କଟକକୁ ଶ୍ରୀହୀନ ପାଇଁ ରାତିଅଧିଆ ନିଷ୍ପତ୍ତି! ଉଠିଯିବ ରାଜ୍ୟର ପ୍ରଥମ ଫିଲାଟେଲିକ ବ୍ୟୁରୋ

କଟକ ଓ ସମ୍ବଲପୁର ବ୍ୟୁରୋ ଭୁବନେଶ୍ବର ସହିତ ମିଶିବ

କଟକ : ରାଜ୍ୟର ପ୍ରଥମ ତଥା ଐତିହାସିକ ଫିଲାଟେଲିକ ବ୍ୟୁରୋ କଟକରୁ ଉଠିଯିବ। ଏହି ବ୍ୟୁରୋକୁ ଭୁବନେଶ୍ବରରେ ଥିବା ସର୍କଲ ମୁଖ୍ୟ କାର୍ଯ୍ୟାଳୟସ୍ଥିତ ବ୍ୟୁରୋ ସହିତ ମିଶାଇ ଦିଆଯିବ। କେବଳ କଟକ ନୁହେଁ, ଗତ ଜାନୁଆରିରେ ସମ୍ବଲପୁରରେ ଖୋଲିଥିବା ନୂଆ ବ୍ୟୁରୋକୁ ମଧ୍ୟ ଭୁବନେଶ୍ବର ସହିତ ଯୋଡ଼ି ଦିଆଯିବ। ୧୨ ତାରିଖଠାରୁ କଟକ ଓ ସମ୍ବଲପୁର ବ୍ୟୁରୋର କାମ ବନ୍ଦ କରି ଦେବାକୁ ଗତ ୮ ତାରିଖରେ ଡାକ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଓଡ଼ିଶାର ଦୁଇଟି ବ୍ୟୁରୋ ସହିତ ଦେଶରେ ୧୫ଟି ରାଜ୍ୟର ମୋଟ ୩୧ଟି ବ୍ୟୁରୋକୁ ୧୨ ତାରିଖଠୁ ବନ୍ଦ କରିଦିଆଯିବ। କିନ୍ତୁ ତରବରିଆ ଭାବେ ୮ ତାରିଖରେ ଚିଠି କରାଯାଇ ଦୁଇ ଦିନ ଭିତରେ ବ୍ୟୁରୋ ବନ୍ଦ କରାଯିବା କାରଣ ଏବେ ବି ଅସ୍ପଷ୍ଟ ରହିଛି। ୮ତାରିଖରେ ଚିଠି ହୋଇଥିଲା ବେଳେ ୯ ତାରିଖରେ ଏହା ବ୍ୟୁରୋର ହସ୍ତଗତ ହୋଇଛି। ଶନିବାର ଶେଷ କାର୍ଯ୍ୟଦିବସ ଥିବାରୁ ଏହାର ପ୍ରତିବାଦ କରିବାକୁ କିମ୍ବା କାରଣ ବୁଝିବାକୁ କାହା ପାଖରେ ସମୟ ନାହିଁ। ଯାହାଫଳରେ କଟକରୁ ଗୋଟିଏ ପରେ ଗୋଟିଏ ସରକାରୀ କାର୍ଯ୍ୟାଳୟ ଉଠିଯାଉଥିବାରୁ ଏବେ କେନ୍ଦ୍ର ସରକାରଙ୍କ ନଜର ମଧ୍ୟ ଏହି ଐତିହାସିକ ସହର ଉପରେ ପଡ଼ିଲାଣି। ତେଣୁ କଟକକୁ ଶ୍ରୀହିନ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି।

ସ୍ବାଧୀନତା ପରେ ୧୯୪୮ ମସିହା ଅଗଷ୍ଟ ୧୫ ତାରିଖରେ କଟକ ବକ୍ସିବଜାରସ୍ଥିତ ପୋଷ୍ଟ ଅଫିସଠାରେ ଏକ ଚାଳଘରେ ଫିଲାଟେଲିକ ବ୍ୟୁରୋ ଖୋଲାଯାଇଥିଲା। କଟକ ବ୍ୟତୀତ ଏକ ସମୟରେ କଲିକତା, ଲକ୍ଷ୍ନୌ, ମାଡ୍ରାସ, ନାଗପୁର, ନୂଆଦିଲ୍ଲୀ, ପାଟନା, ସିମ୍‌ଲା, ସିଲଙ୍ଗଠାରେ ଫିଲାଟେଲିକ ବ୍ୟୁରୋ ଖୋଲାଯାଇଥିଲା। ବିଭନ୍ନ ସମୟରେ ଡାକ ବିଭାଗ ପକ୍ଷରୁ ଜାରି ହେଉଥିବା ଡାକ ଟିକଟଗୁଡ଼ିକ ଏହି ବ୍ୟୁରୋଗୁଡ଼ିକରେ ଉପଲବ୍ଧ ହେଉଥିଲା। ଏଥିସହିତ ବିଭିନ୍ନ ସ୍ମାରକୀ ଡାକଟିକଟ ଏହି ବ୍ୟୁରୋଗୁଡ଼ିକରେ ତିଆରି ହେଉଥିଲା। ଏସବୁ ସ୍ଥାନରେ ଟିକଟ ବିକ୍ରି କରାଯାଉଥିବା ବେଳେ ଡାକଟିକଟ ପ୍ରଦର୍ଶନୀ ମଧ୍ୟ ହୋଇଆସୁଥିଲା। କଟକ ବ୍ୟୁରୋ ଉପରେ କାର୍ଯ୍ୟଭାର ଅଧିକ ରହୁଥିବାରୁ ଭୁବନେଶ୍ବରସ୍ଥିତ ସର୍କଲ ମୁଖ୍ୟାଳୟଠାରେ ୨୦୦୧, ଅକ୍ଟୋବର ୯ ତାରିଖରେ ରାଜ୍ୟର ଦ୍ବିତୀୟ ଫିଲାଟେଲିକ ବ୍ୟୁରୋ ଆରମ୍ଭ ହୋଇଥିଲା। ଏହି ଦୁଇ ବ୍ୟୁରୋଠାରୁ ବିଭିନ୍ନ ପୋଷ୍ଟାଲ ମୁଖ୍ୟାଳୟ କାଉଣ୍ଟରମାନଙ୍କୁ ଡାକଟିକଟ ବିକ୍ରି ପାଇଁ ପଠାଯାଉଥିଲା। ଏଥିସହିତ ଅନେକ ଡାକ ଟିକଟ ସ˚ଗ୍ରାହକ ଏହି ବ୍ୟୁରୋଗୁଡ଼ିକ ଉପରେ ନିର୍ଭର କରୁଥିଲେ। ଏପରିକି କଟକରେ ସ˚ଗ୍ରାହକଙ୍କ ସ˚ଖ୍ୟା ଅଧିକ ଥିବାରୁ ଏଠାରେ ଓଡ଼ିଶା ଫିଲାଟେଲିକ ସ˚ଘ ମଧ୍ୟ ଗଠନ କରାଯାଇଥିଲା। ଚଳିତ ବର୍ଷ ଜାନୁଆରି ୧୬ ତାରିଖରେ ସମ୍ବଲପୁରଠାରେ ରାଜ୍ୟର ତୃତୀୟ ଫିଲାଟେଲିକ ବ୍ୟୁରୋ ଖୋଲାଯାଇଥିଲା।

ପ୍ରଥମରୁ କଟକ ବ୍ୟୁରୋ ରାଜ୍ୟର ସମସ୍ତ ପୋଷ୍ଟାଲ ମୁଖ୍ୟାଳୟମାନଙ୍କୁ ଡାକଟିକଟ ପଠାଉଥିଲା। କିନ୍ତୁ ଭୁବନେଶ୍ବର ବ୍ୟୁରୋ ଖୋଲିବା ପରଠୁ ୧୯ ଟି ମୁଖ୍ୟାଳୟକୁ ଓ ସମ୍ବଲପୁର ବ୍ୟୁରୋ ଖୋଲିବା ପରେ ୧୦ଟି ମୁଖ୍ୟାଳୟକୁ କଟକ ବ୍ୟୁରୋରୁ ଡାକଟିକଟ ପ୍ରେରଣ ହେଉଛି। କିନ୍ତୁ ଏବେ ସାରା ରାଜ୍ୟକୁ କେବଳ ଭୁବନେଶ୍ବରରୁ ଡାକଟିକଟ ଯିବା ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ କଟକ ବ୍ୟୁରୋକୁ ଐତିହାସିକ ମାନ୍ୟତା ଦେବାକୁ ଯାଇ ୨୦୧୯ ଜୁନ୍‌ ୨୫ ତାରିଖରେ ଏହାର ନବୀକରଣ ବ୍ୟୁରୋକୁ ତତ୍କାଳୀନ ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ ସନ୍ତୋଷ କୁମାର କାମିଲା ଉଦ୍‌ଘାଟନ କରିଥିଲେ। ଏଥିପାଇଁ ୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ନିୟମିତ ଭାବେ ଏଠାରେ ଡାକଟିକଟ ପ୍ରଦର୍ଶନୀ, ଆଲୋଚନାଚକ୍ର ଇତ୍ୟାଦି ହୋଇଆସୁଥିଲା। ଏପରିକି କଟକ ବ୍ୟୁରୋରେ ଏକ ଡାକଟିକଟ ସ˚ଗ୍ରାହଳୟ ଖୋଲିବାକୁ ଡାକ ବିଭାଗକୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଛି। ଡାକ ବିଭାଗର ଏଭଳି ରାତିଅଧିଆ ତରବରିଆ କାମକୁ ନେଇ ଓଡ଼ିଶା ଫିଲାଟେଲିକ ସ˚ଘର ସଦସ୍ୟମାନେ ଆଶ୍ଚର୍ଯ୍ୟପ୍ରକଟ କରିବା ସହ ଏହାର ପ୍ରତିବାଦ କରିଛନ୍ତି। ଖୁବ୍‌ଶୀଘ୍ର ସା˚ସଦ ଓ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଫିଲାଟେଲିକ ସ˚ଘ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର