ସ୍ବାୟତ୍ତଶାସନ ଆଇନରୁ ସ୍ବାଧୀନତା ଆଡ଼କୁ

ଦାଶ ବେନହୁର

ଆଇନ ତିଆରିର ମୂଳ ଅନେକ। ମାତ୍ର ସମସାମୟିକ କାଳରେ ସବୁଠାରୁ ଅଧିକ ଗ୍ରହଣୀୟ ମୂଳଟି ହେଲା ଲୋକ ପ୍ରତିନିଧିଙ୍କ ସମର୍ଥନରେ ବହୁ ଆଲୋଚନା ପରେ ଗୃହୀତ ହୋଇଥିବା ମତ। ବେଳେ ବେଳେ ଏ ନେଇ ତୁମୁଳ ବିବାଦ ଉପୁଜେ। ପ୍ରତିନିଧି ବୋଲି କହିଲେ ଯେ ସମସ୍ତେ ସେଇ କଥାକୁ ମାନିଯିବେ ତାହା ନୁହେଁ। ଶେ‌ଷରେ ସଂଖ୍ୟାଗରିଷ୍ଠ ସମର୍ଥନକୁ ଆଧାର କରି ଆଇନ ପାରିତ ହୋଇଥାଏ। ତେବେ ଅସଲ କଥାଟି ହେଉଛି ଜନମତ। ଲୋକ ସମର୍ଥନ ନ ଥିଲେ ସଂଖ୍ୟାଗରିଷ୍ଠ ସଭ୍ୟଙ୍କ ଅନୁମୋଦନ ଥାଇ ମଧ୍ୟ ତାହା ବଳବତ୍ତର ହୋଇପାରେ ନାହିଁ। ନିକଟ ଅତୀତରେ କେନ୍ଦ୍ର ସରକାର ଆଣିଥିବା‌ ‘‘କୃଷି ଆଇନ’’ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଭାରତ ସାରା ଏ ସକାଶେ ଉଠିଲା ପଡ଼ିଲା। କୃଷକମାନେ ପଦାକୁ ବାହାରି ଅସମ୍ଭବ ଭାବେ ବିରୋଧ କଲେ। ଦେଶର ସର୍ବୋଚ୍ଚ ନ୍ୟାୟପୀଠ ବି ବାଧ୍ୟ ହୋଇ ମତ ରଖିଲେ। ସଂଖ୍ୟାଗରିଷ୍ଠ ମତ ଥାଇ ବି କେନ୍ଦ୍ରର ପ୍ରତିନିଧି ସରକାର ଏହାକୁ ପ୍ରତ୍ୟାହାର କରିନେଲେ।
ଦେହର ଉପକାର ମନେ କରି ପାଟିରେ ଔଷଧ ପୂରାଇ ପେଟକୁ ପଠେଇ ଦେଲେ ଯେ ତାହା ଶରୀର ଦ୍ବାରା ଗ୍ରହଣୀୟ ହେବ ସେ କଥା ନୁହେଁ। ଅଗ୍ରହଣୀୟତା କ୍ଷେତ୍ରରେ ଦେହ ଉକୁଚାଏ, ପ୍ରତିକ୍ରିୟା ପ୍ରକାଶ ପାଏ। ଶେଷକୁ ବମନ ପ୍ରକ୍ରିୟା ବା ଉପସର୍ଗ ମାଧ୍ୟମରେ ଶରୀରରୁ ବହିଷ୍କୃତ ନ ହେବା ଯାଏ ଦେହ, ମନ ଅସମ୍ଭାଳ ହୁଏ।
ଦେଶ ଆମର ଦେହ ଭଳି। ଆଇନର ପ୍ରୟୋଗ ଔଷଧ ଭଳି। ଦେହ ଗ୍ରହଣ ନ କଲେ ଚିକିତ୍ସା ନିରର୍ଥକ। ଅତଏବ ଦେହର ସମର୍ଥନ ଔଷଧ ପାଇଁ ମଧ୍ୟ ଜରୁରି।
ଭାରତ ବର୍ଷର ସ୍ବାସ୍ଥ୍ୟ କାମନା କରି କେତେ ଯେ ଔଷଧ ଓ ଟନିକ୍‌ର ବ୍ୟବସ୍ଥା କରାଯାଇଛି ତା’ର ହିସାବ କରିବା କଷ୍ଟକର। ମାତ୍ର ମୂଳ ଟନିକ୍‌ ହେଉଛି ଏହାର ସମ୍ବିଧାନ। ଏହାକୁ ଦେଶର ମୌଳିକ ଖାଦ୍ୟ ସହ ତୁଳନା କଲେ ମଧ୍ୟ କିଛି ଭୁଲ୍‌ ହେବ ନାହିଁ। ଏହା ଫଳମୂଳ କି ତୋଳା ଖାଦ୍ୟ ସହ ତୁଳନୀୟ ନୁହେଁ। ଜଙ୍କ୍‌ ଫୁଡ୍‌ ମଧ୍ୟ ନୁହେଁ। ସୁଚିନ୍ତିତ ଭାବେ ବଛା ବଛା ପାଚକମାନଙ୍କ ମାଧ୍ୟମରେ ଦେଶ ପାଇଁ ଏ ଖାଦ୍ୟ ରନ୍ଧା ହୋଇଛି। ସେ ରନ୍ଧନ ପ୍ରକ୍ରିୟା ଏବେ ବି ବଳବତ୍ତର। ମୂଳ ଖାଦ୍ୟ ତିଆରି କରିଥିବା ଲୋକେ ଗଲେଣି। ସେତେବେଳେ ରୋଷେଇ ଘର ଥିଲା, ସମ୍ବିଧାନ ପ୍ରଣୟନକାରୀ ସଭା। ଏବେ ହାଣ୍ଡିଶାଳ ପାଲଟିଛି ସଂସଦ। ଆଇନ ରୂପୀ ଯେଉଁ ଟନିକ୍‌ ବା ଔଷଧ ତିଆରି ହେଉଛି ସବୁ ସେଇ ପାକଶାଳରେ ପ୍ରସ୍ତୁତ।
ଏତେ କଥା କହିବାର ମାନେ ହେଲା ଏଇ ପାକ-ପ୍ରକ୍ରିୟା ଧାରାରେ ଆମେ ଯେ ହଠାତ୍‌ ରନ୍ଧା-ଖାଦ୍ୟ ପାଇଛେ ସେ କଥା ନୁହେଁ। ସେଥିପାଇଁ ବେଶ୍‌ ଲଢ଼ିବାକୁ ପଡ଼ିଛି। ବିନିଦ୍ର ରଜନୀ କଟେଇବାକୁ ପଡ଼ିଛି। ଧୀରେ ଧୀରେ ଆମେ ଶିଖିଛୁ ପଥି ରାନ୍ଧିବାର ପ୍ରକ୍ରିୟା। ଏଇଠି କହିଦେବା ଦରକାର, ବିଲାତି ସରକାର ଆମ ଦେଶକୁ ପଥି ନାମରେ ଯେଉଁ ଜଙ୍କ ଫୁଡ୍‌ ଖୁଆଉଥିଲେ ସେସବୁ ଥିଲା ସେମାନଙ୍କ ସ୍ବାର୍ଥରେ। ସ୍ଲୋ-ପଏଜନିଂ ବା ମନ୍ଥର ବିଷ ପ୍ରୟୋଗର ଔଷଧ ଦେଇ ଭାରତକୁ ସେମାନେ ଦୀର୍ଘଦିନ ଧରି ଅସାଡ଼ କରି ରଖିଥିଲେ। ଗୋଟିଏ ପରେ ଗୋଟିଏ ପଥି ବଦଳେଇ ଯେଉଁ ପରିବର୍ତ୍ତନ ଆଣୁଥିଲେ ତା’ ପଛରେ ଥିଲା ଆମର ପ୍ରତିକ୍ରିୟା। ତଥାପି ସ୍ବୀକାର କରିବାକୁ ପଡ଼ିବ ଯେ ଭାରତର ଭାଇସ୍‌ରାୟ ହୋଇଥିବା ଲର୍ଡ ରିପନ୍‌ (ଜର୍ଜ ଫ୍ରେଡରିକ୍‌ ସାମୁଏଲ୍‌ ରବିନ୍‌ସନ୍‌)ଙ୍କ ଭଳି ଖୁବ୍‌ କମ୍‌ ଶାସକ ଭାରତକୁ ଆସିଛନ୍ତି, ଯେଉଁମାନେ ପ୍ରକୃତରେ ଭାରତର ହିତ ପାଇଁ କାମ କରିଛନ୍ତି। ତା’ଙ୍କର ଶାସନକାଳ ଥିଲା ୧୮୮୦ରୁ ୧୮୮୪। ସେଇ ଭିତରେ ୧୮୮୧ରେ ଭାରତ ନିମିତ୍ତ ସେ ଆଣିଥିଲେ ପ୍ରଥମ କଳ କାରଖାନା ଆଇନ, ୧୮୮୨ରେ ଆଣିଥିଲେ ସ୍ବାୟତ୍ତ ଶାସନ ବ୍ୟବସ୍ଥା, ଯାହାକୁ ଆମେ ସ୍ବାଧୀନତାର ପ୍ରଥମ ସ୍ବାଦ ବୋଲି କହିପାରିବା ଏବଂ ୧୮୮୨-୮୩ରେ ହଣ୍ଟର୍‌ ଶିକ୍ଷା କମିସନ୍‌ ମାଧ୍ୟମରେ ଆଣିଥିଲେ ଶିକ୍ଷାର ସଂସ୍କାର ଯାହା ଫଳରେ ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ଓ ନାରୀ ଶିକ୍ଷାରେ ଆସିଥିଲା ଅନେକ ସୁ-ପରିବର୍ତ୍ତନ।
ବିଲାତି ସରକାର ଭାରତ ପାଇଁ ସେତେବେଳେ ଯେଉଁ ଆଇନ କରୁଥିଲେ ତାହାକୁ ଆମେ ଆଇନ-ଶାସନର ଗୋଟିଏ ଗୋଟିଏ ପାହାଚ ବୋଲି କହିପାରିବା। ପ୍ରତି ଦଶ ବର୍ଷରେ ଥରେ ସମୀକ୍ଷା ଚାଲିଥାଏ। କମ୍ପାନି ଶାସନ ବେଳେ ପ୍ରାୟ ଏ ସମୀକ୍ଷା ଥିଲା ୨୦ ବର୍ଷରେ ଥରେ ମାତ୍ର ରାଣୀଙ୍କ ଶାସନ ପରେ ୧୦ ବର୍ଷରେ ଥରେ ସମୀକ୍ଷା ଦରକାର ପଡୁଥିଲା। ସବୁପଛରେ ଥିଲା ଭାରତୀୟ ଲୋକମତର ଆଧାର।
୧୯୧୯, ମଣ୍ଟେଗୁ-ଚେମ୍‌ସଫୋର୍ଡ ଆଇନର ସମୀକ୍ଷା ୧୯୨୯ରେ ହେବା କଥା, ମାତ୍ର ବ୍ରିଟିସ୍‌ ସରକାର ଦୁଇବର୍ଷ ଆଗରୁ ପରିସ୍ଥିତି ଅନୁଧ୍ୟାନ କରିବା ଲାଗି ନଭେମ୍ବର ୧୯୨୭ରେ ସାଇମନ କମିସନ ଗଠନ କରିଦେଲେ। ଦୁର୍ଭାଗ୍ୟକୁ ଏ ସାତଜଣିଆ କମିସନରେ ଜଣେ ବି ଭାରତୀୟ ନ ଥିଲେ। ପ୍ରବଳ ବିବାଦ ଉପୁଜିଲା। ଗାନ୍ଧୀ, ନେହରୁ, ଜିନ୍ନା ବିରୋଧ କଲେ। କଂଗ୍ରେସ ବିରୋଧ କଲା। ମୁସ୍‌ଲିମ୍‌ଲିଗ୍‌ ବି‌ରୋଧ କଲା। ୩୦ ଅକ୍‌ଟୋବର ୧୯୨୮ରେ କମିସନ୍‌ ଲାହୋରରେ ପହଞ୍ଚୁ ପହଞ୍ଚୁ ଲାଲ ଲଜ୍‌ପତ୍‌ ରାୟଙ୍କ ନେତୃତ୍ବରେ ଯେଉଁ ତୁମୁଳ ବିରୋଧ ହେଲା ସେଥିରେ ପୁଲିସ ମାଡ଼ ଖାଇ ଲାଲାଜୀ ମୃତ୍ୟୁମୁଖରେ ପଡ଼ିଲେ।
ସାଇମନ୍‌ କମିସନ୍‌ର ଯେଉଁ ସାତଜଣ ସଭ୍ୟ ସେମାନେ ସମସ୍ତେ ଥିଲେ, ବ୍ରିଟିସ୍‌ ପାର୍ଲାମେଣ୍ଟର ସଦସ୍ୟ, ଜାଠ ଦଳ, ଉଦାର ଦଳ ଓ ଶ୍ରମିକ ଦଳର। କନଜର୍‌ଭେଟିଭ୍‌, ଲିବରାଲ୍‌ ଓ ଲେବର ଦଳର। ଶ୍ରମିକ ଦଳର ନେତା କ୍ଲିମେଣ୍ଟ ଅଟ୍‌ଲି ଥିଲେ ଭାରତୀୟଙ୍କୁ ଅଧିକ ସ୍ବାୟତ୍ତ-ଶାସନ-କ୍ଷମତା ଦେବା ସପକ୍ଷରେ।
ବିତର୍କିତ ସାଇମନ କମିସନ୍‌ ହିନ୍ଦୁ ମୁସଲମାନଙ୍କ ଏକତା ଭାଙ୍ଗିବାକୁ ଅନେକ ଚେଷ୍ଟା କରିଥିଲା। ଭିନ୍ନ ଭିନ୍ନ କାରଣରୁ ଏହା ଡ.ଆମ୍ବେଦକର୍‌, ପେରିୟାର ରାମସ୍ବାମୀ ଏବଂ ଆମ ଓଡ଼ିଶାର ମଧୁସୂଦନ ଦାସଙ୍କ ସମର୍ଥନ ଅବଶ୍ୟ ଲାଭ କରିଥିଲା ମାତ୍ର ଭାରତ ସାରା ରୋଳ ଉଠିଥିଲା- ‘‘ଗୋ ବ୍ୟାକ୍‌ ସାଇମନ୍‌‘‘, ‘‘ସାଇମନ୍‌ ତୁମେ ଫେରଯାଅ’’।
ନାନା ବିରୋଧ ସତ୍ତ୍ବେ ମେ ୧୯୩୦ରେ ସାଇମନ୍‌ କମିସନ୍‌ ତାଙ୍କର ବିବରଣୀ ଦୁଇଟି ଗ୍ରନ୍ଥରେ ପ୍ରକାଶ କଲେ। ସେଥିରେ ୧୯୧୯ର ଦ୍ବୈତ-ଶାସନ ବ୍ୟବସ୍ଥାର ଉଚ୍ଛେଦ ସହ ପ୍ରଦେଶଗୁଡ଼ିକରେ ପ୍ରତିନିଧିମୂଳକ ଶାସନ ଲାଗି ସୁପାରିିସ ରହିଲା। ହେଲେ ପ୍ରଦେଶର ଛୋଟଲାଟ୍‌ମାନେ ଜରୁରିକାଳୀନ କ୍ଷମତା ଆଳରେ ପୁରୁଣା ସମୟ ଭଳି ପୁଣି ଶକ୍ତିଶାଳୀ ହୋଇ ରହିଥିଲେ। ପ୍ରାଦେଶିକ ସ୍ବତନ୍ତ୍ରତା ଘୋଷିତ ହେଲା ନାହିଁ କି ଧର୍ମ-ଭିତ୍ତିକ ନିର୍ବାଚନୀ-ବିଭାଜନ ହଟିଲା ନାହିଁ। ଯୁକ୍ତି ଥିଲା ଯେ ହିନ୍ଦୁ-ମୁସ୍‌ଲିମ୍‌ ବିଭେଦ କାରଣରୁ ଏହା ଉଠିପାରିବ ନାହିଁ। ଖୋଦ୍‌ ଏଇକଥାକୁ ସାମନା କରିବା ଲାଗି ମୋତିଲାଲ୍‌ ନେ‌ହରୁ ୧୯୨୮ରେ ପ୍ରକାଶ କଲେ ଏକ ସାନି-ସମ୍ବିଧାନ ଯାହା ‘‘ନେ‌ହରୁ ରିପୋର୍ଟ’’ ନାମରେ ବିଖ୍ୟାତ ହୋଇଥିଲେ। ସେଥିରେ ସେ ପ୍ରାଦେଶିକ ସ୍ବାତନ୍ତ୍ରୢ ସହ ସମ୍ପୂର୍ଣ୍ଣ ସ୍ବାୟତ୍ତଶାସନର ଦାବି ରଖିଥିଲେ। ଦୁଃଖର କଥା ଜିନ୍ନା ଏ ରିପୋର୍ଟକୁ ହିନ୍ଦୁ-ମତ କହି ଅସ୍ବୀକାର କରିବା ସହ ନିଜର ଏକ ଚଉଦ-ଦାବି ସମ୍ବିଳିତ ଚିଠା ସରକାରଙ୍କ ପାଖରେ ରଖିଲେ।
ସେତେବେଳକୁ ଆମେ ଭାରତୀୟମାନେ ହିନ୍ଦୁ-ମୁସଲିମ୍‌ ମନୋମାଳିନ୍ୟକୁ ବ୍ରିଟିସ୍‌ ଜାଲ ଛନ୍ଦିହୋଇ ଅଧିକ ଦୃଢ଼ କରିବାରେ ଲାଗି ପଡ଼ିଥିଲୁ। ଦେଶର ସ୍ବାଧୀନତା କଥା ପଛରେ ପଡ଼ିଥିଲା, ଆଗେଇ ଚାଲିଥିଲା ସାମ୍ପ୍ରଦାୟିକ ମତଭେଦ।
ବାରମ୍ବାର ଆଇନ କଥା କହିଲା ବେଳେ ଆମେ ଜନମତର ସ୍ପନ୍ଦନକୁ ଅନୁଭବ କରିବା ଦରକାର। ବ୍ରିଟିସ୍‌ ସରକାର ନିଜର କର୍ତ୍ତୃତ୍ବ ଜାହିର କରିବା ସକାଶେ ଲାଗି ପଡ଼ିଥିଲେ ଭାରତର ଦୁଇ ପ୍ରମୁଖ ଧର୍ମକୁ ଧରି ଖେଳିବା ପାଇଁ। ତେଣେ ଗାନ୍ଧୀଜୀ ଲାଗିଥିଲେ ଭାରତର ଏକତା ବଜାୟ ରଖିବା ପାଇଁ। ୧୨, ମାର୍ଚ୍ଚ ୧୯୩୦ରେ ସେ ଆରମ୍ଭ କରିଥିଲେ ଲବଣ ସତ୍ୟାଗ୍ରହ ବା ଆଇନ ଅମାନ୍ୟ ଆନ୍ଦୋଳନ। ଲକ୍ଷ୍ୟ କରିବାର ଆବଶ୍ୟକତା ଅଛି ଯେ ତେଣେ ବିଭାଜନ ପାଇଁ ତଥା ସାମ୍ପ୍ରଦାୟିକ ଅସଦ୍‌ଭାବ ସୃଷ୍ଟି ପାଇଁ ଯୋଜନା ଚାଲିଥିବା ସମୟରେ ସାରା ଭାରତୀୟଙ୍କୁ ଏକ କରି ଗାନ୍ଧୀଜୀ ଆରମ୍ଭ କରିଥିଲେ ଦାଣ୍ଡି ଯାତ୍ରା। ଏହି ଯାତ୍ରାରେ ଗାନ୍ଧୀଜୀ ଆବ୍‌ବାସ୍‌ ତୟାବ୍‌ଜୀଙ୍କୁ ନିଜର ବିକଳ୍ପ ନେତା କେବଳ କରି ନ ଥିଲେ, ଦାଣ୍ଡି ଗାଆଁର ସିରାଜ୍‌ ଅବଦୁଲ୍ଲାଙ୍କ ଘରକୁ ବି ଆଶ୍ରୟସ୍ଥଳୀ କରିଥିଲେ। ତା’ଙ୍କର ଚେଷ୍ଟା ଥିଲା ଏ ବିଭ୍ରାନ୍ତି କାଳରେ ହିନ୍ଦୁ-ମୁସଲମାନ ଭାଇଚାରା ବଜାୟ ରହୁ।
ଭାରତର ଆଇନ-ଇତିହାସକୁ ଅନୁଧ୍ୟାନ କଲାବେଳେ କେବଳ ଶାସନ ଓ ତାଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଆଇନ ସମୂହର ତର୍ଜମା କରିଦେଲେ ଚଳିବ ନାହିଁ। ସମାନ୍ତରାଳ ଭାବେ ସେ ଧାରାରେ ଜନମତ କି ରୂପେ ଗଢ଼ି ଉଠିଛି ତା’ର ଅନୁଧ୍ୟାନ ‌ମଧ୍ୟ କରିବା ଆବଶ୍ୟକ।
ଆଇନ ଜନସମୂହକୁ ଶିକ୍ଷିତ କରେ ନାହିଁ କି ତାଲିମ୍‌ ଦିଏ ନା‌ହିଁ। ଶିକ୍ଷିତ କରିବା ବା ତାଲିମ ଦେବାର କାମ ହେଲା ଜନ-ସଚେତନତାର। ତେଣୁ ଭାରତୀୟମାନେ ଯେ ରାଜତନ୍ତ୍ର ପରମ୍ପରାରୁ ଆସି ଗଣତାନ୍ତ୍ରିକ ବ୍ୟବସ୍ଥା ସହ ପରିଚିତ ହେଲେ ସେଥିରେ ରିପନ୍‌ଙ୍କ ଭଳି ସଂସ୍କାରକାମୀ ଶାସକଙ୍କର ପ୍ରବର୍ତ୍ତିତ ସ୍ବାୟତ୍ତଶାସନ ଆଇନ ଯେଉଁପରି କାମ କରିଛି, ତା’ଠାରୁ କାହିଁ କେତେ ଅଧିକ କାମ କରିଛି ଗାନ୍ଧୀଗୋଳର କ୍ରମ-ସଚେତନତା ପ୍ରବର୍ତ୍ତନକାରୀ ଦେହ-ମାଲିସ୍‌। ଦେଶ-ଦେହ ପାଇଁ ଆଇନ ପଥି ହୋଇପାରେ ମାତ୍ର ଦେହକୁ ଯେ ସବଳ କରିଛି ତାହା ହେଉଛି ନିରନ୍ତର ଏ ମାଲିସ୍‌ ବା ବ୍ୟାୟାମ ପ୍ରକ୍ରିୟା।
ସାଇମନ୍‌ କମିସନ୍‌ ଆସିଲେ, ଗଲେ। ରିପୋର୍ଟ ପ୍ରକାଶ ପାଇଲା। ତା’ପୂର୍ବରୁ ଭାଇସ୍‌ରାୟ ଇର୍‌ୱିନ୍‌ ୩୧ ଅକ୍‌ଟୋବର ୧୯୨୯ରେ ଘୋଷଣା କରିଦେଲେ ଯେ ମଣ୍ଟେଗୁ-ଚେମସ୍‌ଫୋର୍ଡଙ୍କ ସଂସ୍କାର ଆଇନ ଅନୁଯାୟୀ ଭାରତକୁ ଡୋମିନିଅନ୍‌ ଷ୍ଟାଟସ୍‌ ବା ସ୍ବାୟତ୍ତଶାସନ ଦେ‌ବାର କାର୍ଯ୍ୟକ୍ରମ ଚାଲୁ ରହିବ। ସେ ସକାଶେ ଇଂଲଣ୍ଡ୍‌ରେ ଗୋଲ୍‌ଟେବୁଲ୍‌ ବୈଠକ ବସିବ। ଏଇଠି କହିଦେବା ଉଚିତ୍‌ ହେବ ଯେ ତିନିଟିଯାକ ଗୋଲ୍‌ଟେବୁଲ୍‌ ବୈଠକର ପରିଣତି ମୋଟେ ଫଳପ୍ରଦ ହୋଇନଥିଲା। ଓଲଟି ସାଇମନ୍‌ କମିସନ୍‌ଙ୍କ ବିରରଣୀ ଆଧାରରେ ତିଆରି ହୋଇଥିଲା ଗଭର୍ନମେଣ୍ଟ ଅଫ୍‌ ଇଣ୍ଡିଆ ଆକ୍‌ଟ ୧୯୩୫। ଅନ୍ୟ ଅର୍ଥରେ ଭାରତ ଶାସନ ଆଇନ-୧୯୩୫।
ମଝିରେ ଆଉ ଗୋଟିଏ କଥା ଘଟିଥିଲା। ସମଗ୍ର ଭାରତରେ ବ୍ରିଟିସ୍‌ ଶାସନ ଚାଲିଥିବା ବେଳେ ଗଡ଼ଜାତ ରାଜ୍ୟଗୁଡ଼ିକର ପରିସୀମା ଥିଲା ସମ୍ପୂର୍ଣ୍ଣ ଭୂଗୋଳର ଶତକଡ଼ା ୪୮ ଭାଗ ଓ ଲୋକସଂଖ୍ୟା ଥିଲା ଶତକଡ଼ା ୨୮ ଭାଗ। ସେଠାରେ ନା ଏ ଆଇନଗୁଡ଼ିକ କାର୍ଯ୍ୟକାରୀ ହେଉଥିଲା, ନା ସେ ଅଞ୍ଚଳରେ ଥିଲା ବ୍ରିଟିସ୍‌ ସରକାରଙ୍କ ପ୍ରତ୍ୟକ୍ଷ ଶାସନ। ୧୯୩୦ ବେଳକୁ ଗଡ଼ଜାତଗୁଡ଼ିକର ରାଜାମାନଙ୍କ ଭିତରେ ଭାରତୀୟ ସଂଘୀୟ ବ୍ୟବସ୍ଥା ଭିତରକୁ ପ୍ରବେଶ କରିବା ନିମିତ୍ତ ଆଗ୍ରହ ପ୍ରକାଶ ପାଇଥିଲା। ସେ ଅନୁସାରେ ସରକାରଙ୍କ ଦ୍ବାରା ଘୋଷିତ ଶ୍ବେତପତ୍ରରେ ତାହା ମଧ୍ୟ ସ୍ଥାନ ପାଇଥିଲା।
ସେ ସମୟର ଭାରତ ଅବସ୍ଥା ଏ ପରିପ୍ରେକ୍ଷୀରେ ଆଲୋଚନା କରିବା ଦରକାର। କାହିଁ କେଉଁ କାଳର ସଦ୍‌ଭାବନାକୁ ପ୍ରତିହତ କରି ନିର୍ବାଚନୀ-ବିଭାଜନ ଓ ଅଲଗା ନିର୍ବାଚନ ମଣ୍ଡଳୀ ଗଢ଼ି ଭାରତୀୟ ଏକତାକୁ ଭାଙ୍ଗି ସାମ୍ପ୍ରଦାୟିକ ଏକତାରେ ଫାଟ ସୃଷ୍ଟି ହୋଇସାରିଥିଲା। ଅନ୍ୟପକ୍ଷରେ ଗଡ଼ଜାତ ଭାରତକୁ ନୂଆ ଏକ ରୂପ ଦେଇ ସେମାନଙ୍କ ଭିତରେ ଭିନ୍ନ କର୍ତ୍ତୃତ୍ବ ବାଣ୍ଟିବାକୁ ମସୁଧା ହେଉଥିଲା। ଏକତାକୁ ଭାଙ୍ଗି ଦେଲେ ସେମାନଙ୍କ ଉପରେ ଶାସନ-ଦଖଲ ସହଜ ହେବ। ବ୍ରିଟିସ୍‌ ଶାସକ ବସି ନଖ ଘଷୁଥିଲେ। ଡିଆଁ ମାରୁଥିଲେ ରାଜନୈତିକ ଦଳ। ଏଇ ସମୟରେ ଆସିଥିଲା ‘‘ଭାରତ ଶାସନ ଆଇନ-୧୯୩୫’’। ସମଗ୍ର ଇତିହାସରେ ଏହା ସେତେବେଳେ ଥିଲା ବ୍ରିଟିସ୍‌ ପାର୍ଲାମେଣ୍ଟ୍‌ ଦ୍ବାରା ଅନୁମୋଦିତ ଦୀର୍ଘତମ ଆଇନ।
କ’ଣ ଥିଲା ସେଥିରେ? କେଉଁ ଅନୁମୋଦନ?
ସରକାର ରାଜି ହୋଇଥିଲେ, ଏଣିକି ପ୍ରାଦେଶିକ ସ୍ବାତନ୍ତ୍ରୢକୁ ସମର୍ଥନ କରାଯିବ। କେନ୍ଦ୍ର ଓ ରାଜ୍ୟ ଭିତରେ ଶାସନ-ବିଷୟକ ତାଲିକାକୁ ଆବଣ୍ଟିତ କରି କ୍ଷମତା ବିଭାଜିତ ହେବ। ପ୍ରଦେଶଗୁଡ଼ିକୁ ଦିଆଯାଇଥିବା କ୍ଷମତା ଆଧାରରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି-ସରକାର ଶାସନ ଦାୟିତ୍ବରେ ରହିବେ। ନିଯୁକ୍ତ ମନ୍ତ୍ରୀମାନେ ପ୍ରଦେଶରେ ନିଜ ନିଜ ପ୍ରାଦେଶିକ ବିଧାନସଭାଗୁଡ଼ିକ ନିକଟରେ ଉତ୍ତରଦାୟୀ ରହିବେ। ଗଡ଼ଜାତ-ସମୂହ ଓ ପ୍ରଦେଶ-ସମୂହ ମିଶି ଭାରତ ଏକ ସଂଘ-ରାଷ୍ଟ୍ରରେ ପରିଣତ ହେବ। ତେବେ ଗଡ଼ଜାତ ରାଜାମାନେ ସଂଘ-ରାଷ୍ଟ୍ରରେ ମିଶିବେ କି ନାହିଁ ଓ ଯଦି ମିଶିବେ କେଉଁ ପ୍ରକାରେ ମିଶିବେ ତାହା ସେମାନଙ୍କର ମର୍ଜି ଉପରେ ନିର୍ଭର କରିବ। କେନ୍ଦ୍ରର ପ୍ରଶାସନିକ କ୍ଷେତ୍ରରେ ଦ୍ବୈତ-ଶାସନ ରହିବ। ସଂରକ୍ଷିତ ଓ ହସ୍ତାନ୍ତରିତ କ୍ଷମତାର ବ୍ୟବସ୍ଥା ଚାଲିବ। ସଂଘ-ରାଷ୍ଟ୍ର ସକାଶେ ଏକ ଶୀର୍ଷ-ବିଚାରାଳୟ ବା ‘ଫେଡେରାଲ୍‌ କୋର୍ଟ’ ସମଗ୍ର ଭାରତ ପାଇଁ ତିଆରି କରାଯିବ। ଭାରତ‌ର ‌ବଡ଼ଲାର୍ଟଙ୍କ ହାତରେ ସମଗ୍ର ସାମରିକ ବିଭାଗ, ବର୍ହିଦେଶୀୟ ବିଭାଗ ଓ ଧର୍ମୀୟ କାରବାର ବିଭାଗ ରହିବ। ବାକି ସବୁ ରହିବ ନିର୍ବାଚିତ ମନ୍ତ୍ରୀମାନଙ୍କ ପାଖରେ। କେନ୍ଦ୍ରର ଏ ମନ୍ତ୍ରୀମାନେ କେନ୍ଦ୍ରୀୟ ବିଧାନ ପରିଷଦ ପାଖରେ ଉତ୍ତରଦାୟୀ ରହିବେ। ‌ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗଭର୍ଣ୍ଣର ଜେନେରାଲ ବା ବଡ଼ଲାଟ୍‌ ରହିବେ ସବୁକଥାର ସର୍ବେସର୍ବା। ସବୁ‌େକ୍ଷତ୍ରରେ ଚାହିଁଲେ ସେ ହସ୍ତକ୍ଷେପ କରିପାରିବେ।
ସ୍ବଦେଶୀ ଆନ୍ଦୋଳନ, ଅସହଯୋଗ, ଆଇନ ଅମାନ୍ୟ ଆଦି ନାନା ବୈପ୍ଳବିକ ପ୍ଳାବନ ଘଟାଇ ମାଡ଼ି ଚାଲିଥିଲା ଭାରତୀୟ ସ୍ବାଧୀନତା ସଂଗ୍ରାମ। ଅନ୍ୟପକ୍ଷରେ ଚାର୍ଟର ଆଇନ, କାଉନ୍‌ସିଲ ଆଇନ, ରିଫର୍ମ ଆଇନ ଗଢ଼ି ଗଢ଼ି ଶେଷକୁ ପ୍ରଶାସନିକ ଆଇନ ପ୍ରଣୟନ କରି ବ୍ରିଟିସ୍‌ ସରକାର ପହଞ୍ଚିଥିଲେ ୧୯୩୫ ଆଇନ ପାଖରେ।
ଭାରତୀୟ ସ୍ବାଧୀନତା ସଂଗ୍ରାମର କ୍ରମ-ଅଗ୍ରଗତି ଓ ଏହାର ଦାବି ସହ ଶାସନ-ଆଇନରେ ପରିବର୍ତ୍ତନ ଚାଲିଥିଲା। ୧୮୮୨ର ପ୍ରଥମ ସ୍ବାୟତ୍ତଶାସନ ଆଇନ ଆସି ୧୯୩୫ର ବିସ୍ତୃତ ବିଧି-ବ୍ୟବସ୍ଥା ପାଖରେ ପହଞ୍ଚିଥିଲା। ଭାରତର ଦେହ ପ୍ରସ୍ତୁତ ହେଉଥିଲା ସମ୍ପୂର୍ଣ୍ଣ ସ୍ବାଧୀନତା ପାଇଁ। ବ୍ୟାୟାମ ଚାଲିଥିଲା, ପଥି ବି ଚାଲିଥିଲା।
[email protected]

ସମ୍ବନ୍ଧିତ ଖବର