ଦୁର୍ଘଟଣାରେ ଦୁଇ ନାବାଳକଙ୍କ ମୃତ୍ୟୁ

ବାଲିମେଳା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍‌ ଚିତାପାରି-୩ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି। ଓର୍କେଲ ପୁଲିସ ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ପୁଲିସ ତାହାର ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବ୍ଲକ୍‌ ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଦର ଗ୍ରାମର ଡମ୍ବରୁ ଖିଲ (୧୬) ଏବଂ କୋରୁକୋଣ୍ଡା ବ୍ଲକ୍‌ ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ପିପଲପଦର ଗ୍ରାମର ଦୀପକ ଶିଶା (୧୭) ଗତକାଲି ସନ୍ଧ୍ୟାରେ ଚିତପାରି-୩ ପଞ୍ଚାୟତର ସଦାଶିବପୁର ଗ୍ରାମକୁ ଯାଇଥିଲେ। ସେଠାରୁ ରାତି ପ୍ରାୟ ୧୦ଟାରେ ବାଲିମେଳା ଅଭିମୁଖେ ଫେରୁଥିବା ସମୟରେ ଜୟପୁର-ବାଲିମେଳା ମୁଖ୍ୟ ରାସ୍ତାର ଚିତପାରି-୩ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ୍‌ ରାସ୍ତା ପାର୍ଶ୍ୱରେ ଥିବା ଗଛ ଓ ତାର ବାଡ଼ରେ ପିଟି ହୋଇ ଯାଇଥିଲା। ଦୁର୍ଘଟଣାରେ ଡମ୍ବରୁ ଏବଂ ଦୀପକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଓର୍କେଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଓର୍କେଲ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମାଲକାନଗିରି ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ଏଥିସହ ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର