ଦେଶରେ ସର୍ବାଧିକ ! ଭୁବନେଶ୍ବରରେ ନୂଆ ଯାନବାହନ ଆଇନ ଉଲ୍ଲଂଘନ କରିଥିବା ଅଟୋ ଚାଳକଙ୍କ ଉପରେ ୪୭,୫୦୦ ଟଙ୍କା ଜରିମାନା

ଭୁବନେଶ୍ୱର: ସେପ୍ଟେମ୍ବର ୧ ତାରିଖଠାରୁ ନୂତନ  ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ବରରେ ବୁଧବାର ଜଣେ ଅଟୋଚାଳକଙ୍କୁ ୪୭,୫୦୦ ଟଙ୍କା ଜରିମାନା କରାଯାଇଛି।  ନୂତନ ନିୟମ ଲାଗୁ ହେବା ପରେ ଏହା ସାରା ଦେଶରେ ଆଇନ ଉଲଂଘନ ଲାଗି ସର୍ବାଧିକ ଜରିମାନା ବୋଲି ଜଣାପଡ଼ିଛି।  ଏଯାବତ୍ ମିଳିଥିବା ସୂଚନା ଅନୁସାରେ ହରିୟାଣାର ଗୁରୁଗ୍ରାମରେ ଜନୈକ ଅଟୋଚାଳକଙ୍କୁ ଆଜି ସକାଳେ ୩୨,୫୦୦ ଟଙ୍କ‌ା ନିୟମ ଉଲ୍ଲଂଘନ ଲାଗି ଜରିମାନା କରାଯାଇଥିଲା। ଏହା ଥିଲା ସେସମୟରେ ଦେଶରେ ସର୍ବାଧିକ ଜରିମାନା। ମାତ୍ର ଭୁବନେଶ୍ବରରେ କମିସନରେଟ ପୁଲିସ ଓ ପରିବହନ ବିଭାଗ  ଆଜି ଅଟୋ ଚାଳକ ହରିବନ୍ଧୁ କହଁରଙ୍କ ଉପରେ  ୪୭,୫୦୦ ଟଙ୍କା ଜରିମାନା କଷିବା ପରେ ଏହା ଏଯାବତ୍ ଦେଶର ସର୍ବାଧିକ ଜରିମାନା ଭାବେ ପରିଗଣିତ ହୋଇଛି।

ମଦ ପିଇ ଅଟୋ ଚଳାଉଥିବା ଅବସ୍ଥାରେ ଧରା ପଡ଼ିବା ପରେ ପୁଲିସ ତାଙ୍କ ଉପରେ ଏହି ଜରିମାନା କଷିଛି। ସୂଚନାଯୋଗ୍ୟ, ଆଜି ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଭୁବନେଶ୍ବରର ବିଭିନ୍ନ ଅଂଚଳରେ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ତନଖି ଆରମ୍ଭ ହୋଇଥିଲା।  ଆଚାର୍ଯ୍ୟବିହାର ଛକରେ ଯାଞ୍ଚ ସମୟରେ ହରିବନ୍ଧୁ କହଁର ପୁଲିସ ହାତରେ ଧରାପଡ଼ିଥିଲେ। ସେ ମଦ ପିଇ ଅଟୋ ଚଳାଉଥିବା ସହ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନ ଥିଲା। ଏଥିସହ ଉକ୍ତ ଅଟୋରିକ୍ସାର ପରମିଟ୍ ନ ଥିବା ସହ କାଗଜପତ୍ର ମଧ୍ୟ ଠିକ ନ ଥିଲା। ଏହି ସବୁ ଉଲ୍ଲଂଘନ ଲାଗି ଚାଳକ ଓ ଅଟୋ ମାଲିକଙ୍କୁ  ସମୁଦାୟ ୪୭,୫୦୦ ଟଙ୍କା ଜରିମାନା କରାଯାଇଥିଲା।

ପରିବହନ ବିଭାଗ  ପକ୍ଷରୁ କଟା ଯାଇଥିବା ଚାଲାଣ ଅନୁସାରେ ସାଧାରଣ ଆଇନ ଉଲ୍ଲଂଘନ ଲାଗି ୫୦୦ ଟଙ୍କା, ଅନଧିକୃତ ବ୍ୟକ୍ତିଙ୍କୁ ଗାଡ଼ି ଚଳାଇବାକୁ ଦେବା ଲାଗି ୫୦୦୦ ଟଙ୍କା, ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା ଲାଗି ୫୦୦୦ ଟଙ୍କା, ମଦ୍ୟପାନ କରି ଗାଡ଼ି ଚାଳନା ଲାଗି ୧୦,୦୦୦ଟଙ୍କା, ବାୟୁ ଏବଂ ଶବ୍ଦ ପ୍ରଦୂଷଣ ଲାଗି ୧୦,୦୦୦ ଟଙ୍କା, କାଗଜପତ୍ର ନଥିବା ଲାଗି ୫୦୦୦ ଟଙ୍କା, ପରିମିଟ ନ ଥିବା ଲାଗି ୧୦,୦୦୦ ଟଙ୍କା ଏବଂ ଇନସୁରାନ୍ସ ନ ଥିବା ହେତୁ ୨୦୦୦ଟଙ୍କା ଜରିମାନା କରାଯାଇଛି।

ତେବେ ଅଟୋ ଚାଳକ ଓ ମାଲିକ କଣ୍ଡୁରୀ ଖଟୁଆ ଏହି ଜରିମାନା ପୈଠ କରିଛନ୍ତି କି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଅନ୍ୟ ପକ୍ଷରେ ପୁଲିସ ଅଟୋକୁ ଜବତ କରିନେଇଛି। ଜରିମାନା ଅର୍ଥ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ଡ୍ରାଇଭିଂ ଟେଷ୍ଟିଂ ଟ୍ରାକଠାରେ ପୈଠ କରିବାକୁ କୁହାଯାଇଛି।

 

ସମ୍ବନ୍ଧିତ ଖବର