ବର୍ଷା ଋତୁକୁ ଦଖଲ କଲା ଗ୍ରୀଷ୍ମ : ଆଉ ୫ ଦିନ ତାତିରୁ ନିସ୍ତାର ନାହିଁ, ଅଧା ରାଜ୍ୟରେ ଅଗ୍ନି ବର୍ଷା, ଗୁଳୁଗୁଳି ଅସହ୍ୟ
ଭୁବନେଶ୍ୱର : ରାଜ୍ୟର ଅଧାରୁ ଅଧିକ ସ୍ଥାନରେ ଆଜି ପ୍ରବଳ ତାତି ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଗ୍ନି ବର୍ଷା ହେବା ଭଳି ଖରା ହୋଇଥିଲା। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ୪୮ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ ସୂଚନା ଜାରି କରିଥିବାବେଳେ ପାଣିପାଗ ବିଜ୍ଞାନୀମାନଙ୍କ ଆକଳନ କିନ୍ତୁ ବିଚଳିତ କଲାଭଳି। ପୂର୍ବାନୁମାନ କହୁଛି, ପାଞ୍ଚ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ପଶ୍ଚିମ ଓ କେନ୍ଦ୍ର ଓଡ଼ିଶାରେ ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିପାରେ। ନିରୁଦ୍ଦିଷ୍ଟ ମୌସୁମୀ ଫେରି ବର୍ଷା କରାଇବାକୁ ବେଳ ଜୁନ୍ ମାସ ଶେଷ ହୋଇଯାଇପାରେ। କେବଳ ସେତିକି ନୁହେଁ, ୮୦ରୁ ୧୦୦ ମିଲିମିଟର ବର୍ଷା ନ ହେବା ଯାଏ ଢିପ, ମଧ୍ୟମ ତଥା ଅଣ-ଜଳସେଚିତ ଜମିରେ ଧାନ ବୁଣା କାମ ଆରମ୍ଭ ନ କରିବା ଲାଗି ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସତର୍କ କରାଇ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏପଟେ ଆଜି ରାଜ୍ୟର ୭ଟି ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ଥିଲା। ଜୁନ୍ ମାସ ଅଧାରେ ଏପରି ତାତି ରାଜ୍ୟବାସୀଙ୍କୁ ଡରାଇ ଦେଇଛି। ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୩ ଡିଗ୍ରି ରେକର୍ଡ ହୋଇଛି। ହଠାତ୍ ଦିନକରେ ୨.୧ ଡିଗ୍ରି ତାତି ବଢ଼ିଯିବାରୁ ରାଜଧାନୀବାସୀ ପୂରା ଅସ୍ତବ୍ୟସ୍ତ ହୋଇଯାଇଛନ୍ତି।
ଆଜି ପୂର୍ବାହ୍ନ ୧୦ଟାରୁ ରାଜଧାନୀରେ ସୂର୍ଯ୍ୟ ଦେବତାଙ୍କ କୋପ ପଡ଼ିଥିଲା। ଉପରୁ ନିଆଁ ଝୁଲା ଖସିବା ଭଳି ରାସ୍ତାରେ ଯାତାୟତ କରୁଥିବା ଲୋକ ଅନୁଭବ କରିଥିଲେ।
ରବିବାର ଯୋଗୁଁ ରାଜଧାନୀ ରାସ୍ତା ଯଦିଓ ଫାଙ୍କା ଥିଲା କିନ୍ତୁ ଅଗ୍ନିବର୍ଷା ରୂପୀ ଖରା ଲୋକଙ୍କୁ ରାଜଧାନୀରେ କୌଣସି ସ୍ଥାନରେ କିଛି ସମୟ ଛିଡ଼ା ହେବାକୁ ଦେଇନଥିଲା। କିଏ ମୁହଁରେ ଓଢ଼ଣୀ ବାନ୍ଧି, ରୁମାଲ ବାନ୍ଧି ଯାଉଥିଲେ ତ କିଏ ଛତା ଧରି। ସମସ୍ତେ କିନ୍ତୁ ତ୍ରାହି ତ୍ରାହି ଡାକୁଥିଲେ।
କେବଳ ରାଜଧାନୀରେ ନୁହେଁ କଟକ, ଚାନ୍ଦବାଲି, ଅନୁଗୁଳ, ବାରିପଦା, ଭବାନୀପାଟଣା, ସୋନପୁର, ଢେଙ୍କାନାଳ, ବାଲେଶ୍ୱର, ସମ୍ବଲପୁର, ଝାରସୁଗୁଡ଼ା ପ୍ରଭୃତି ସ୍ଥାନରେ ଆଜି ଲୋକ ତାତି ପ୍ରକୋପରେ ତ୍ରାହି ତ୍ରାହି ଡାକିଛନ୍ତି।
ଗତ ତିନି ଦିନ ହେଲା ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଲୋକ ଅସହ୍ୟ ଖରାରେ ସିଝି ଗଲେଣି। ଯେମିତିକୁ ବର୍ଷା ଋତୁକୁ ପୁଣି ଥରେ ଗ୍ରୀଷ୍ମ ଦଖଲ କରି ନେଇଛି। ଘରୁ ବାହାରକୁ ପାଦ କାଢ଼ିଲେ ଦେହହାତ ସିଝି ଗଲା ଭଳି ଲାଗୁଛି। ଗୁଳୁଗୁଳି ସ୍ଥିତି ଜନଜୀବନ ଅସ୍ତବ୍ୟସ୍ତ କରିଦେଲାଣି।
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଉତ୍ତର ପଶ୍ଚିମ ଦିଗରୁ ତତଲା ପବନ ବହୁଥିବାରୁ ତାତି ଅଧିକ ଅନୁଭୂତ ହେଉଛି। ଏବେ ସମୁଦ୍ର ଦିଗରୁ ପବନ ବହିବା କମିଯାଇଛି। ଯେଉଁଥିପାଇଁ ଉପକୂଳ ଓଡ଼ିଶା ରାଜ୍ୟର ଅନ୍ୟ ଅଂଶ ତୁଳନାରେ ଅଧିକ ଉତ୍ତପ୍ତ ହୋଇଯାଇଛି। ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ପାଗ ବଦଳିବାର ସମ୍ଭାବନା କ୍ଷୀଣ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅତିରିକ୍ତ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପାଞ୍ଚରୁ ଛଅ ଦିନ ମଧ୍ୟରେ ମୌସୁମୀ ଆଉଥରେ ସକ୍ରିୟ ହୋଇପାରେ। ତେବେ ଓଡ଼ିଶା ଓ ପୂର୍ବ ଭାରତରେ ଜୁନ୍ ୨୩ ବା ୨୪ ତାରିଖ ବେଳକୁ ଭଲ ବର୍ଷା ହୋଇପାରେ। ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ତଥା ଦକ୍ଷିଣଭାଗର ଅନ୍ୟାନ୍ୟ ଅଞ୍ଚଳରେ ୨୬ ବେଳକୁ ବର୍ଷା ଆରମ୍ଭ ହେବ।
ଏପଟେ କୃଷି ପାଣିପାଗ ବିଜ୍ଞାନୀ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ ସ୍ଥିତି କେତେ ଗମ୍ଭୀର ହେଲାଣି, ତାହା ସୂଚାଇ ଦେଉଛି। ଡ. ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଲାଗି ରହିବ। ୨୦ ତାରିଖ ପରେ ରାଜଧାନୀ ସମେତ ଉପକୂଳବର୍ତୀ ଅଞ୍ଚଳରେ ତାପମାତ୍ରା ସାମାନ୍ୟ କମିପାରେ। ଏପରିକି କିଛି ସ୍ଥାନରେ ତାତି ୪୦ ଡିଗ୍ରି ତଳକୁ ଖସିବା ସମ୍ଭାବନା ରହିଛି। ମାତ୍ର ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶା ସ୍ଥିତି ଗମ୍ଭୀର ରହିବ ଓ ତାତି ଯିବ। ସଂପ୍ରତି ପଶ୍ଚିମା ବାୟୁ ରାଜସ୍ଥାନରୁ ଉତ୍ତର ପ୍ରଦେଶ, ବିହାର