ସାହିତ୍ୟିକା କିରଣବାଳା ରଥଙ୍କ ପରଲୋକ

ସମ୍ବଲପୁର: ସାହିତ୍ୟିକା, ସୁବକ୍ତା ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷା ଡ. କିରଣବାଳା ରଥଙ୍କ ଶୁକ୍ରବାର ଭୁବନେଶ୍ବର ନନ୍ଦନ ବିହାରସ୍ଥିତ ବାସଭବନରେ ୭୨ ବର୍ଷ ବୟସରେ ପରଲୋକ ହୋଇଛି। ଶେଷଶଯ୍ୟା ନିକଟରେ ଝିଅ ସ୍ବୟଂପ୍ରଭା ରଥ ଓ ଜାମାତା ଆଶୁତୋଷ ରଥ ଉପସ୍ଥିତ ଥିଲେ। କିରଣବାଳା ହେଉଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ କବି ଡ. ଗୋପାଳକୃଷ୍ଣ ରଥଙ୍କ ପତ୍ନୀ। ‌୧୯୫୦ ମସିହା ଜୁଲାଇ ୧୫ ତାରିଖ ସେ ବାପା ଅନନ୍ତ ଚରଣ ମିଶ୍ର ଓ ମାତା ଶୈଳବାଳା ଦେବୀଙ୍କ ଓୗରସରୁ ଜନ୍ମଗ୍ରହଣ କରିଥିଲେ। ଶୈଳବାଳା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିବା କିରଣବାଳା ଦେବଗଡ଼ କଲେଜ, ଝାରସୁଗୁଡ଼ା ଲକ୍ଷ୍ମୀନାରାୟଣ କଲେଜରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଅଧ୍ୟାପନା କରିଥିବାବେଳେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ସୂରଜମଲ କଲେଜ, ବୁର୍ଲା ଏନ୍‌ଏସି କଲେଜ ଓ ହୀରାକୁଦ ଏନ୍‌ଏସି କଲେଜରେ ଅଧ୍ୟାପନା ସହିତ ଅଧ୍ୟକ୍ଷ ଦାୟିତ୍ବ ସୁଚାରୁ ରୂପେ ତୁଳାଇଥିଲେ। ଏହା ସହିତ ସେ ବିଶ୍ବବିଦ୍ୟାଳୟ ସ୍ତରରେ ବୋର୍ଡ ଅଫ ଷ୍ଟଡିଜ୍ ସଦସ୍ୟା ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପଦବିରେ ରହି ଦାୟିତ୍ବ ନିର୍ବାହ କରିଥିଲେ।

ପିଲାଦିନରୁ ସାହିତ୍ୟ ଓ ଅଧ୍ୟାତ୍ମିକ ପ୍ରତି ତାଙ୍କର ଯଥେଷ୍ଟ ରୁଚି ରହିଥିଲା। ତାଙ୍କର ଦୁଇଟି ଉପନ୍ୟାସ-‘ଶେଷ ମୂର୍ଚ୍ଛନାର ସ୍ବରଲିପି’ ଓ ‘ଅସ୍ଥିର ଆକାଶ’ ରହିଛି। ଏଥି ସହିତ ତାଙ୍କର ଅନେକ ପ୍ରବନ୍ଧ, ଆଲୋଚନା, ଗଳ୍ପ ଓ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି। ଏକାଧିକ ଅପ୍ରକାଶିତ ନାଟକ ଓ ଏକାଙ୍କିକା ମଧ୍ୟ ଅଛି। ପରବର୍ତ୍ତୀ ସମୟରେ ତାଙ୍କ ସଂପାଦନାରେ ‘ପୁଣ୍ୟ‌‌ଶ୍ଳୋକ ଗୋପାଳକୃଷ୍ଣ’, ‘ଗୋପାଳକୃଷ୍ଣ କବିତା ସମଗ୍ର’ ଏବଂ ତାଙ୍କ ଗୁରୁଦେବଙ୍କ ଜୀବନୀ ସମ୍ବଳିତ ପୁସ୍ତକ ‘ସଦ୍‌ଗୁରୁ ଚେତନାନନ୍ଦ’ ପ୍ରକାଶ ପାଇଛି। ଆକାଶବାଣୀ ଓ ଦୂରଦର୍ଶନରେ ସେ ୧୪ ବର୍ଷ ଧରି ରଥଯାତ୍ରା ଧାରା ବିବରଣୀ ଦେଇଆସୁଥିଲେ। ବିଭିନ୍ନ ଅଧ୍ୟାତ୍ମିକ ଚ୍ୟାନେଲରେ ଆଲୋଚନା ଏବଂ ଧର୍ମସଭାରେ ନିଜର ମୂଲ୍ୟବାନ ବକ୍ତବ୍ୟ ଉପସ୍ଥାପନ କରୁଥିଲେ।

କିରଣବାଳା ଅଧ୍ୟକ୍ଷ ପଦରୁ ସେବାନିବୃତ୍ତ ପରେ ସଦ୍‌ଗୁରୁ ସ୍ବାମୀ ନିଗମାନନ୍ଦ ସରସ୍ବତୀଙ୍କ ଧାରାରେ ସ୍ବାମୀ ଚେତନାନନ୍ଦ ସରସ୍ବତୀଙ୍କ ଠାରୁ ସ୍ବାମୀ ଡ. ଗୋପାଳକୃଷ୍ଣଙ୍କ ସହ ସନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ସାରସ୍ବତ ଓ ଆଧ୍ୟାତ୍ମିକ ଜଗତରେ ଶୂନ୍ୟତା ସୃଷ୍ଟି ହୋଇଥିବା ଦର୍ଶାଇ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ପ୍ରକାଶଥାଉ କି, ପୂର୍ବରୁ କିରଣବାଳାଙ୍କ ୩ ପୁଅଙ୍କ ଅକାଳ ବିୟୋଗ ହୋଇଥିବାବେଳେ କିଛି ବର୍ଷ ତଳେ ସ୍ବାମୀ ଡ.ଗୋପାଳକୃଷ୍ଣ ରଥଙ୍କ ମଧ୍ୟ ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର