ଖରାରେ ସିଝୁଛି ଷ୍ଟିଲ୍‌ସିଟି: ପାରଦ ୪ଠଂ ଡେଇଁଲା, ବସ୍ତିରେ ଦେଖାଦେଖାଣି ଜଳସଙ୍କଟ

ଆର୍‌ଜିଏଚ୍‌ରେ ଖୋଲିଲା ଅଂଶୁଘାତ ୱାର୍ଡ

ରାଉରକେଲା: ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ହେଲାଣି ତାତି। ସକାଳ ୧୦ଟା ପରେ ଘରୁ ବାହାରି ହେଉନି। ଗତ ପାଞ୍ଚଦିନ ଧରି ସହରରେ ତାପମାତ୍ରା ଲଗାତାର ବଢ଼ିବାରେ ଲାଗିଛି। ଖରାରେ ସିଝୁଛି ଷ୍ଟିଲସିଟି। ଗୁରୁବାର ରାଉରକେଲା ତାପମାତ୍ରା ୪୦.୨ ଡିଗ୍ରି ଥିବା ପାଣିପାଗ ବିଭାଗ ରେକର୍ଡ କରିଛି। ଶୁକ୍ରବାର ବି ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତାତି ଯୋଗୁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦିନ ୧୨ଟା ପରେ ରାସ୍ତାରେ ଲୋକଙ୍କ ଏତେଟା ଗହଳିଚହଳି ଦେଖିବାକୁ ମିଳୁନି। ରାଜ୍ୟରେ ଅନେକ ଜିଲ୍ଲାର ଜିଲ୍ଲାପାଳ ତାତିକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଶ୍ରମିକମାନଙ୍କୁ ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ କାମ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଉରକେଲା ସହରରେ ଏଯାଏଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଯେତିକି ତାତି ବଢ଼ୁଛି, ସହରରେ ଥଣ୍ଡା ଖାଦ୍ୟ ଓ ପାନୀୟର ଚାହିଦା ସେତିକି ବଢ଼ୁଛି। ଆଖୁରସ, ପଇଡ଼ପାଣି, ସରବତ, ଲସି, ତରଭୁଜ ଓ ଜୁସ୍‌ ଆଦି ଦୋକାନରେ ଲୋକଙ୍କ ଭିଡ଼ ଜମୁଛି। ସେମିତି ତାତି ସାଙ୍ଗକୁ ଅନେକ ବସ୍ତିରେ ଦେଖାଦେଲାଣି ପାନୀୟ ଜଳ ସମସ୍ୟା। ଉଦିତନଗର ଶୀତଳପଡ଼ା ସମେତ ସହର ଉପାନ୍ତ ଅନେକ ବସ୍ତିରେ ପାନୀୟ ଜଳ ସମସ୍ୟା ଉତ୍କଟ ହେଲାଣି। ଟିମ୍ବରକଲୋନି, ଗୋପବନ୍ଧୁପାଲି, ଅମରନାଥବସ୍ତି ଆଦି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉପୁଜିଲାଣି। ଉଦିତନଗର ଶୀତଳପଡ଼ାରେ ପାଇପପାଣି ସଂଯୋଗ ହୋଇଛି। ଷ୍ଟାଣ୍ଡପୋଷ୍ଟ ମଧ୍ୟ ବସିଛି। ହେଲେ ଠିକ୍‌ ସମୟରେ ପାଣି ଆସୁନି। ଯେତିକି ପାଣି ଆସୁଛି, ତାହା ବସ୍ତିବାସିନ୍ଦାଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ସଦୃଶ। ବର୍ଷବର୍ଷ ଧରି ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଆଣ୍ଠେଇ ଥିବାରୁ ଅଧିକାଂଶ ବସ୍ତିଗୁଡ଼ିକକୁ ଏଯାଏଁ ପାଇପ ପାଣି ଆସିପାରିନି। ଫଳରେ ଅଧିକାଂଶ ବସ୍ତିବାସିନ୍ଦା ପାଣି ପାଇଁ ନଳକୂପ ଓ କୂଅରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ନିର୍ଦ୍ଧାରିତ ସମୟ ପୂର୍ବରୁ ବିହିତ ପଦକ୍ଷେପ ନ ନେଲେ ପରିସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ରହିଛି। ସେମିତି ଅଂଶୁଘାତର ମୁକାବିଲା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ସ୍ବତନ୍ତ୍ର ଅଂଶୁଘାତ ୱାର୍ଡ ଖୋଲାଯାଇଛି। ତ୍ବରିତ ଚିକିତ୍ସା ପାଇଁ ଡାକ୍ତରଖାନା ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର