ପୁରୀରେ ପୁଣି ବିଗୁଡ଼ୁଛି କରୋନା ସ୍ଥିତି, ବାହାର ରାଜ୍ୟର ୧୧ ପର୍ଯ୍ୟଟକ ପଜିଟିଭ୍‌

ସ୍ବାସ୍ଥ୍ୟ ବିଭାଗ ନିରବ, ଆଗକୁ ଅସମ୍ଭାଳ ହୋଇପାରେ ସ୍ଥିତି

ପୁରୀ: ପୁରୀ ସହରକୁ ଆସୁଥିବା ବାହାର ରାଜ୍ୟର ପର୍ଯ୍ୟଟକ କରୋନା ସଂକ୍ରମିତ। କିଛିଦିନ ତଳେ ୬ ଜଣ ପର୍ଯ୍ୟଟକଙ୍କ ଠାରୁ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ଗତକାଲି ପୁଣି ୫ ଜଣ ବାହାର ରାଜ୍ୟର ପର୍ଯ୍ୟଟକ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଛନ୍ତି। ଫଳରେ, କରୋନା ସଂକ୍ରମଣରୁ କିଛିଦିନ ହେବ ଉଦ୍ଧାର ପାଇଛି କି ନାହିଁ, ପୁଣିଥରେ ସଂକ୍ରମଣ ମୁହାଁ ହୋଇଛି ପୁରୀ ସହର। ଅମାନିଆ ଘରୋଇ ଡାକ୍ତରଖାନା ଓ ସ୍ବାସ୍ଥ୍ୟ ବିଭାଗର ନିରବତା ଆଜି ପୁଣିଥରେ ସହରକୁ ସଂକ୍ରମଣ ମୁହଁକୁ ଠେଲି ଦେଇଛି।

ମାର୍ଚରେ ଯେତେବେ‌ଳେ କରୋନା ମହାମାରୀକୁ ନେଇ ଆତଙ୍କ ଦେଖା ଦେଇଥିଲା, ସେ ସମୟରେ ପିପିଲିର ଜନୈକ ବ୍ୟକ୍ତି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେ ସମୟରେ ପୁରୀ ଜିଲ୍ଲାବାସୀଙ୍କ ମନରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ବିଦେଶୀ ରୋଗ ଆସି ପୁରୀରେ ପହଞ୍ଚିବା ଲୋକଙ୍କୁ ଭୟଭୀତ କରିଥିଲା। ପରେ ଏହି ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଲା। ପୁରୀ ପୌରାଞ୍ଚଳରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଲେ। ଅଗଷ୍ଟ ‌ଓ ସେପ୍ଟେମ୍ବରରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏତେ ବଢ଼ି ଯାଇଥିଲା ଯେ ସାରାରାଜ୍ୟରେ ପୁରୀ ତୃତୀୟ ସ୍ଥାନରେ ରହିଥିଲା। ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ଚିନ୍ତାଜନକ ବିଷୟ ହୋଇଥିଲା। ଯେହେତୁ ପୁରୀ ପୌରାଞ୍ଚଳର ଆକ୍ରାନ୍ତ ସଂଖ୍ୟା କ୍ରମାଗତ ସର୍ବାଧିକ ରହିଲା, ସେହି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଘରକୁ ଘର ବୁଲି ଥର୍ମାଲ୍‌ ସ୍କାନିଂ ଓ ସର୍ଭେ କରିଥିଲା। ଶେଷରେ କରୋନା ଭୂତାଣୁ ନିୟନ୍ତ୍ରଣକୁ ଆସିଛି। ଯେଉଁଠି ପୁରୀ ସହରରେ ଦୈନିକ ଶହେରୁ ୨ ଶହ ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ସେଠି ଏବେ ଗୋଟିଏ କି ଦୁଇଟି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅଧିକାଂଶ ଦିନ ସଂକ୍ରମଣ ସଂଖ୍ୟା ଶୂନ ରହୁଛି। ଏବେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି। ଏଥିପାଇଁ କୋଭିଡ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ସହରର ସଂକ୍ରମଣ ଯେହେତୁ ନିୟନ୍ତ୍ରଣାଧୀନ ରହିଛି, ସେହି ଦୃଷ୍ଟିରୁ ପୁରୀ ଜିଲ୍ଲାରେ ବାହାର ଭକ୍ତଙ୍କ କୋଭିଡ୍‌ ଟେଷ୍ଟ ଉପରେ ପ୍ରଶାସନ କଟକଣା ଲଗାଇଛି। ବାହାର ଭକ୍ତ ପୁରୀ ଜିଲ୍ଲାରେ କୋଭିଡ୍‌ ଟେଷ୍ଟ କରିପାରିବେନି ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ସ୍ପଷ୍ଟ କରିଛନ୍ତି। ଏଥିପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାହାର ଭକ୍ତଙ୍କ କୋଭିଡ୍‌ ଟେଷ୍ଟ ବନ୍ଦ କରି ଦିଆଯାଇଛି। କିନ୍ତୁ ଜିଲ୍ଲା ଭିତରେ ଥିବା ଘରୋଇ ଡାକ୍ତରଖାନା ଉପରେ ପ୍ରଶାସନ ଲଗାମ କଷୁନି। ପରିଣାମ ସ୍ବରୂପ ଘରୋଇ ଡାକ୍ତରଖାନାଗୁଡ଼ିକରେ କୋଭିଡ୍‌ ଟେଷ୍ଟ ପାଇଁ ଏବେ ଲମ୍ବାଧାଡ଼ି ଲାଗୁଛି। ପୁରୀ ସହର ଭିତରେ ଥିବା ଘରୋଇ ଡାକ୍ତରଖାନାର ଅବସ୍ଥା ବି ସମାନ। ଏଠାରେ ନା ସାମାଜିକ ଦୂରତା ରକ୍ଷା କରାଯାଉଛି ନା ମାସ୍କ କଟକଣା। ଯାହା ସଂକ୍ରମଣର ଅନୁକୂଳ ପରିବେଶ ସୃଷ୍ଟି କରିଛି। ଅନେକ ବି ଏହା ଦ୍ବାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। କାରଣ ବାହାର ଜିଲ୍ଲା ଲୋକଙ୍କୁ ଜିଲ୍ଲା ଭିତରେ କୋଭିଡ୍‌ ଟେଷ୍ଟ କରିବା ନେଇ କଟକଣା ଲାଗିବା ପୂର୍ବରୁ ଯେତେବେଳେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ପର୍ଯ୍ୟଟକ କୋଭିଡ୍‌ ଟେଷ୍ଟ କରିଥିଲେ, ସେଥିରୁ ୬ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ବିହାରର ୩ ଜଣ, ଝାଡ଼ଖଣ୍ଡର ୨ ଜଣ ଓ ଉତ୍ତରପ୍ରଦେଶର ଜଣେ ପର୍ଯ୍ୟଟକ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗତକାଲି ପୁରୀ ସହରର ଏକ ଘରୋଇ ଡାକ୍ତରଖାନାରେ ଟେଷ୍ଟ ପରେ ୫ ଜଣ ପର୍ଯ୍ୟଟକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ସଂକ୍ରମଣର ଭୟଙ୍କର ସ୍ଥିତିକୁ ପ୍ରମାଣିତ କରୁଛି। ଯଦି ଆଗକୁ ବାହାର ପର୍ଯ୍ୟଟକଙ୍କ ଟେଷ୍ଟ କଟକଣାକୁ କଡ଼ାକଡ଼ି କରା ନ ଯାଏ, ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବା ଆଶଙ୍କା ଦେଖାଦେଇଛି। ସେପଟେ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ନିରବ ରହିବା ସଂକ୍ରମଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ ବି ସେ କଥାକୁ ହାଲୁକା ଭାବେ ନେବା ସ୍ବାସ୍ଥ୍ୟ ବିଭାଗ ଏଥି ପ୍ରତି କେତେ ସତର୍କ ତାହା ସ୍ପଷ୍ଟ ଜଣାପଡ଼ୁଛି। କାରଣ ଜିଲ୍ଲାପାଳଙ୍କ ଆଦେଶ କାର୍ଯ୍ୟକାରୀ କରିବାରେ ସ୍ବାସ୍ଥ୍ୟ ବିଭାଗ ଜାଣିଶୁଣି ଯେ ଅବହେଳା କରୁଛି, ଏହା ଜଳଜଳ ହୋଇ ଦିଶୁଛି।

ସମ୍ବନ୍ଧିତ ଖବର