କେନ୍ଦୁଗୁଡା-ପାଇକପଡା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ନିମ୍ନମାନର ନିର୍ମାଣ ଅଭିଯୋଗ : ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ନାୟକ ନିଲମ୍ବିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ନିମ୍ନମାନର ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଅଭିଯୋଗରେ ମୂଖ୍ୟଯନ୍ତ୍ରୀ ସରଜମିନ ତଦନ୍ତ କରି ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ନାୟକଙ୍କୁ ନିଲମ୍ବନ କରିବା ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧିନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେଉଥିବା କେନ୍ଦୁଗୁଡା- ପାଇକପଡା ରାସ୍ତା ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୧୫ କି.ମି.୭୦୦ ମି. ଦୈର୍ଘ୍ୟ ସାନକେନ୍ଦୁଗୁଡା-ପାଇକପଡା ଭାୟା ଜୟନ୍ତପୁର ରାସ୍ତା ୪କୋଟି ୯୦ ଲକ୍ଷ ୬୫ ହଜାର ଟଙ୍କା ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲିଥିଲା । କେନ୍ଦୁଗୁଡା- ପାଇକପଡା ରାସ୍ତାରେ ଠିକାସଂସ୍ଥା ପକ୍ଷରୁ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଗ୍ରାମବାସୀ ଗତ ମଇ ମାସ ୯ ତାରିଖ ଦିନ କାମ ବନ୍ଦ କରିଦେଇଥିଲେ। ଏଷ୍ଟିମେଟ ଅନୁସାରେ ଥିବା ଥିକନେସ ଅନୁଯାୟୀ ପିଚୁ କାମ ହୋଇନଥିବା ବେଳେ ପିଚୁ ପକାଇବା ପୂର୍ବରୁ ଆବଶ୍ୟକୀୟ ସାମଗ୍ରୀ ରାସ୍ତାରେ ବ୍ୟବହାର କରାଯାଇନଥିଲା କିମ୍ବା ସେଭଳି କିଛି ବ୍ୟବସ୍ଥା କରାଯାନଥିଲା। ଫଳତଃ ପିଚୁ ପକାଇବାର ୪ ଦିନ ପରେ ମଧ୍ୟ ହାତରେ କାଢିଦେଲେ ମଧ୍ୟ ରାସ୍ତା ଉପରୁ ପିଚୁ ବାହାରି ଯାଉଥିବା ଦେଖାଯାଉଥିଲା।

ଲାଭଖୋର ମନୋବୃତି ରଖି ଯେଣତେଣ ପ୍ରକାରେ ରାସ୍ତା କାମ ସାରି ଦେବାକୁ ଠିକାସଂସ୍ଥା ଯୋଜନା କରି କାମ କରୁଥିବା ବେଳେ ଦାୟୀତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ନାୟକ ଠିକାସଂସ୍ଥାକୁ ସହଯୋଗ କରୁଥିଲେ। ଏପରିକି କାର୍ଯ୍ୟସ୍ଥଳରେ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ସଂପୃକ୍ତ ଯନ୍ତ୍ରୀଦ୍ୱୟ ଚୁପ ରହିଯାଉଥିବା ଅଭିଯୋଗ ହୋଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ହେବାପରେ ଏହାର ତଦନ୍ତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଘଟଣାସ୍ଥଳକୁ ସରଜମିନ ତଦନ୍ତ କରିବା ପାଇଁ ଆସି ସତ୍ୟାସତ୍ୟ ଅନୁସନ୍ଧାନ କରିଥିଲେ । ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ପତ୍ରସଂଖ୍ୟା ୧୨୦୯୦/୨୨.୦୬.୨୦୨୦ ଅନୁସାରେ ଉକ୍ତ ରାସ୍ତା ଦାୟିତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ନାୟକଙ୍କୁ ନିଲମ୍ବିତ କରିଥିଲେ।

ସମ୍ବନ୍ଧିତ ଖବର