ପରିବହନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ୨୦ଟି ରୁଟରେ ସରକାରୀ ବସ୍‌ ଚଳାଚଳ ବନ୍ଦ

କଟକ: ତିନି ମାସର ଦରମା ଏବଂ ବକେୟା ବର୍ଦ୍ଧିତ ପାଉଣା ପ୍ରଦାନ ଦାବିରେ କଟକ ପରିବହନ ଜୋନର କର୍ମଚାରୀମାନେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଫଳରେ କଟକରୁ ଯାଉଥିବା ବିଭିନ୍ନ ରୁଟରେ ସରକାରୀ ଗାଡି ଚଳାଚଳ ବନ୍ଦ ରହିଛି। ଏଥିଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆନ୍ଦୋଳନ ଯୋଗୁ ପରିବହନ ବିଭାଗ ଉପାୟଶୂନ୍ୟ ହୋଇ ଯାତ୍ରୀଙ୍କୁ ସେମାନଙ୍କ ଟିକେଟ ଅର୍ଥ ଫେରସ୍ତ କରିଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ରାଜ୍ୟର ୧୯ଟି ପରିବହନ ଜୋନ ମଧ୍ୟରୁ କଟକ ଜୋନ ହେଉଛି ସର୍ବପୁରାତନ। ୨୦୦ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଏହି ଜୋନରେ କାର୍ଯ୍ୟରତ। ୨୦ଟି ରୁଟରେ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ସରକାରୀ ବସ ଯା’ଆସ କରେ। ମାଲକାନଗିରି, ଚିତ୍ରକୋଣ୍ଡା, ନବରଙ୍ଗପୁର, ରାୟଗଡା, ବଲାଙ୍ଗୀର, ବ୍ରହ୍ମପୁର ଆଦି ଦୂର ସ୍ଥାନକୁ ଏହି ଜୋନରୁ ନିୟମିତ ଗାଡି ଚଳାଚଳ କରିଥାଏ। କିନ୍ତୁ ଗଲା ଏପ୍ରିଲ, ମେ’ ଓ ଜୁନ୍‌ ତିନି ମାସ ହେବ କାର୍ଯ୍ୟରତ ଡ୍ରାଇଭର, କଣ୍ଡକ୍ଟର, ହେଲପର, ଅଫିସ କର୍ମଚାରୀ, ଗ୍ୟା‌ରେଜ ମେକାନିକଙ୍କୁ ଦରମା ମିଳି ନ ଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଦୁଇମାସର ବକେୟା ଦରମା ସରକାର ପ୍ରଦାନ କରି ନାହାନ୍ତି। ବକେୟା ପାଉଣା ପାଇଁ କର୍ମଚାରୀମାନେ ପୂର୍ବରୁ ବହୁବାର ଦାବି କରି ଆସିଥିଲେ। ହେଲେ ବିଭାଗ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଅ‌ାନ୍ଦୋଳନ ପାଇଁ ନିଷ୍ପତ୍ତି ନେବା ସହ ଏ ସଂକ୍ରାନ୍ତରେ ଗତ ଜୁନ ୨୫ ତାରିଖରେ ପରିବହନ ଅଧିକାରୀଙ୍କୁ ଅବଗତ କରାଇଥିଲେ। ମାତ୍ର କୌଣସି ସୁଫଳ ନ ମିଳିବାରୁ ଆଜି କର୍ମଚାରୀମାନେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସଂଘ ସଭାପତି ପ୍ରଫୁଲ୍ଲ ମୁଦୁଲି, ତପନ ସାମଲ, ପ୍ରମୋଦ ମହାପାତ୍ର ପ୍ରମୁଖଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ‌େହାଇଥିଲା। ଫଳରେ ସରକାରୀ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ଜିଲ୍ଲା ପରିବହନ ଅଧିକାରୀ ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କର୍ମଚାରୀମାନେ ତାହାକୁ ପ୍ରତ୍ୟାଖ୍ୟ‌ାନ କରିଥିଲେ।

ଏ ସମ୍ପର୍କରେ ଜିଲ୍ଲା ପରିବହନ ଅଧିକାରୀ ପି.କେ.ହୋତା କହିଛନ୍ତି, ସେ ଯୋଗ ଦେବା ପୂର୍ବରୁ କର୍ମଚାରୀଙ୍କ ଜାନୁଆରୀ, ଫେବୃଆରୀର ଦରମା ବାବଦକୁ ୭୦ ଲକ୍ଷ ଟଙ୍କା ବାକି ଥିଲା। ଲାଭାଂଶ ଅର୍ଥରୁ ଦରମା ବାବଦକୁ ସେ କର୍ମଚାରୀଙ୍କୁ ବକେୟା ଦରମା ଏବଂ ନଭେମ୍ବର, ଡିସେମ୍ବରର ବର୍ଦ୍ଧିତ ପାଉଣା ପ୍ରଦାନ କରିଛି। ତେବେ ଆଜି ସେ କର୍ମଚାରୀଙ୍କୁ ଗୋଟିଏ ମାସର ଦରମା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବି କର୍ମଚାରୀମାନେ ତାକୁ ପ୍ରତ୍ୟାଖାନ କରିଛନ୍ତି। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,ସମାନ ଦାବି ନେଇ ଭଞ୍ଜନଗର ଜୋନ କର୍ମଚାରୀମାନେ ‌ଗତ କୋଡିଏ ଦିନ ତଳେ ଆନ୍ଦୋଳନକୁ ଓହ୍ଲାଇଥିଲେ।‌

ସମ୍ବନ୍ଧିତ ଖବର