ତୁରନ୍ତ ନିର୍ବାଚନ କରିବାକୁ ଦାବି

ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘର ସାଧାରଣ ଅଧିବେଶନ

ଭୁବନେଶ୍ୱର : ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘର ସାଧାରଣ ଅଧିବେଶନ ଆଜି କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଛି। ଶିକ୍ଷକଙ୍କ ସମସ୍ୟା ଏବଂ ସଂଘର ଉଦାସୀନତା ନେଇ ଆଲୋଚନା କରାଯାଇଛି। ପୂର୍ବତନ ସଭାପତି ସଞ୍ଜୟ ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ବିଦାୟୀ ସହ-ସମ୍ପାଦକ ଅଜୟ ତ୍ରିପାଠୀ, କାର୍ଯ୍ୟକାରୀ କମିଟି ସଭ୍ୟ ସୂର୍ଯ୍ୟକାନ୍ତ ସ୍ୱାଇଁ, ପୂର୍ବତନ ସଭାପତି ଅମିୟ ମହାନ୍ତି, ସମ୍ପାଦକ ମାନସ କୁମାର ବେହେରାଙ୍କ ସମେତ ୩୦୦ରୁ ଊର୍ଧ୍ୱ ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ଥିଲେ। ୨୦୧୪ରେ ନିର୍ବାଚିତ କାର୍ଯ୍ୟକାରୀ କମିଟିର ସମୟସୀମା ୨୦୧୬ ଡିସେମ୍ବରରୁ ଶେଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ।

ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ଅନୁଯାୟୀ, ଗୃହ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଜଣାଇ ଆସନ୍ତା ୧୫ ଦିନରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନିମନ୍ତେ ପଦକ୍ଷେପ ନିଆଯିବ। ଏଥିସହ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ସରକାରଙ୍କ ନିକଟରେ ଶିକ୍ଷକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ୧୭ ଜଣିଆ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। ମାନସ ବେହେରାଙ୍କୁ କମିଟିର ଆବାହକ ଭାବେ ମନୋନୀତ କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଗୃହ ବିଭାଗରୁ ନିର୍ଦ୍ଦେଶ ଆସିବାରେ ବିଳମ୍ବ ହେଲେ କ୍ରିୟାନୁଷ୍ଠାନ କମିଟି ନିର୍ବାଚନ କମିସନ ଗଠନ ପୂର୍ବକ ନିର୍ବାଚନ ବିଜ୍ଞପ୍ତି ଜାରି କରିବା ନିମନ୍ତେ ଏହି କ୍ରିୟାନୁଷ୍ଠାନ କମିଟିକୁ କ୍ଷମତା ଦିଆଗଲା। କ୍ରିୟାନୁଷ୍ଠାନ କମିଟି ସରକାରଙ୍କ ସହ ୫ ଦଫା ଦାବି ଉପରେ ଆଲୋଚନା କରିବ।

ସମସ୍ତ କନିଷ୍ଠ ଅଧ୍ୟାପକ/ଅଧ୍ୟାପିକାଙ୍କୁ ୟୁଜିସି ବେତନ ହାର ପ୍ରଦାନ, ୨୦୧୨ରେ ୟୁଜିସି ବେତନ ହାରରେ ଅବସ୍ଥାପିତ କନିଷ୍ଠ ଅଧ୍ୟାପକଙ୍କ ଚାକିରି କାଳକୁ ଗଣନା କରିବା ପାଇଁ ପଦୋନ୍ନତି, ୨୦୧୬ ବେତନ କମିସନର ସମସ୍ତ ଭୁଲ୍‌ ତ୍ରୁଟି ସଂଶୋଧନ କରି ସପ୍ତମ ବେତନ କମିସନରେ ଲାଗୁ କରିବ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଚାକିରି କାଳକୁ ଗ୍ରହଣ କରି ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକାଙ୍କୁ ପଦୋନ୍ନତି, ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ସମସ୍ତ ପ୍ରଶାସନିକ ପଦବିରେ ଶିକ୍ଷାବିତ୍‌ଙ୍କୁ ଅବସ୍ଥାପନ ନେଇ ଆଲୋଚନା କରିବେ। ଅଧିବେଶନରେ ଅମିୟ ମହାନ୍ତି, ଦୁର୍ଗା ଷଡ଼ଙ୍ଗୀ, ମିହିର ସେଠୀ, ମଧୁ ମିଶ୍ର, ଚିତ୍ତ ଶତପଥୀ, ସୂର୍ଯ୍ୟ ସ୍ୱାଇଁ, ନୂତନ ମହନ୍ତି, ବିଶ୍ୱଜିତ ପ୍ରଧାନ, ଅନୁପମା ବରାଳ, ସୁପ୍ରଭା ବିଶୋଇ, ସୁନୀଲ ଜେନା, ମାନସ ଶତପଥୀ, ଅଶୋକ ନାୟକ, ପ୍ରଶାନ୍ତ ପରିଡ଼ା, ଗୋପାଳ ଆଚାର୍ଯ୍ୟ, ସୁବ୍ରତ ରଣା, ଅକ୍ଷୟ ସାହୁ, ପ୍ରଦୀପ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଅଜୟ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର