ସାଉଥକୋ ବିଲ୍ କାଉଣ୍ଟରରୁ ୧୫ ଲକ୍ଷ ଚୋରି

ଜୟପୁର : ଜୟପୁର ଲାଲସାହି ସ୍ଥିତ ସାଉଥକୋ ଅନଲାଇନ ବିଲ୍ କଲେକ୍ସନ କେନ୍ଦ୍ରରୁ ଗତକାଲି ରାତିରେ ୧୫ଲକ୍ଷ ଟଙ୍କା ଚୋରି ହୋଇଛି। ଦୁର୍ବୃତ୍ତ ସଟର ଭାଙ୍ଗି ଟଙ୍କା ନେଇଥିବା ବେଳେ ଜମା କରିବାକୁ ରହିଥିବା ଡିମାଣ୍ଡ ଡ୍ରାଫ୍ଟ ଗୁଡ଼ିକ ତଳେ ଫିଙ୍ଗିଦେଇ ଯାଇଛନ୍ତି। ଚୋରି ଖବର ଶୁଣି ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଅପରପକ୍ଷରେ ଖବର ଲେଖାଯିବା ସୁଦ୍ଧା ସାଉଥକୋ ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଦିଆଯାଇ ନ ଥିବା ଜଣାପଡିଛି। ଏନେଇ ସାଉଥକୋ ବରିଷ୍ଠ ଅଧିକାରୀ ପ୍ରିୟଦର୍ଶୀ ବେହେରା କହିଛନ୍ତି ଯେ ସାଉଥକୋ ପକ୍ଷରୁ ଏକ୍ସିୟମ କମ୍ପ୍ୟୁଟରସ ନାମକ ଏକ ସଂସ୍ଥାକୁ ଉପଭୋକ୍ତାଙ୍କଠା ରୁ ବିଦ୍ୟୁତ ଦେୟ ଆଦାୟ ପାଇଁ ଠିକା ଦିଆଯାଇଥିଲା। କେଉଁ କାରଣରୁ ସେମାନେ ଏତେ ପରିମାଣରେ ଟଙ୍କା ରଖିଥିଲେ ଜାଣି ନଥିବା କହିଛନ୍ତି। ଯାହାବି ହେଉ ଗ୍ରାହକଙ୍କ ଠାରୁ ଆଦାୟ ଟଙ୍କା ଉକ୍ତ ସଂସ୍ଥା ସାଉଥକୋକୁ ଦେବ ବୋଲି କହିଛନ୍ତି। ଏନେଇ ଟାଉନ ଆଇଆଇସି ବେଲେଶ୍ବର ଗିଦ୍ଧି କହିଛନ୍ତି ଯେ କେନ୍ଦ୍ରରୁ ଚୋରି ହେବା ନେଇ ମୌଖିକ ଅଭିଯୋଗ ହୋଇଥିବା ବେଳେ କୌଣସି ଲିଖିତ ଦେଇ ନାହାନ୍ତି। ଲିଖିତ ଅଭି‌ଯୋଗ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର