ବିକାଶର ବାଟ ଓଗାଳିଛି ନଦୀ, ପାହାଡ଼: ଦୁର୍ଦ୍ଦଶା ଭୋଗୁଛନ୍ତି ୮ଖଣ୍ଡ ଗ୍ରାମବାସୀ

ଖରାଦିନେ କାଠପୋଲ, ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ, ନାଗାବଳୀରେ ଅସ୍ଥାୟୀ କାଠ ପୋଲ କଲେ ଗ୍ରାମବାସୀ

କଲ୍ୟାଣସିଂହପୁର: ନିର୍ମାଣ ହୋଇପାରୁନି ସ୍ଥାୟୀ ପୋଲ। ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମବାସୀ। ଖରା ଦିନେ କାଠ ପୋଲ ଯାତାୟାତର ମାଧ୍ୟମ ପାଲଟୁଛି। ବର୍ଷା ହେଲେ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ। ଗୁହାରି ସତ୍ତ୍ବେ ପ୍ରଶାସନ ଶୁଣୁନଥିବାରୁ ନାଗାବଳୀରେ କାଠ ପୋଲ ନିର୍ମାଣ କରିଛନ୍ତି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସିକରପାଇ ପଞ୍ଚାୟତର ତଳସାଜା ଓ ଉପରସାଜା ଗ୍ରାମବାସୀ।

ନାଗାବଳୀ ନଦୀ ଅପରପାର୍ଶ୍ବରେ ରହିଛି ଶିକରପାଇ ପଞ୍ଚାୟତର ତଳସାଜା, ଉପରସାଜା, ପଲମା ପଞ୍ଚାୟତର ଏରେଗେଣ୍ଡା, ମାଣ୍ଡିପର, କୁଶବାଟି, ମାଝିଗୁଡ଼ା ପଞ୍ଚାୟତର ନିମାଝୋଲା, କଟଲପାଡ଼ୁ ଓ ରଘୁନାଥପୁର ଗାଁ। ଗୋଟିଏ ପଟେ ନଦୀ ଓ ଅନ୍ୟପଟେ ପାହାଡ଼, ମଝି ଅଞ୍ଚଳରେ ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭୋଗୁଛନ୍ତି ୮ଖଣ୍ଡ ଗ୍ରାମବାସୀ। ନଦୀରେ ପୋଲ ନଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବର୍ଷା ଦିନରେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଗ୍ରୀଷ୍ମ ଓ ଶୀତ ଋତୁରେ ମଧ୍ୟ ସମାନ ସ୍ଥିତି ଲାଗି ରହୁଛି। ରୋଗୀକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା, ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯିବା ସମୟରେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ନ କହିବା ଭଲ। ଜୀବନ ଜୀବିକା ପାଇଁ ୮ଖଣ୍ଡ ଗ୍ରାମବାସୀ ଶିକରପାଇ, ମାଝିଗୁଡ଼ା, କଲ୍ୟାଣସିଂହପୁର ଓ ଜେକେପୁରକୁ ଆସିଥାନ୍ତି। ସବୁକ୍ଷେତ୍ରରେ ଏହି ଗ୍ରାମବାସୀଙ୍କ ବାଟରେ ବାଧକ ସାଜିଛି ନାଗାବଳୀ ନଦୀ। ସ୍ଥାୟୀ ପୋଲ ନିର୍ମାଣ ହୋଇପାରୁନଥିବାରୁ ଚଳିତ ବର୍ଷ ମଧ୍ୟ ନିଜ ଉଦ୍ୟମରେ କାଠ ପୋଲ ନିର୍ମାଣ କରିଛନ୍ତି। ଗାଁର ଯୁବକମାନେ ନିଜସ୍ୱ ଉଦ୍ୟମରେ ଜଙ୍ଗଲରୁ କାଠ, ବାଉଁଶ ସଂଗ୍ରହ କରି କାଠ ପୋଲ ନିର୍ମାଣ କରିବା ପରେ ନିଜେ ଗ୍ରାମବାସୀ ହିଁ ଏହାର ଉଦ୍‌ଘାଟନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୩ ଜୁଲାଇ ୩୧ ତାରିଖରେ ଉପରସାଜା ଗ୍ରାମରେ ନିର୍ମାଣାଧୀନ କଲର୍ଭଟ ଭୁଶୁଡ଼ି ୪ ଶିଶୁଙ୍କ ସମେତ ୫ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ ହୋଇଥିଲେ। ଠିକାଦାରଙ୍କ ବିରୋଧରେ କଲ୍ୟାଣସିଂହପୁର ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ଘଟଣା ପରଠାରୁ ତଳସାଜା, ଉପରସାଜା ଗ୍ରାମକୁ ରାସ୍ତା ନିର୍ମାଣ ବନ୍ଦ ରହିଛି। ସେହିପରି ନାଗାବଳୀ ନଦୀରେ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଡିପିଆର୍ ଦାଖଲ କରାଯାଇଛି। ଟେଣ୍ଡର ପ୍ରକ୍ରିୟା ପାଇଁ ନିର୍ଦ୍ଦେଶ ମିଳିବା ପରେ କାମ ଆରମ୍ଭ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ରାଉତରାୟ କହିଛନ୍ତି।

ସମ୍ବନ୍ଧିତ ଖବର