ଯୋଗିସର୍ଡା ପେକ୍ସରେ ଅନିୟମିତତା ଅଭିଯୋଗ, ନକଲି ଭାଗଚାଷୀ ସାଜିଥିବା ଡିଇଓ ବହିଷ୍କୃତ

ଲୋଇସିଂହା: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ଯୋଗୀସର୍ଡା ‌ପେକ୍ସରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭି‌ଯୋଗ ହୋଇଛି। ନକଲି ଭାଗଚାଷୀ ସାଜି ପଞ୍ଜୀକରଣ କରିଥିବା ଅଭି‌ଯୋଗରେ ଏହି ପେକ୍ସର ଡାଟାଏଣ୍ଟ୍ରି ଅପରେଟର (ଡିଇଓ) ଚନ୍ଦ୍ରକାନ୍ତ ମିଶ୍ର ବହିଷ୍କୃତ ହୋଇଛନ୍ତି।

ଅଭି‌ଯୋଗ ଅନୁସାରେ, ଡିଇଓ ଭାବେ ଉକ୍ତ ପେକ୍ସରେ କାମ କରୁଥିବା ଚନ୍ଦ୍ରକାନ୍ତ ନିଜେ ଭାଗଚାଷୀ ସାଜିଥିଲେ। ଅନ୍ୟ ଚାଷୀଙ୍କ ଜମିରେ ଚାଷ କରୁଥିବା ଦର୍ଶାଇ ସେ ନିଜ ନାମରେ ଭାଗଚାଷୀ କାର୍ଡ କରିଥିଲେ। ସେ ସେହି କାର୍ଡରେ ଧାନ ବେପାରୀଙ୍କ ସହ ମିଶି ବେଆଇନ ଭାବେ ଧାନ ବିକ୍ରି କରୁଥିବା ସୂଚନା ମଳିଥିଲା। ଯେଉଁ ଅସଲ ଚାଷୀଙ୍କ ଜମିକୁ ପଞ୍ଜୀକରଣ ସମୟରେ ଦର୍ଶାଇଥିଲେ ସେହି ଚାଷୀଙ୍କ କମ୍ ପରିମାଣରେ ଧାନ ବିକିବାକୁ ଟୋକନ ଆସିଥିଲା। ଯାହାକୁ ନେଇ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଅଭିଯୋଗ କରିଥିଲେ।

ବଲାଙ୍ଗୀର ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ଟିମ୍‌ ଆସି ପେକ୍ସ ସଂପାଦକ ଘନଶ୍ୟାମ ପୁଟା, ସଭାପତି ହୃଦାନନ୍ଦ ବେହେରା, ଅଭିଯୁକ୍ତ ଡିଇଓ ଶ୍ରୀ ମିଶ୍ରଙ୍କ ଉପସ୍ଥିତିରେ ତଦନ୍ତ କରିଥିଲେ। ତଦନ୍ତରେ ଡିଇଓ ଏହି ଜାଲିଆତିରେ ସଂପୃକ୍ତ ଥିବା ସ୍ପ‌ଷ୍ଟ ହୋଇଥିଲା। ଫଳରେ ତାଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ଗତ ସପ୍ତାହରେ ଭାଲିଆମୁଣ୍ଡାଠାରେ ବେଆଇନ ଭାବେ ବିକ୍ରି ପାଇଁ ଗଚ୍ଛିତ ଥିବା ୪୩୯ ବସ୍ତା ଧାନ ଜବତ ହୋଇଥିଲା। ଉକ୍ତ ଧାନର ମାଲିକ ସେହି ପେକ୍ସର ନିର୍ଦ୍ଦେଶକ ଥିବା ଚର୍ଚ୍ଚା ହେଉଥିଲା। ଉକ୍ତ ପେକ୍ସରେ ଏଭଳି ବେଆଇନ କାରବାରରେ ଏକ ଗୋ‌ଷ୍ଠୀର ହାତ ରହିଥିବା ସନ୍ଦେହ ପ୍ରକାଶ ପାଇଛି। ବରି‌ଷ୍ଠ ଅଧିକାରୀମାନଙ୍କ ଦ୍ବାରା ଉପଯୁକ୍ତ ତଦନ୍ତ କରାଗଲେ ଅସଲ କଥା ପଦାକୁ ଆସିପାରନ୍ତା ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର