ଜୀରାରୁ ମାଟି ଚୋରି ଘଟଣା: ଲକ୍ଷେ ଫାଇନ୍‌ରେ ଚୁପ୍‌

ବରଗଡ଼ : ବରଗଡ଼ର ଜୀବନ ଧାରା କୁହାଯାଉଥିବା ଜୀରା ନଦୀରୁ ମାଟି ଚୋରି ଘଟଣାକୁ କ୍ରମଶଃ ଚାପି ଦେବାକୁ ଉଦ୍ୟମ ହେଉଛି। ଜୀରା ଗର୍ଭରେ ଗଭୀର ଗର୍ତ ହୋଇଥିଲେ ହେଁ ଏହା ସେଭଳି ପଡ଼ି ରହିଛି। ଗୋଟିଏ ହିସାବରେ କହିବାକୁ ଗଲେ ଏହି ଘଟଣା ଉପରେ ଘଣ୍ଟ ଘୋଡ଼ା ଯାଉଛି କହିଲେ ଚଳେ। ତହସିଲ୍‌ କାର୍ଯ୍ୟାଳୟର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ମାଟି ଚୋରି କରିଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଦେଖାନାହିଁ। ବରଂ ପୂର୍ବରୁ ଲକ୍ଷେ ଟଙ୍କା ଫାଇନ୍‌ ଅସୁଲି କରି ଅଧିକାରୀମାନେ ଚୁପ୍‌ ହୋଇ ବସିଛନ୍ତି। ହେଲେ ଏହି ଘଟଣା ନେଇ ଗୁଡ଼ାଏ ପ୍ରଶ୍ନର ଉତ୍ତର ଏଯାଏଁ ରହସ୍ୟ ଘେରରେ ରହିଛି।

ପ୍ରଥମ ହେଲା, ଜୀରା ନଦୀରୁ ମାଟି ଖୋଳିବାକୁ ଅନୁମତି ଦେଲା କିଏ? ନଦୀରୁ ଶହଶହ ଟନ୍‌ ମାଟି ଖୋଳିବା ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ନିୟମ ଅନୁସାରେ ଏକ ଅପରାଧ। ନଦୀର ଗତିପଥ ବଦଳାଇଲା ଭଳି ମାଟି ଖୋଳା ଏବଂ କୂଳ କଟା ହୋଇଥିଲେ ହେଁ ତହସିଲ୍‌ କାର୍ଯ୍ୟାଳୟ ପୂର୍ବରୁ ଅନୁଧ୍ୟାନ କଲାନି କାହିଁକି? ଦ୍ବିତୀୟ କଥା ହେଲା, ଅନୁମତି ପତ୍ରରେ ବାଲି ଉତ୍ତୋଳନ ହେବ ନା ମାଟି, ତାହା ଉଲ୍ଲେଖ ଥିଲା କି? ଯଦି ମାଟି ଖୋଳାଯିବ ବୋଲି ଦର୍ଶାଯାଇଥିଲା, ତେବେ ତହସିଲ ଅଫିସ୍‌ରୁ କିଭଳି ଅନୁମତି ମିଳିଲା? ଆବେଦନ ବେଳେ କେଉଁ ଉଦ୍ଦେଶ୍ୟରେ ମାଟି କିମ୍ବା ବାଲି ଖୋଳାଯିବ, ତାହା ଉଲ୍ଲେଖ ରହିଥିଲା କି? ଏଭଳି ନାନାଦି ପ୍ରଶ୍ନ ଉବେ ଉଙ୍କି ମାରୁଛି। ଏନେଇ ଅତିରିକ୍ତ ତହସିଲଦାର ଅନୁରାଗ ମିଶ୍ରଙ୍କୁ ଯୋଗାଯୋଗ କରାଯିବାରୁ ସେ ଫୋନ୍‌ ଉଠାଇନଥିଲେ। ତେବେ ଏସବୁ ପ୍ରଶ୍ନ ଉପରୁ ସୂଚନା ଅଧିକାର ଆଇନ୍‌ ପରଦା ଉଠାଇବ। ପୂର୍ବରୁ ଏହି ମାମଲାରେ ଲକ୍ଷେ ଟଙ୍କା ଫାଇନ୍‌ ଆଦାୟ ହୋଇଥିଲା। କିନ୍ତୁ ନଦୀରୁ କୋଟିଏ ଟଙ୍କାର ମାଟି ଉଠାଯାଇଥିବାବେଳେ ମାତ୍ର ଲକ୍ଷେ ଟଙ୍କା ଫାଇନ୍‌ କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର