ରାତି ପାହିଲେ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଆରମ୍ଭ ହେବ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଆଗରେ କରୋନା ଭାଇରସ ପରାସ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ରଥ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି । ଫଳରେ ରାତି ପାହିଲେ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଆରମ୍ଭ ହେବ । ରଥ ନିର୍ମାଣ ନେଇ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ବଳୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ତିନି ମୁଖ୍ୟ ମହାରଣା ଓ ପରିଚାଳନା କମିଟିର ସଦସ୍ୟ ଅଂଶଗ୍ରହଣ କରିଥିଲେ । ବୈଠକରେ ଆସନ୍ତାକାଲି (ଶୁକ୍ରବାର) ସକାଳ ୮ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ରଥ ନିର୍ମାଣ କାମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବୈଠକ ପରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ଏକ ଚିଠି ଲେଖି ରଥ ନିର୍ମାଣ କାର୍ଯ୍ୟ ଲକଡାଉନ୍ ଆଇନ ପରିସର ମଧ୍ୟରେ କରାଯାଇପାରିବ ବୋଲି ସୂଚିତ କରିଥିଲେ।

କେନ୍ଦ୍ର ସରକାରଙ୍କ ଅନୁମତି ପରେ ଏବେ ରଥ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି । ଆହୁରି ମଧ୍ୟ ରଥଯାତ୍ରା ନିଷ୍ପତ୍ତି ମଧ୍ୟ ରାଜ୍ୟସରକାରଙ୍କ ଉପରେ ଛାଡ଼ିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥନିର୍ମାଣ ସଂପର୍କିତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡ଼ାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ଛାଡ଼ିଥିଲେ।

ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ରଥ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆବଶ୍ୟକ ସମସ୍ତ ଗାଇଡଲାଇନ ପାଳନ କରି ରଥ ନିର୍ମାଣ କରାଯାଇପାରିବ । ତେବେ ରଥଖଳାରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଲୋକମାନେ ଜମା ହୋଇ ରଥନିର୍ମାଣ କାର୍ଯ୍ୟ ଦେଖିପାରିବେ ନାହିଁ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖି ଜଣାଇଛି ଗୃହ ମନ୍ତ୍ରାଳୟ ।

ଆହୁରି ମଧ୍ୟ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବେ । ସେତେବେଳର ସ୍ଥିତିକୁ ଦେଖି ରାଜ୍ୟ ସରକାର ରଥଯାତ୍ରା ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମନ୍ତ୍ରାଳୟ କହିଛି । ରଥନିର୍ମାଣରେ ବିଳମ୍ବ ପରେ ଏ ବର୍ଷ ରଥନିର୍ମାଣ ହୋଇପାରିବ ନାହିଁ ବୋଲି ବିଶ୍ୱକର୍ମା ଓ ସେବାୟତମାନେ ଆଶଙ୍କା ପ୍ରକାଶ କରିବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର