ତଡ଼ା ଖାଇଲେ ଶିକ୍ଷୟିତ୍ରୀ, ୧୮ ବର୍ଷ ଧରି ଜାଲ୍ ପ୍ରମାଣପତ୍ର ଦେଇ କରୁଥିଲେ ଚାକିରି

ଯୁଯୁମୁରା : ନକଲି ମାଟ୍ରିକ୍‌ ପ୍ରମାଣପତ୍ର ଦେଇ ୨୦୦୫ ମସିହାରୁ ସରକାରୀ ସ୍କୁଲ୍‌ରେ ପାଠ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀ ଚାକିରିରୁ ବିଦା ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଜୟନ୍ତପୁର ପଞ୍ଚାୟତ ପଥରଗଡ଼ା ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀଭାବେ କାର୍ଯ୍ୟରତ ଜ୍ୟୋତ୍ସ୍ନାମୟୀ ଭୋଇଙ୍କୁ ବ୍ଲକ୍‌ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଆଦେଶ ନମ୍ବର ୧୬/୦୩.୦୧.୨୦୨୩ରେ ବରଖାସ୍ତ କରାଯାଇଛି। ଆଦେଶରେ ଦର୍ଶାଯାଇଛି ଯେ ଶ୍ରୀମତୀ ଭୋଇ ୨୦୦୫ ଜାନୁଆରି ପହିଲାରେ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ (ଏସ୍‌ଏସ୍‌ଏସ୍‌)ଭାବେ ଯୁଯୁମୁରା ବ୍ଲକ୍‌ର ଡଙ୍ଗରପଡ଼ା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ ଓ ସେହି ମାସ ୩ ତାରିଖରୁ କାର୍ଯ୍ୟରେ ଯୋଗ ଦେଇଥିଲେ। ୬ ବର୍ଷ ଚୁକ୍ତିଭିତ୍ତିକ ଶିକ୍ଷକଭାବେ କାର୍ଯ୍ୟ କରିବା ପରେ ୧୧ ଫେବ୍ରୁଆରି ୨୦୧୧ରୁ ନିୟମିତ ପ୍ରାଥମିକ ଶିକ୍ଷକ (ଲେଭେଲ୍-ଭି)ଭାବେ ସ୍ଥାୟୀ ସରକାରୀ ଚାକିରି ପାଇଥିଲେ ଓ ପଥରଗଡ଼ା ବିଦ୍ୟାଳୟରେ ଯୋଗ ଦେଇଥିଲେ। ସେଠାରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ମାଟ୍ରିକ୍ ସାର୍ଟିଫିକେଟ୍‌ ନକଲି ଥିବା ନେଇ ଅଭିଯୋଗ ହୋଇଥିଲା।

ଏ‌ ନେଇ ‘ସମ୍ବାଦ’ରେ ମଧ୍ୟ ଏକାଧିକ ବାର ଖବର ପ୍ରକାଶିତ ହୋଇଥିଲା। ଯାଞ୍ଚ ପରେ ତାଙ୍କ ସାର୍ଟିଫିକେଟ୍‌ ନକଲି ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ, କଟକ ପକ୍ଷରୁ ସ୍ପଷ୍ଟ କରା ଯାଇଥିଲା। ଏହାପରେ ତାଙ୍କ ବିରୋଧରେ ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ଓ ସଦର ଥାନାରେ ଏତଲା ଦିଆ ଯାଇଥିଲା। ୨୦୨୦ ଜୁନ୍‌ ମାସରୁ ତାଙ୍କ ଦରମା ବନ୍ଦ କରା ଯାଇଥିଲା। ହେଲେ ସେ ନିୟମିତ ସ୍କୁଲ୍‌ ଯାଉଥିଲେ। ସମସ୍ତ ବିଷୟ ବିଚାରକୁ ନେଇ ଗତ ଅକ୍ଟୋବର ମାସରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେଶ୍ବର ଏବିଇଓଙ୍କ ଜରିଆରେ ସମସ୍ତ ବିଷୟର ପୁନଃତଦନ୍ତ କରାଇଥିଲେ। ସେ ମଧ୍ୟ ତାଙ୍କ ପ୍ରମାଣପତ୍ର ନକଲି ବୋଲି ରିପୋର୍ଟ ଦେଇଥିଲେ। ଏହାରି ଆଧାରରେ ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପରାମର୍ଶରେ ଯୁଯୁମୁରା ବିଇଓ ଶ୍ରୀମତୀ ଭୋଇଙ୍କୁ ତତ୍‌କ୍ଷଣାତ୍‌ ଚାକିରିରୁ ବହିଷ୍କାର କରିଛନ୍ତି।

ଦୁଇ ବର୍ଷ ତଳେ ମନୋରଂଜନ ଦେହୁରୀ ନାମକ ଆଉ ଜଣେ ଶିକ୍ଷକ ବି ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ତଦନ୍ତରୁ ଜଣା ପଡ଼ିଥିଲା। ତା’ପର ଠାରୁ ସେ ସ୍କୁଲ୍‌କୁ ନଆସି ଗ‌ାଏବ ହୋଇ ଯାଇଥିଲେ। ହେଲେ ପୁଲିସ୍‌ରେ ଏତଲା ହୋଇଥିଲେ ବି ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ।

ସମ୍ବନ୍ଧିତ ଖବର