ୍ଲାପାଳ

ଜୟପୁର: ଜୟପୁର ବିମାନବନ୍ଦରରୁ ବିମାନ ଉଡ଼ିବା ପାଇଁ ଆବଶ୍ୟକ ପଡ଼ୁଥିବା ଲାଇସେନସ୍ ମିଳିନି। ଡିଜିସିଏ୍ ଟିମ୍ ଏହାରି ମଧ୍ୟରେ ଜୟପୁର ବିମାନବନ୍ଦର ଗସ୍ତରେ ଆସି ୬୫ଟି ଛୋଟ ବଡ଼ ସମସ୍ୟା ଗୁଡିକ ଚିହ୍ନଟ କରିଥିଲେ। ଏସବୁର ତୁରନ୍ତ ସମାଧାନ କରି ଜଣାଇବା ପରେ ପୁନଃ ଯାଂଚ କରି ଲାଇସେନସ୍ ଦିଆଯିବ ବୋଲି ଏହି ଟିମ୍ କହିଥିଲେ। ଏହାରି ମଧ୍ୟରେ ପୂର୍ତ୍ତବିଭାଗ ପକ୍ଷରୁ ସମସ୍ତ ୬୫ଟି ଯାକ ଚିହ୍ନଟ ସମସ୍ୟାର ସମାଧାନ କରି ସାରିଛନ୍ତି। ଆଜି ଜିଲ୍ଲାପାଳ ମହମ୍ମଦ ଆବଦଲ ଆଖତର ଏସବୁର ଗୋଟି ଗୋଟି କରି ତନ୍ନ ତନ୍ନ ଯାଂଚ କରିଥିଲେ। ପୂର୍ବରୁ କାମ ସରିବା ପରେ ମେଲ୍ ଯୋଗେ ଡିଜିସିଏକୁ ବି ଅବଗତ କରାଯାଇଥିଲା।

ଆଜି ଜିଲ୍ଲାପାଳ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାସ୍କରଚନ୍ଦ୍ର ସାମନ୍ତରାୟଙ୍କୁ ନେଇ ଯାଂଚ କରୁଥିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବି ଏଥିରେ ସାମିଲ ହୋଇଥିଲେ। ବିଡ଼୍ ପାଇଥିବା ଇଣ୍ଡିଆ ୱାନ ଏୟାରର ବିମାନ ଆଜି ବି ଭୁବନେଶ୍ବରରୁ ଜୟପୁର ଆସି ଅଭ୍ୟାସ କରିଥିଲେ। ଏହି ବିମାନ ଭୁବନେଶ୍ବର ଫେରିଯିବା ସମୟରେ ଜିଲ୍ଲାପାଳ, ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ସମସ୍ତ କାଗଜପତ୍ର,କାମ ସଂପୁର୍ଣ୍ଣର ଫଟୋ ଚିତ୍ର ଓ ଭିଡିଓଫୁଟେଜ୍ ଆଦି ଏୟାରପୋର୍ଟ ଅଥରିଟି ଜରିଆରେ ଡିଜିସିଏକୁ ପଠାଇଥିଲେ। ସମସ୍ତ କାଗଜପତ୍ର ଯାଇ ସାରିଥିବାରୁ ଅତି ଶୀଘ୍ର ଏଠାରୁ ବିମାନ ଉଡିବାର ସବୁଜ ସଂକେତ ଦେଖାଦେଇଛି ବୋଲି କହିଛନ୍ତି ଜୟପୁର ବିଧାୟକ ଶ୍ରୀ ବାହିନୀପତି।

ଏହି ଛୋଟ ବିମାନ ସହ କିଭଳି ବଡ଼ ୩୦ରୁ ୫୦ସିଟର ବିମାନ ଏହି ବିମାନ ବନ୍ଦରରୁ ଉଡି ପାରିବ ସେ ନେଇ ବିଧାୟକ ଜିଲ୍ଲାପାଳଙ୍କ ସହ ଅଲୋଚନା କରିଥିଲେ। ଏବଂ ଏଥି ପାଇଁ ଜମି ଓ ବନ୍ଦରର ଭିତ୍ତିଭୁମି ଆଦିରେ କଣ କଣ ପରିବର୍ତ୍ତନ ହେବ ତାହାକୁ ନେଇ ଆଲୋଚନା କରାଯାଇଥିଲା।  ଏନେଇ ସେ ରାଜ୍ୟ ଓକେନ୍ଦ୍ର ସରକାରଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି ଅନୁରୋଧପତ୍ର ଦେବେ ବୋଲି କହିଛନ୍ତି ଜୟପୁର ବିଧାୟକ।

ସମ୍ବନ୍ଧିତ ଖବର