ଘୁମୁସର ଉଦୟଗିରିକୁ ରାଜସ୍ୱ ଉପଖଣ୍ଡ ଘୋଷଣା ଦାବିରେ ଆଜି ୨୪ଘଣ୍ଟିଆ ବନ୍ଦ ଡାକରା

ଘୁ.ଉଦୟଗିରି: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେଉଁ ମୁହୂର୍ତ୍ତରେ ନିର୍ବାଚନ କମିସନର ନିର୍ବାଚନ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣବିଧି ଲାଗୁ କରିବାକୁ ଥିବା ବେଳେ ଘୁ.ଉଦୟଗିରିକୁ ରାଜସ୍ୱ ଉପଖଣ୍ଡ ଘୋଷଣା ଦାବିରେ ଶୁକ୍ରବାର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଶନିବାର ଦିନ ଏହି ବନ୍ଦ ପାଳନ କରାଯିବ। ଘୁ.ଉଦୟଗିରି ଉପଖଣ୍ଡ ଦାବି ହେଉଛି ଦୀର୍ଘ ବର୍ଷର। ଦୀର୍ଘ ବର୍ଷର ଏହି ଦାବିକୁ ରାଜ୍ୟ ସରକାର ଅଣଦେଖା କରିବାରେ ଲାଗିଛନ୍ତି। ଏହାର ପ୍ରତିବାଦ ସ୍ୱରୂପ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ମୁଣ୍ଡ ଟେକିଛି।

ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହ ଠାରେ ଘୁ.ଉଦୟଗିରି ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସ୍ଥାନୀୟ ଅଞ୍ଚଳର ୨୫ରୁ ଊର୍ଦ୍ଧ୍ୱ ସଂଘ ଏବଂ ସଂଗଠନ ଯୋଗ ଦେଇ ନିଜ ନିଜ ମତବ୍ୟକ୍ତ କରିବା ସହ ଦାବି ପୂରଣ ନିମନ୍ତେ ୨୪ଘଣ୍ଟା ବନ୍ଦ ଡାକରା ଦେଇଥିଲେ। ପ୍ରେସ କ୍ଳବ, କଳିଙ୍ଗା ଯୁବକ ସଂଘ, ଭୀମ ଆର୍ମି,ଓକିଲ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ଅଟୋ ଚାଳକ ସଂଘ, ମଟର ଚାଳକ ସଙ୍ଘ,ଡ୍ରାଇଭର ସଂଘ ସମେତ ବହୁ ଅନୁଷ୍ଠାନ ର କର୍ମକର୍ତା ଯୋଗଦେଇ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରିବା ସହ ନ୍ୟାର୍ଜ୍ୟ ଦାବି ହାସଲ ନିମନ୍ତେ ଶାନ୍ତିପୂର୍ଣ ଆନ୍ଦୋଳନ କରିବାକୁ ସମସ୍ତେ ଏକମତ ହୋଇଥିଲେ। ବନ୍ଦ ଡାକରା ସହ ଏକ ବିଶାଳ ରାଲି ସାରା ଅଞ୍ଚଳ ବୁଲିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ତହସିଲଦାର ଏବଂ ବିଡ଼ିଓଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର