ମଦ୍ୟପାନ ସଂପର୍କିତ ଏନ୍‌ଏଫ୍‌ଏଚ୍‌ଏସ୍ ରିପୋର୍ଟ ସତ ନୁହେଁ : ମନ୍ତ୍ରୀ

ଭୁବନେଶ୍ବର : ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ଅନୁଯାୟୀ ରାଜ୍ୟରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ତଥ୍ୟ ସତ ନୁହେଁ। ଏନ୍‌ଏଫ୍‌ଏଚ୍‌ଏସ୍‌-୪ ତୁଳନାରେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ରାଜ୍ୟରେ ମଦ୍ୟପାନ କମିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି ଯେ ଏନ୍‌ଏଫ୍‌ଏଚ୍‌ଏସ୍‌-୪ ଅନୁଯାୟୀ ଜାତୀୟ ସ୍ତରରେ ପୁରୁଷ ମଦ୍ୟପଙ୍କ ହାର ୨୯.୨ ଥିବା ବେଳେ ଓଡ଼ିଶାରେ ଏହା ୩୯.୩ ରହିଥିଲା। ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଜାତୀୟସ୍ତରରେ ପୁରୁଷ ମଦ୍ୟପଙ୍କ ହାର ୧୮.୭ ଥିବା ବେଳେ ଓଡ଼ିଶାରେ ଏହା ହ୍ରାସ ପାଇ ୨୮.୭ରେ ପହଞ୍ଚିଛି। କେବଳ କେରଳ ଓ ତାମିଲନାଡ଼ୁରେ ମଦ୍ୟପାନ କ୍ରମଶଃ ହ୍ରାସ ପାଉଥିବା ତଥ୍ୟ ସତ ନୁହେଁ। ଓଡ଼ିଶାରେ ଏହି ସମୟରେ ମଦ୍ୟପାନର ହାର କ୍ରମଶଃ ହ୍ରାସ ପାଇଛି। ସେହିପରି ରାଜ୍ୟରେ ନିଶାଦ୍ରବ୍ୟ ସେବନକାରୀ କେତେ ସଂଖ୍ୟକ ବ୍ୟକ୍ତି ବର୍ଷକୁ ଦୁରାରୋଗରେ ପୀଡ଼ିତ ହେଉଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ରାଜ୍ୟ ଭିତରେ ଓ ରାଜ୍ୟରେ ବାହାରେ ଥିବା ବିଭିନ୍ନ ସରକାରୀ ଚିକିତ୍ସାଳୟ ସହ ଅନ୍ୟ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେବାର ସୁବିଧା ରହିଛି। ଯାହାର ତଥ୍ୟ ସରକାରୀ ସ୍ତରରେ ସଂଗ୍ରହ କରାଯାଏ ନାହିଁ।

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଦେଶୀ ମଦ ସଂପର୍କିତ ପ୍ରଶ୍ନ ସଂପର୍କରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ରାଜ୍ୟରେ ସରକାରୀ ଦେଶୀ ମଦର ଚାହିଦା ଓ ବ୍ୟବହାରକୁ ଗୁରୁତ୍ବ ଦିଆଯାଉଥିବା ଅଭିଯୋଗ ତଥ୍ୟ ଆଧାରିତ ନୁହେଁ। ମଦ୍ୟପାନରେ ଅଭ୍ୟସ୍ତ ଥିବା ଲୋକମାନଙ୍କୁ ସୁଲଭ ତଥା ଉଚ୍ଚମାନର ମଦ ଅନୁମୋଦିତ ଦରରେ ଯୋଗାଇ ଏହାକୁ ନିୟନ୍ତ୍ରିତ କରାଯାଉଛି। ଯଦି ଏହି ଦେଶୀ ମଦର ଚାହିଦାକୁ ପୂରଣ କରା ନ ଯାଏ ତେବେ ଏହାର ସୁଯୋଗ ନେଇ ଚୋରା ମଦ ବେପାରୀମାନେ ସେମାନଙ୍କ ବେଆଇନ କାରବାର ବଢ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ୨୦୨୨-୨୩ ବର୍ଷର ଅବକାରୀ ନୀତିରେ ଦେଶୀ ମଦ୍ୟପାନରେ ଅଭ୍ୟସ୍ତ ଗ୍ରାହକମାନଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ରାଜ୍ୟରେ ଥିବା ଉତ୍ପାଦନ ସଂସ୍ଥା ଆସ୍କାର କୋପରେଟିଭ୍ ସୁଗାର ଇଣ୍ଡଷ୍ଟ୍ରିଜ୍‌ରେ ଉତ୍ପାଦିତ ହେଉଥିବା ଆସ୍କା-୪୦ର ଶକ୍ତିକୁ ୫୦ ଡିଗ୍ରି ଅପ୍ ଓ ୬୦ ଡିଗ୍ରି ଅପ୍‌ରେ ପରିଣତ କରି ଉତ୍ପାଦନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଦେଶୀମଦ ପାନ ଦ୍ବାରା ହେଉଥିବା ସ୍ବାସ୍ଥ୍ୟଗତ ସମସ୍ୟା ତଥ୍ୟ ଘରୋଇ ହିଂସାର ପ୍ରତିକାର ପାଇଁ ଜନସଚେତନତା ଲୋଡ଼ା। ରାଜ୍ୟ ସରକାର ଏଥିପାଇଁ ଯତ୍ନବାନ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର