ବଙ୍ଗୋପସାଗରରେ ଲଘୁଚାପ : ଚାଷୀଙ୍କ ପାଇଁ ଜାରି ହେଲା ପରାମର୍ଶ

ଭୁବନେଶ୍ବର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି। ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ଅଛି। ଏହା ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ ଓ ପୁରୀ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସହ ପବନ ବହିବାର ଆଶଙ୍କା ରହିଛି। ଏହି ସମୟରେ ବିଭିନ୍ନ ଫସଲ ଓ ପଶୁପାଳନର ସୁପରିଚାଳନା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚାଷୀଙ୍କ ଲାଗି ପରାମର୍ଶ ଜାରି ହୋଇଛି।

ଲଘୁଚାପ ଜନିତ ବର୍ଷା ପରେ ଜମିରେ ଥିବା ଡାଳୁଅ ଧାନ, ରାଶି, ନଳିତା, ବାଇଗଣ, ଲଙ୍କା, ଭେଣ୍ଡି ଓ କଖାରୁ ଜାତୀୟ ପନିପରିବା, ବିଭିନ୍ନ ଫୁଲ ଚାଷ କରାଯାଇଥିବା ଜମିରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଏଥିସହ ଅମଳ ଉପଯୋଗୀ ଡାଳୁଅ ଧାନକୁ କାଟି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ। ମନ୍ଦା ଜାତୀୟ ପନିପରିବା ଫସଲ ବର୍ଷା ପରେ ଲଗାନ୍ତୁ। ଆମ୍ବ, କଦଳୀ ଓ ଅମୃତଭଣ୍ଡା ପାକଳ ଅବସ୍ଥାରେ ଥିଲେ ପବନ ବହିବା ପୂର୍ବରୁ ତୋଳି ଦିଅନ୍ତୁ। କାଜୁ ବାଦାମ ଅମଳ ଅବସ୍ଥାରେ ଥିଲେ ଏହାର ମଞ୍ଜିକୁ ତୋଳି ଶୁଖାଇ ରଖନ୍ତୁ। ଆଭ୍ୟନ୍ତରୀଣ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ କଞ୍ଚା ଆମ୍ବ ଝଡ଼ି ପଡ଼ିବ। ତେଣୁ କଞ୍ଚା ଆମ୍ବ ଖାଇବା ଉପଯୋଗୀ ନହେଲେ ସେଗୁଡ଼ିକୁ ସଂଗ୍ରହ କରି ପାଣିରେ ୨୪ ଘଣ୍ଟା ଭିଜାଇ ରଖି ମାଟିରେ ପୋତି ଦିଅନ୍ତୁ। ଏହାଦ୍ୱାରା ଟାକୁଆଘୂଣି ପୋକର ପ୍ରାଦୁର୍ଭାବ କମାଯାଇ ପାରିବ। ବର୍ଷା ଯୋଗୁଁ ଲଟାଜାତୀୟ ପନିପରିବା ଫସଲରେ ଶୋଷକ କୀଟ ଲାଗି ଅଗ ଭୃର୍ଷୁଙ୍ଗା ହୋଇଯିବାର ଆଶଙ୍କା ରହିଛି।

ବର୍ଷା ପରବର୍ତୀ ସମୟରେ ବାଇଗଣ, ଭେଣ୍ଡି ଓ ଲଙ୍କା ପ୍ରଭୃତି ପନିପରିବାରେ ମୂଳ ସଢ଼ା ରୋଗ ଦେଖାଦେବାର ସମ୍ଭାବନା ରହିଛି। କଖାରୁ ଜାତୀୟ ଫସଲରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ଦେଖା ଦେଇପାରେ। ଗୋରୁଗାଈଙ୍କ ପାଇଁ ଯଥେଷ୍ଟ ପରିମାଣର ଶୁଖିଲା ଖାଦ୍ୟ ଓ ପାଣି ସଞ୍ଚୟ କରି ଘରେ ରଖନ୍ତୁ। ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର