ଗଞ୍ଜାମ ଜିଲ୍ଲାକୁ ଆସିଲେଣି ୨୮୮ ବସ୍‌ରେ ୧୬ ହଜାର ୨୩୬ ପ୍ରବାସୀ

ଭଞ୍ଜନଗର: ଗୁଜୁରାଟର ସୁରତରେ ରହି କାମ କରୁଥିବା ପ୍ରବାସୀ ଓଡିଆମାନଙ୍କୁ ନେଇ ଜିଲ୍ଲାକୁ ୨୮୫ ଟି ବସ୍‌ ଆସିଥିବା ଜଣାପଡିଛି। ଜିଲ୍ଲା ମଧ୍ୟକୁ ଆସିବା ପାଇଁ ସମସ୍ତ ବସ୍‌ ଭଞ୍ଜନଗର ଦେଇ ପ୍ରବେଶ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ଦୁର୍ଗାପ୍ରସାଦ ସୀମା ଅତିକ୍ରମ କରି କିଛିଦିନ ବସ୍‌ ଆସିଥିଲା। ଏହି ରାସ୍ତା ଅତିକ୍ରମ କରି ଆସବା ବେଳେ କଳିଙ୍ଗା ଘାଟିରେ ‌ବାରମ୍ବାର ଦୁର୍ଘଟଣା ପରେ ସରକାର ବସ୍‌ ଆସିବାର ରୁଟ୍‌ ପରିବର୍ତ୍ତନ କରିବା ପରେ ବର୍ତ୍ତମାନ ନୟାଗଡ ଜିଲ୍ଲା ଦଶପଲ୍ଲା ଦେଇ ତାରସିଂ ଅତିକ୍ରମ କରି ସମସ୍ତ ବସ୍‌ ଆସୁଛି।

ତେବେ ବସ୍‌ରେ ଆସିବା ପାଇଁ ରାଜ୍ୟ ସରକାର ମନା କରିଦେବା ପରେ ବସ ଆସିବା ପ୍ରାୟତଃ କମିବାରେ ଲାଗିଛି। ଆଜି ଗଞ୍ଜାମ ସୀମାନ୍ତ ତାରସିଂ ଦେଇ ୪ଟି ବସ୍‌ ଆସିଥିବା ବେଳେ ନୟାଗଡ ଜିଲ୍ଲା ଓଡଗାଁ କରସିଂ ଦେଇ ଗୋଟିଏ ବସ୍ ଆସିଥିବା ଜଣାପଡିଛି। ଆଜି ସୁଦ୍ଧା ଆସିଥିବା ୨୮୮ ଗୋଟି ବସ୍‌ରେ ୧୬,୨୩୬ ଜଣ ‌ପ୍ରବାସୀ ଆସିଥିବା ଉପଖଣ୍ଡ ସୁଚନା ଲୋକ ସଂର୍ପକ ଅଧିକାରୀ ଫକୀର ମୋହନ ମାଝୀ ସୁଚନା ଦେଇଛନ୍ତି। ଏହି ବସ୍ ଗୁଡି‌କରେ ଆସିଥିବା ଲୋକ ମାନଙ୍କୁ ଜିଲ୍ଲାର ବିଭିନ୍ନ ବ୍ଳକ୍‌ରେ ହୋଇଥିବା କ୍ବ‌ାରେନ୍‌ ଟାଇନ୍‌ କେନ୍ଦ୍ରରେ ରଖାଯାଉଛି। ଗତ ସୋମବାର ସଂନ୍ଧ୍ୟାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାରସିଂ ଗସ୍ତ କରିବା ସହ ବସ୍‌ ଗୁଡିକର ପଞ୍ଜିକରଣର ତଦାରଖ କରିଥି‌ଲେ। ଏହାସହ ପ୍ରତି ବସ୍‌ ଗୁଡିକ ଗୋଟିଏ ବ୍ଳକ୍‌କୁ ପଠାନଯାଇ ବସ୍‌ ‌ଗୁଡିକ ଯେଉଁ ବ୍ଳକର ଯେତେ ସଂଖ୍ୟକ ଯାତ୍ରୀ ଥିବେ ସେହି ବ୍ଳକ୍‌ରେ ଓହ୍ଲାଇବା ପାଇଁ କହିଥିଲେ। ଏହାପରେ ଆସୁଥିବା ବସ୍ ଗୁଡିକ ଶ୍ରମିକ ମାନଙ୍କୁ ନେଇ ସେମାନଙ୍କ ନିଜ ବ୍ଳକ୍‌ର କ୍ବାରେନ୍‌ଟାଇନ୍‌ରେ ରଖାଯାଉଥିବା ଜଣାପଡିଛି।

ବର୍ତ୍ତମାନ ସୁରତରୁ ପ୍ରବାସୀ ଓଡିଆ ମାନେ ବସ୍‌ରେ ଆସିବା ସହ ଟ୍ରେନ୍‌ରେ ମଧ୍ୟ ଆସିବାରେ ଲାଗିଛନ୍ତି। ବ୍ରହ୍ମପୁର ଠାରେ ଟ୍ରେନ୍‌ରେ ଓହ୍ଳାଇବା ପରେ ସେମାନଙ୍କୁ ମଧ୍ୟ ବିଭିନ୍ନ ବସ ଯୋଗେ ବ୍ଳକ୍‌କୁ ଅଣାଯାଉଛି। ସମସ୍ତଙ୍କୁ ରଖିବା ଲାଗି ପୂର୍ବରୁ ଭଞ୍ଜନଗର ବ୍ଳକ୍‌ରେ ୬୧ ଟି କ୍ବାରେନ୍‌ଟାଇନ୍‌ ସେଣ୍ଟର ପ୍ରସ୍ତୁତ କରାଯାଇଛି। ଆଜି ପର୍ଯ୍ୟନ୍ତ ବର୍ତ୍ତମାନ ସୁଦ୍ଧା ୧୧ ଟି କ୍ବାରେନ୍‌ଟାଇନ୍‌ ସେଣ୍ଟରରେ ୭୦୨ ଜଣ ଥିବା ବେଳେ ୫୯୭ ଜଣ ପୁରୁଷ,୮୮ ଜଣ ମହିଳା ଏବଂ ୧୯ ଜଣ ଛୋଟଛୁଆଙ୍କ ସମେତ ଜଣେ ଟ୍ରାନ୍ସଜେଣ୍ଡର ରହିଥିବା ଜଣାପଡିଛି। ଢିହ  ପଢା‌ଳ, କୁଲାଡ, ବାରୁଡା, ସାର୍ଦ୍ଦୁଳ, ବ୍ରାହ୍ମଣପଦର ପଞ୍ଚାୟତର ତଳଜୀବୀକା, ବାହାଡାପଦର, ତିଳିସିଂ, ମୁଜାଗଡ, ଗାଲେରୀ, ଜିଲୁଣ୍ଡି, ମଳାସପଦର ଠାରେ ହୋଇଥିବା କ୍ବାରେନ୍‌ଟାଇନ୍‌ରେ ସୁରତରୁ ଆସିଥିବା ଲୋକ ମାନଙ୍କୁ ରଖାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ଜିଲୁଣ୍ଡି ଠାରେ ହୋଇଥିବା କ୍ବାରେନ୍‌ଟାଇନ୍‌ରେ ଜଣେ ଗର୍ଭବତୀ ମହିଳା ରହିଥିବାରୁ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ନିଜ ଘର ଦଦରଲୁଣ୍ଡାକୁ ହୋମ କ୍ବ‌ାରେନ୍‌‌ଟାଇନ୍‌ରେ ରହିବା ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର