ମାଲକାନଗିରିରୁ ପୁରୀକୁ ଗଡିଲା ଶ୍ରୀଜଗନ୍ନାଥ ସ୍ଲିପର କୋଚ୍‌

ମାଲକାନଗିରି: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ତଥା ଜିଲ୍ଲାର ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର ଦେଖିବାକୁ ମିଳିଛି। ମାଲକାନାଗିରି ଠାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଆରାମଦାୟକ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଭଲଭୋ ସ୍ଲିପର ବସ ସେବା ଆରମ୍ଭ ହୋଇଛି। ଯାତ୍ରୀ ପରିବହନ କ୍ଷେତ୍ରରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପ ନେଉଥିବା ବେଳେ ମାଲକାନଗିରି ଜିଲ୍ଲାକୁ ଗମନାଗମନର ସୁବିଧା ହେଉଛି। କିଛି ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲାରୁ ପୁରୀକୁ ଏକ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବା ଆରମ୍ଭ କରିଥିବା ବେଳେ ଏବେ ସମ୍ପୂର୍ଣ୍ଣ ସ୍ଲିପର ବସ୍ ବ୍ୟବସ୍ଥା କରିଛନ୍ତି।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଇଚ୍ଛା ରଖୁଛନ୍ତି। ତେଣୁ ସେମାନେ ଆରାମଦାୟକ ଭାବେ ଯେପରି ନିଜ ଅଞ୍ଚଳରୁ ପୁରୀକୁ ଯାଇପାରିବେ ସେ ନେଇ ସରକାର ଗୁରୁତ୍ବ ପ୍ରଦାନ କରୁଛନ୍ତି। ଲୋକେ ଠାକୁରଙ୍କୁ ଦର୍ଶନ କରିବାର ସୁବିଧା ହେବା ସହିତ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ। ଏହି ବସଟି ମାଲକାନଗିରିରୁ ମାଥିଲି, ବୈପାରୀଗୁଡା, ଜୟପୁର, କୋରାପୁଟ, ସେମିଳିଗୁଡା, ଲକ୍ଷ୍ମୀପୁର, ରାୟଗଡା, ରାମନାଗୁଡା, ମୋହନା, ଦିଗପହଣ୍ଡି, ବ୍ରହ୍ମପୁର, ଛତ୍ରପୁର, ଖୋର୍ଦ୍ଧା, ଭୁବନେଶ୍ବର, ମାଳତିପାଟପୁର ଦେଇ ପୁରୀରେ ପହଞ୍ଚିବ।

ମାଲକାନଗିରି ବସଷ୍ଟାଣ୍ଡରୁ ସନ୍ଧ୍ୟା ୬ଟାରେ ବାହରି ପରଦିନ ସକାଳ ୭ଟା ୫୦ ମିନିଟରେ ପୁରୀରେ ପହଞ୍ଚିବ। ସେହିପରି ପୁରୀରୁ ସନ୍ଧ୍ୟା ୬ଟାରେ ବାହାରି ପରଦିନ ସକାଳ ୭ଟା ୫୦ ମିନିଟରେ ମାଲକାନଗିରିରେ ପହଞ୍ଚିବ।ଏହି ବସଟି ସମ୍ପୂର୍ଣ୍ଣ ସ୍ଲିପର କୋଚ ହୋଇଥିବା ବେଳେ ଏଥିରେ ୪୨ଟି ସ୍ଲିପର ରହିଛି। ସେଣ୍ଟ୍ରାଲ ଏସି ସହିତ ଦୁଇଟି ଟିଭି, କ୍ୟାମେରା, ମୋବାଇଲ ଚାର୍ଜର, ପାଣି ଓ ବ୍ୟାଗ ରଖିବା ପାଇଁ ମଧ୍ୟ ସୁବିଧା ରହିଛି। ଏଥିସହ ଯାତ୍ରୀମାନେ ନିଜ ସିଟରେ ଶୋଇବା ସହ ବସିବା ପାଇଁ ମଧ୍ୟ ଆରାମଦାୟକ ରହିଛି। ଏହିଭଳି ଭାବରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସେବା ଆଦି ଉପଲବ୍ଧ ରହିଛି।ଏହି ବସ ଶୁଭାରମ୍ଭ ବେଳେ ମାଲକାନଗିରି ଓସଆରଟିସି (ଲକ୍ଷ୍ମୀ ବସ) ଜିଲ୍ଲା ପରିଚାଳକ ବିଭୁ ପ୍ରସାଦ ତ୍ରିପାଠୀ ଓ ଓଏସଆରଟିସି ଏଟିଏମ୍ ଆରୋସୀ ସାହୁଙ୍କ ସମେତ ଓଏସଆରଟିସି କର୍ମଚାରୀମାନେ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର