‌‌ଷୋଡ଼ଶ ବିଧାନସଭାରେ ୬ ବିଧାୟକଙ୍କର ହେଲାଣି ପରଲୋକ

୨୦୨୦ରେ ୩ଜଣ, ୨୦୨୨ରେ ୨ଜଣ ବିଧାୟକଙ୍କ ଅକାଳ ବିୟୋଗ

ଭୁବନେଶ୍ବର : ‌୨୦୧୯ ସାଧାରଣ ନିର୍ବାଚନ ପରେ ଷୋଡ଼ଶ ବିଧାନସଭା ଗଠନ ହୋଇଛି। ହେଲେ ଏହା ରାଜ୍ୟ ରାଜନୀତି ପାଇଁ ଅଶୁଭ ପାଲଟିଛି। ନିର୍ବାଚନର ସାଢ଼େ ତିନି ବର୍ଷ ମଧ୍ୟରେ ଜଣ ଜଣ କରି ୬ଜଣ ବିଧାୟକଙ୍କର ପରଲୋକ ହୋଇଗଲାଣି। ଦକ୍ଷ ବିଧାୟକମାନଙ୍କର ପରଲୋକ ଓଡ଼ିଶା ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ବର୍ତ୍ତମାନ ସୁଦ୍ଧା ୪ଟି ଉପନିର୍ବାଚନ ହୋଇଥିବାବେଳେ ସବୁଥିରେ ବିଜେଡି ଏକତରଫା ବାଜିମାତ୍‌ କରିଛି। ଏପରିକି ବିଜେପି ଆସନକୁ ବି ଛଡ଼ାଇ ଆଣିଛି। ୨୦୧୯ ସାଧାରଣ ନିର୍ବାଚନ ପରେ ଆଗକୁ ଆଉ ଦୁଇଟି ଉପନିର୍ବା‌ଚନ (ବର୍ତ୍ତମାନ ସୁଦ୍ଧା) ହେବାକୁ ଯାଉଛି। ହେଲେ ଏଥିରେ ବିଜେପିର ଗଡ଼ ଧାମନଗର ଓ ବିଜେପିର ଦବ୍‌ଦବା ପଦ୍ମପୁରରେ ଥିବାରୁ ଏହି ଦୁଇଟି ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ କିଏ ଜିତିବ ତାହା ଉପରେ ସମସ୍ତଙ୍କ ନଜର। କାରଣ ଏହି ଦୁଇ ଉପନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ଉପରେ ପ୍ରଭାବ ପକାଇବ। ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ ବୋଲି ଘୋଷଣା ହେବା ପରେ ବିଭିନ୍ନ ରାଜନୈତିକ ଦଳଙ୍କର ଅଙ୍କ କଷା ଆରମ୍ଭ ହେଲାଣି।

 

୪ଟି ଉପନିର୍ବାଚନରେ ବିଜେଡି ଏକତରଫା ବାଜିମାତ

ଜୁନ୍‌ ୧୭, ୨୦୨୦ରେ ବାଲେଶ୍ବର ସଦରର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କର ୬୩ବର୍ଷ ବୟସରେ ଲିଭର୍‌ ଜନିତ ରୋଗ କାରଣରୁ ପରଲୋକ ହୋଇଥିବାବେଳେ ଏଠାରେ ହୋଇଥିବା ଉପନିର୍ବାଚନରେ ବିଜେଡିର ସ୍ବରୂପ କୁମାର ଦାସ ବିଜୟୀ ହୋଇଥିଲେ।

ଜୁଲାଇ ୬, ୨୦୨୦ରେ ଜଗତସିଂହପୁରର ବିଜେଡି ବିଧାୟକ ବିଷ୍ଣୁଚରଣ ଦାସଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ରେ ୬୬ବର୍ଷ ବୟସରେ ପରଲୋକ ହୋଇଥିବାବେଳେ ଏଠାରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁଅ ବିଜୟ ଶଙ୍କର ଦାସ ଏକତରଫା ବିଜୟ ହାସଲ କରିଥିଲେ।

ଅକ୍ଟୋବର ୪, ୨୦୨୦ରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ୬୬ବର୍ଷ ବୟସରେ ପରଲୋକ ହେବା ପରେ ଏଠାରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଥିଲେ।
ଡିସେମ୍ବର ୩୦, ୨୦୨୧‌େର ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କର ହୃଦ୍‌ଘାତ ଯୋଗୁଁ ୬୩ବର୍ଷ ବୟସରେ ପରଲୋକ ହେବା ପରେ ସେଠାରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ଅଳକା ମହାନ୍ତି ବିଜୟୀ ହୋଇଥିଲେ।

ଚଳିତବର୍ଷ ସେପ୍ଟେମ୍ବର ୧୯ରେ ଧାମନଗରର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କର କିଡ୍‌ନି ଜନିତ ରୋଗ ଯୋଗୁଁ ୬୧ବର୍ଷ ବୟସରେ ପରଲୋକ ହୋଇଥିବାବେଳେ ଏଠାରେ ନଭେମ୍ବର ୩ରେ ଉପନିର୍ବାଚନ ହେବ। ଏଠାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେଲେ ବିଜୟୀ ହେବେ ସେନେଇ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ଆଜି ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଅସୁସ୍ଥତା ଯୋଗୁଁ ପରଲୋକ ହେବା ପରେ ଏଠାରେ ପୁଣି ଉପନିର୍ବାଚନ ହେବ। ପଦ୍ମପୁର ବିଧାନସଭା ଆସନ ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତର ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯିବା ପରେ ଏଠାରେ ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। କିନ୍ତୁ ହଠାତ୍ ଯେପରି ଧାମନଗର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଲା ତାହା ବିଭିନ୍ନ ରାଜନୈତିକ ଦଳକୁ ଆଗୁଆ ପଦ୍ମପୁର କଥା ଚିନ୍ତା କରିବାକୁ ଖୋରାକ୍ ଯୋଗାଇଛି।

ସମ୍ବନ୍ଧିତ ଖବର