ଆଦି ଦେଇ ଓଡ଼ିଶାରେ ପ୍ରବେଶ କରୁଛି। ସ୍ଥିତି ଅଧିକ ଜଟିଳ ହେଉଛି, କାରଣ ଏବେ ସୂର୍ଯ୍ୟ ଓଡ଼ିଶା ଉପରେ ଅଛନ୍ତି। ୨୩ ତାରିଖ ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହେବ। ବାୟୁ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାକୁ ଆସିବ। ଏହାଫଳରେ ରାଜ୍ୟରେ କେତେକ ସ୍ଥାନରେ ହାଲ୍କା ବା ସ୍ୱଳ୍ପ ବର୍ଷା ହୋଇପାରେ।
ଡ. ପଶୁପାଳକଙ୍କ କହିବା କଥା ହେଉଛି, ୨୫ ତାରିଖ ବେଳକୁ ଦିଲ୍ଲୀ, ବିହାର, ଝାଡଖଣ୍ଡ ତାପମାତ୍ରା ଆହୁରି ବଢିବ। ଏହା ମୌସୁମୀକୁ ଫେରାଇ ଆଣିବା ଲାଗି କ୍ଷେତ୍ର ପ୍ରସ୍ତୁତ କରିପାରେ। ଏକ ଟର୍ଫ ଲାଇନ୍ ବା ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାଫଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଟାଣି ହୋଇ ଆସିବ। ଏହା ଦୁର୍ବଳ ହେଲେ ମଧ୍ୟ ବର୍ଷା ସୁଯୋଗ ସୃଷ୍ଟି କରିବ। ତେବେ ସେହି ସମୟରେ ଉତ୍ତର ବଙ୍ଗୋପସାଗର ବା ସଂଲଗ୍ନ ଅଞ୍ଚଳରେ ଅର୍ଥାତ୍ ପଶ୍ଚିମ ଓଡ଼ିଶା, ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ମାସ ଶେଷ ବେଳକୁ ବର୍ଷା ହେବ।
ମୌସୁମୀ ପାଖାପାଖି ଦୁଇ ସପ୍ତାହ ପର୍ଯ୍ୟନ୍ତ ନିଷ୍କ୍ରିୟ ରହିଯିବା କାରଣରୁ ଚାଷ ଉପରେ ଏହାର ଗଭୀର ପ୍ରଭାବ ପଡିବ। ଓୟୁଏଟି ପକ୍ଷରୁ ଏ ନେଇ ଚାଷୀଙ୍କୁ ଆଗୁଆ ସତର୍କ ସୂଚନା ଦିଆଯାଇଛି। କୁଳପତି କହିଛନ୍ତି, ଚାଷୀମାନେ ତରତର ହୋଇ ନ ବୁଣି ୮୦ରୁ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ଯାଏ ଅପେକ୍ଷା କରିବାକୁ ହେବ। ସ୍ୱଳ୍ପ ମିଆଦି ଧାନ ବିହନ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।
ଉଲ୍ଲେଖଯୋଗ୍ୟ, ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଚାନ୍ଦବାଲିରେ ୪୦ ଡିଗ୍ରି, କଟକରେ ୪୦.୨, ଅନୁଗୁଳରେ ୪୧.୩, ବାରିପଦାରେ ୪୦.୪, ଭବାନିପାଟଣାରେ ୪୦.୨, ବଲାଙ୍ଗୀରରେ ୪୦.୬ ଡିଗ୍ରି ସର୍ବାଧିକ ତାପମାତ୍ରା ଥିଲା। ଆଜି କୌଣସି ସ୍ଥାନରେ ବର୍ଷା ହୋଇନଥିଲେ ହେଁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, କେନ୍ଦୁଝରର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହେବାର ସମ୍ଭାବନା ଅଛି। ହେଲେ ଏହି ସମୟରେ ବର୍ଷା କମ୍ ପବନ ଅଧିକ ହେବ।