୨୦୨୪ ଅକ୍ଟୋବର ପୂର୍ବରୁ ସରିବ ତାଳଚେର ସାର କାରଖାନା କାମ, ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଶନିବାର ଦିନ ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱପ୍ନ ଦେଖିଥିବା ୫ଟି ୟୁରିଆ ପ୍ଲାଣ୍ଟରୁ ୪ଟି ଉତ୍ପାଦନକ୍ଷମ ହୋଇଗଲାଣି। ତାଳଚେର ପ୍ଲାଣ୍ଟର ନିର୍ମାଣକାର୍ଯ୍ୟ ମଧ୍ୟ ଖୁବ୍‌ ଶୀଘ୍ର ଶେଷ ହେବ। ଆମ ଦେଶ ପାଖରେ ନିଜସ୍ୱ ଏନର୍ଜି ଚାହିଦା ପୂରଣ କରିବାର କ୍ଷମତା ରହିଛି। କିନ୍ତୁ ଏନର୍ଜି (କୋଇଲା)କୁ ଗ୍ୟାସ୍‌ରେ ଏବଂ ଗ୍ୟାସ୍‌କୁ ରୂପାନ୍ତରିତ କରିବା ପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ। କୋଇଲାରୁ ଗ୍ୟାସ୍‌, ଗ୍ୟାସରୁ ୟୁରିଆ ଉତ୍ପାଦନ କରି କୃଷକଙ୍କ ଆବଶ୍ୟକତାକୁ ପୂରଣ କରାଯିବ। ୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ ପ୍ରକାଶ କରିଥିଲେ।

ସେହିଭଳି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଭାରତର ପ୍ରଥମ କୋଇଲା ଗ୍ୟାସ୍‌ ଆଧାରିତ ତାଳଚେର ସାର କାରଖାନା ୟୁରିଆ ସାର ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବ। ୨୦୧୮ ମସିହାରେ ଆରମ୍ଭ ହୋଇଥିବା ୧୭,୦୦୦ କୋଟି ଟଙ୍କାର ନିର୍ମାଣାଧୀନ ଦେଶର ପ୍ରଥମ କୋଇଲା ବାଷ୍ପୀକରଣ ଟେକ୍ନୋଲୋଜି ଆଧାରିତ ତାଳଚେର ସାର କାରଖାନାରୁ ୟୁରିଆ ଉତ୍ପାଦନ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବ। ପରିବେଶ ସମସ୍ୟାକୁ ଦୃଷ୍ଟିରେ ରଖି ସେହି କୋଇଲାକୁ ଅନ୍ୟ କେଉଁ ଉପାୟରେ ଉପଯୋଗ କରାଯିବ, ସେ ନେଇ ତର୍ଜମା ଚାଲିଛି।  ଏହି ପ୍ରକଳ୍ପ ଖୁବ ଶୀଘ୍ର ଶେଷହେବା ନେଇ ଅପେକ୍ଷା ରଖାଯାଇଛି। ସ୍ଥାନୀୟ ଅର୍ଥନୀତି, ରୋଜଗାର, ବ୍ୟବସାୟିକ ବାତାବରଣ ତିଆରି କରିବାରେ ଏହି ପ୍ରକଳ୍ପର ବହୁତ ବଡ଼ ଯୋଗଦାନ ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର