କାଳିଆପାଣି: ଖଣି ଅଞ୍ଚଳରେ ରାସ୍ତା ଜାମ୍‌, ଅଧାବାଟରେ ଅଟକିଲେ ମହିଳା

କାଳିଆପାଣି : କାଳିଆପାଣି ଥାନା ଖଣିଅଞ୍ଚଳ ଟମକା-ମଙ୍ଗଳପୁର ସଡ଼କରେ ଗୁରୁବାର ପୁଣି ରାସ୍ତାଜାମ୍ ହୋଇଛି। କୋଇପଶିରୁ କାଳିଆପାଣି ମଧ୍ୟରେ ନାହିଁ ନଥିବା ଟ୍ରାଫିକ ଜାମ୍ ପାଇଁ ୯ ଜଣ ମହିଳା ଅଧାବାଟରେ ଅଢ଼େଇ ଘଣ୍ଟା ଅଟକି ରହିଥିଲେ। କଅଁସ ପଞ୍ଚାୟତ ସାରୁଆବିଲ ଗାଁର ଗୀତାଞ୍ଜଳି ପ୍ରଧାନ, କୁନି ପ୍ରଧାନ, ରିତାରାଣୀ ସାହୁ, ଭାଲୁକୁଣି ଦେହୁରୀ, ସୁ‌ଲୋଚନା ଦେହୁରୀ, କୌଶଲ୍ୟା ପ୍ରଧାନ, ଶ୍ରୀମତୀ ପ୍ରଧାନ ଓ ଅନ୍ୟ ୨ ସହଯୋଗୀ ୟୁନିଅନ ବ୍ୟାଙ୍କ କାଳିଆପାଣି ଶାଖା ଆସିବା ପ‌ାଇଁ ସାରୁଆବିଲରୁ ଏକ ବୋଲେରୋରେ ସକାଳ ୧୦ଟାରେ ବାହାରିଥିଲେ। ଘରଠାରୁ କିଛିବାଟ ଆସିବା ପରେ ଟ୍ରକ୍‌ ଭିଡ଼ ମଧ୍ୟରେ ଗାଡ଼ିଟି ଫସି ଯାଇଥିଲା। ସଡ଼କ ଉପରେ ୩ ରୁ ୪ ଧାଡ଼ିରେ ମାଳମାଳ ଟ୍ରକ୍‌ ସବୁ ରହିଥିଲେ। ଏ କ୍ଷେତ୍ରରେ ମହିଳାମାନେ ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ସାହୁଙ୍କ ସହାୟତା ଲୋଡ଼ିଥିଲେ ବି ସେ କିଛି କରିପାରିନଥିଲେ। ଶେଷରେ ସେମାନେ ଏକ କିଲୋମିଟରରୁ ଅଧିକ ବାଟ ଚାଲିଚାଲି କାଳିଆପାଣି ହନୁମାନ ବଜାର ପହଞ୍ଚିଥିଲେ।

ଏ ସମସ୍ୟା ସଂପର୍କରେ ପୁଲିସ ଓ ଥାନା ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ ଉଦ୍ୟମ କରିଥିଲେ ମଧ୍ୟ କେହି ଫୋନ୍‌ ଧରିନଥିଲେ ବୋଲି ପୂର୍ବତନ ସରପଞ୍ଚ ଶ୍ରୀ ସାହୁ ଓ ମହିଳାମାନେ ଅଭିଯୋଗ କରନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ଥାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର