ନିୟନ୍ତ୍ରଣ ହରାଇ ଘର ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌; ଅଳ୍ପକେ ବର୍ତ୍ତିଗଲେ ଏକାଧିକ ଶିଶୁ

ନିଶାସକ୍ତ ଟ୍ରକ୍‌ ଚାଳକକୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା  ବୈଶିଙ୍ଗା ଥାନା ଅଧୀନ ୧୮ନଂ ନମ୍ବର ଜାତୀୟ ରାଜପଥର ଆଗ୍ରିଆ ଛକରେ ଦୁର୍ଘଟଣା ଘଟିଛି। ଦ୍ରୁତଗାମୀ ଟ୍ରକ୍‌ ନିୟନ୍ତ୍ରଣ ହରାଇ ଘର ଉପରେ ଚଢ଼ିଯାଇଛି। ସୌଭାଗ୍ୟର କଥା ଯେ, ଏହି ଅଘଟଣରୁ ଏକାଧିକ ଶିଶୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତେବେ ସ୍ଥାନୀୟ ଉତ୍ତେଜିତ ଲୋକେ ଟ୍ରକ୍‌ ଚାଳକଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି।

ସୂଚନା ଅନୁଯାଇ ରୁପ୍ସା ଅଞ୍ଚଳରୁ ସିମେଣ୍ଟ ବୋଝେଇ କରି ଯାଇ ଦାନ୍ତିଆମୁହାଁରେ ଅନଲୋଡ଼ କରି ଫେରିବାବେଳେ ଟ୍ରକ୍‌ଟି ଆଗ୍ରିଆଛକ ଡାଇଭର୍ସନ ନିକଟରେ ନିୟନ୍ତ୍ରଣ ହରାଇଥିଲା। ହଠାତ ରାସ୍ତାପାର୍ଶ୍ୱରେ ଥିବା ସ୍ବର୍ଗତ ଶାନ୍ତିଲାଲ ଦେହୁରୀଙ୍କ ସ୍ତ୍ରୀ ଗେହ୍ଲାମଣି ଓ ଶଶଧର ରଣାଙ୍କର ୨ଟି ଘର ଉପରେ ଚଢ଼ି ଯାଇଥିଲା। ସେହି ସମୟରେ ଉକ୍ତ ଘର ତାଙ୍କ ପରିବାର ଲୋକଙ୍କ ସମେତ ବାରଣ୍ଡାରେ ତାଙ୍କ ପିଲାଙ୍କ ସମେତ ସାହିପୋଡ଼ିଶାର ଏକାଧିକ ପିଲା ଖେଳୁଥିଲେ। ହେଲେ ସୌଭାଗ୍ୟବଶତଃ ଟ୍ରକଟି ଅଧା ଚଢ଼ିଯିବାପରେ ଅଟକି ରହିଯାଇଥିଲା, ଯେଉଁଥିପାଇଁ ଏକାଧିକ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା।

ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଏକତ୍ରିତ ହୋଇ ମଦୁଆ ଟ୍ରକ ଚାଳକକୁ ଅଟକ ରଖିଥିଲେ ଓ ନିର୍ଦ୍ଧୁମ ଛେଚିଥିଲେ। ଟ୍ରକ୍‌ଟି ଅଧାରାସ୍ତା ଉପରେ ଥିବା ଯୋଗୁଁ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଟ୍ରକ ମାଲିକ ରୁପ୍ସା ଅଞ୍ଚଳର ଜିତେନ୍ଦ୍ର ପଣ୍ଡା ହୋଇଥିବାବେଳେ ଚାଳକ ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ଗ୍ରାମର ପର୍ଶୁରାମ ମହାନ୍ତିଙ୍କ ୩୬ବର୍ଷୀୟ ପୁଅ ତାପସ। ଟ୍ରକ୍‌ ଚାଳକ ତାପସ ଉକ୍ତ ସମୟରେ ଏତେ ନିଶାରେ ଥିଲା ଯେ ନିଜ ଗୋଡ଼ରେ ଠିକ ସେ ଛିଡା ହୋଇ ବି ପାରୁନଥିଲା। ଥାନା ଅଧିକାରୀ ତପନ ପ୍ରଧାନ ତୁରନ୍ତ ଘଟଣାସ୍ଥଳରେ ପହଁଛି ଚାଳକକୁ ଉଦ୍ଧାର କରିବା ସହିତ ଟ୍ରକକୁ ଦୁର୍ଘଟଣା ସ୍ଥଳରୁ ଅପସାରଣ କରିଥିଲେ ଓ ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ କରାଇଥିଲେ।

ସମ୍ବନ୍ଧିତ ଖବର