ଆବାସ ଘର ଅଧାଗଢ଼ା: ପାଇଖାନାରେ ୩ବର୍ଷ

ତେଲକୋଇ: ମୁଣ୍ଡ ଗୁଞ୍ଜିବା ପାଇଁ ସରକାରଙ୍କ ପକ୍ଷରୁ ମିଳିଥିଲା ପ୍ରଧାନମନ୍ତ୍ରୀ ଆବାସ। ଗୃହ ନିର୍ମାଣ ପାଇଁ ଠିକା ନେଇଥିବା ଯୁବକ ଅଧାରୁ କାମ ବନ୍ଦ କରି ଦେଇଥିବାରୁ ତାହା ଅଧପନ୍ତରିଆ ହୋଇପଡ଼ିଛି। ଏଭଳି ସ୍ଥିତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଖୁଣ୍ଟାପଡ଼ା ପଞ୍ଚାୟତ କୁଲାଡେରା ଗ୍ରାମ କେନ୍ଦୁଆଦରି ସାହିର ମାଧବ ଜାମୁଦା ଏକ ପାଇଖାନାରେ ଆଶ୍ରୟ ନେଇଛନ୍ତି। ମାଧବଙ୍କ ପରିବାର କହିଲେ ପତ୍ନୀ ଓ ୪ ପୁଅ। ପୁଅମା‌ନେ ବିବାହ କରି ଅନ୍ୟତ୍ର ରହୁଛନ୍ତି। ପତ୍ନୀ ଗଛରେ ଚଢ଼ି ଶାଗ ତୋଳୁଥିବା ବେଳେ ତଳି ପଡ଼ି ପ୍ରାଣ ହରାଇଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ମାଧବ ଏକାକୀ ରହୁଛନ୍ତି। ୪ ବର୍ଷ ତଳେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବାକୁ କାର୍ଯ୍ୟାଦେଶ ମିଳିଥିଲା। ସାହିର ଜଣେ ଯୁବକ ତାଙ୍କ ଘର ତୋଳିବାକୁ ଠିକା ନେଇଥିଲେ। ଘରର ପ୍ଲିନ୍ଥ ପର୍ଯ୍ୟନ୍ତ କରିବା ପରେ ଆଉ କାମ କଲେନାହିଁ। ପରେ ମାଧବ ନିଜ ଉଦ୍ୟମରେ ବାକି କାମ କଲେ। ଛାତ ପର୍ଯ୍ୟନ୍ତ ଇଟା ଯୋଡ଼େଇ ହୋଇଥିଲେ ମଧ୍ୟ ଛାତ ପଡ଼ିପାରି ନାହିଁ। ଘର କାମ ଅସମ୍ପୂର୍ଣ୍ଣ ହୋଇ ରହିଛି। ଅନ୍ୟପକ୍ଷରେ ମାଧବ ଘର ନିକଟରେ ଥିବା ପାଇଖାନାରେ ତିନିବର୍ଷ ହେଲା ରହିଆସୁଛନ୍ତି। ପାଇଖାନା ଆଗରେ ଏକ ପଲାମାରି ସେଠାରେ ରୋଷେଇ ସାଙ୍ଗକୁ ଖିଆପିଆ କରୁଛନ୍ତି। ଏ ସମ୍ପର୍କରେ ମାଧବ କହନ୍ତି, ଅର୍ଥାଭାବରୁ ତାଙ୍କ ଘରର ଛାତ ପଡ଼ିପାରିଲା ନାହିଁ। ତେଣୁ ସେ ପାଇଖାନାରେ ରହୁଛନ୍ତି। ବର୍ଷାଦିନେ ସମସ୍ୟା ହେଉଛି। ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ସ୍ବାସ୍ଥ୍ୟକର୍ମୀ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝୁ ନାହାନ୍ତି କି ଔଷଧ ଦେଉନାହାନ୍ତି ବୋଲି ମାଧବ କହିଛନ୍ତି।

ସମ୍ବନ୍ଧିତ ଖବର