ଡମପଡ଼ା-ଚନ୍ଦକା ପାହାଡ଼ ଜଳୁଛି: ବହୁ ମୂଲ୍ୟବାନ ଗଛ ଜଳୁଛି, ବିପଦରେ ବନ୍ୟଜନ୍ତୁ

ବାଙ୍କୀ/ଡମପଡ଼ା: ଡମପଡ଼ା-ଚନ୍ଦକା ଅଭୟାରଣ୍ୟର ପାର୍ଶ୍ବବର୍ତ୍ତୀ ପାହାଡ଼ ଗୁଡ଼ିକରେ ଆଜି ନିଆଁ ଲାଗିଛି। ଅପରାହ୍ନରେ ଚନ୍ଦକା ବନ ବିଭାଗ ଅଧୀନ କଇଁମୁଣ୍ଡି ଜଙ୍ଗଲର ପାହାଡ଼ ଉପରେ ନିଆଁ ଲାଗି ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପୀ ଯାଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇ ଥିଲେ ବି ସଫଳ ହୋଇପାରିନାହିଁ। ନିଆଁ ଜଙ୍ଗଲ ଭିତରକୁ ମାଡ଼ିବାରେ ଲାଗିଛି। ନିଆଁରେ ଜଙ୍ଗଲରେ ଥିବା କାଜୁ ଓ ମୂଲ୍ୟବାନ ଗଛ ଖୁବ୍ ଜୋରରେ ଜଳୁଥିବା ବେଳେ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଅନ୍ୟପଟେ ଡମପଡ଼ା-ଚନ୍ଦକା ଅଭୟାରଣ୍ୟ ନିକଟ ଦେଉଳିଆ ବାଘରାଖୋଲ ଜଙ୍ଗଲକୁ ନିଆଁ ବ୍ୟାପୀ ଯାଇଥିବା ସୂଚନା ମିଳିଛି। ହସ୍ତୀ ଅଭୟାରଣ୍ୟ ଭାବେ ପରିଗଣିତ ଏହି ସଂରକ୍ଷିତ ଜଙ୍ଗଲରେ ବାରମ୍ବାର ନିଆଁ ଲାଗି ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଲାଗି ରହୁଥିବାରୁ ପରିବେଶବିତ୍‌ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଜି ଅପରାହ୍ନ ପ୍ରାୟ ୧ଟାରେ ଏକକାଳୀନ ଭଗୀପୁର, କଇଁମୁଣ୍ଡି, ଚାରିଘରିଆ ଆଦି ଗ୍ରାମ ନିକଟ ପାହାଡ଼ ଓ ଜଙ୍ଗଲ ସମେତ କାଉଚି ଆଶ୍ରମ ରାସ୍ତାପାର୍ଶ୍ବରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ରୌଦ୍ରତାପଜନିତ ଶୁଷ୍କ ବାତାବରଣ ଯୋଗୁଁ ଚାହୁଁଚାହୁଁ ନିଆଁ ବ୍ୟାପକ ରୂପ ଧାରଣ କରିଥିଲା। ଖବର ପାଇ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା କଇଁମୁଣ୍ଡି ନିକଟ ଜଙ୍ଗଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଅଗ୍ନିର ପ୍ରକୋପ ବୃଦ୍ଧି ପାଉଥିବାରୁ ବାଙ୍କୀ, ଡମପଡ଼ା, ଆଠଗଡ଼ ଓ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି କାର୍ଯ୍ୟରେ ୪ଟି ଦମକଳ ଗାଡ଼ି ସମେତ ୩୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅଗ୍ନିଶମ କର୍ମଚାରୀମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ କଟର ମେସିନ ସହାୟତାରେ ଜଙ୍ଗଲ ରାସ୍ତା ସଫା କରି ଅଗ୍ନିନିର୍ବାପନ ଉଦ୍ୟମ ଜାରି ରଖିଛନ୍ତି। ନିଆଁ ଯୋଗୁଁ ବିଷାକ୍ତ ସରୀସୃପ କିମ୍ବା ବନ୍ୟଜନ୍ତୁ ବାହାରକୁ ଆସିବାର ଆଶଙ୍କା ଥିବାରୁ ଜଙ୍ଗଲ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗା ଯାଇଛି। ହେଲେ, ସଂଧ୍ୟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରି ନ ଥିବାରୁ ମୟୁର, ହରିଣ, ବାରହାଙ୍କ ସମେତ ବିଲୁପ୍ତ ହେବାକୁ ବସିଥିବା ବହୁ ସରୀସୃପ ଓ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି।

ସମ୍ବନ୍ଧିତ ଖବର