୪୮ ବର୍ଷ ତଳର ରିଜ୍ୟୁମ୍ ସେୟାର କଲେ ବିଲ୍‌ ଗେଟ୍‌ସ

ୱାସିଂଟନ: କ‌ୌଣସି ଚାକିରି ପାଇଁ ଆବେଦନ କଲାବେଳେ ଆମକୁ ନିଜର ଶିକ୍ଷାଗତ ଯୋଗ୍ୟତା ଓ ବୃତ୍ତିଗତ ଅଭିଜ୍ଞତା ଆଦି ଲେଖାଥିବା ଏକ ଦଲିଲ ପ୍ରସ୍ତୁତ କରିବାକୁ ପଡ଼େ, ଯାହାକୁ ରିଜ୍ୟୁମ୍ ବା ବାୟୋଡାଟା ଆଦି କୁହାଯାଏ। ତାହା ପ୍ରସ୍ତୁତ କଲାବେଳେ ଡର ଲାଗେ, କାଳେ କିଛି ତ୍ରୁଟି ରହିଯିବ କି? ଏକ ତ୍ରୁଟିଶୂନ୍ୟ ଉଚ୍ଚମାନର ରିଜ୍ୟୁମ୍ ଚାକିରି ମିଳିବାରେ ସାହାଯ୍ୟ କରେ। ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍‌ସ ନିଜର ୪୮ ବର୍ଷ ତଳର ଏକ ପୁରୁଣା ରିଜ୍ୟୁମ୍ ଲିଂକଡ୍‌ଇନ୍‌ରେ ସେୟାର କରିଛନ୍ତି, ଯାହାକୁ ଏକ ଲକ୍ଷରୁ ଅଧିକ ଲାଇକ୍ ମିଳିବା ସହ ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହୋଇଛି। ଏହା ୪୮ ବର୍ଷ ତଳେ ବିଲ୍‌ ଗେଟ୍‌ସ ହାୱାଡ କଲେଜର ଛାତ୍ର ଥିବା ସମୟର ରିଜ୍ୟୁମ୍। ଏଥିରେ ତାଙ୍କର ପୂରା ନାଁ ଲେଖା ଅଛି ୱିଲିୟମ୍ ହେନରୀ ଗେଟ୍‌ସ। ସେ କଲେଜରେ କେଉଁ କେଉଁ ବିଷୟ ଅଧ୍ୟୟନ କରିଛନ୍ତି ତାହାର ବିବରଣୀ ଏଥିରେ ଦିଆଯାଇଛି, ଯଥା- ଅପରେଟିଂ ସିଷ୍ଟମ୍ସ ଷ୍ଟ୍ରକ୍ଚର, ଡାଟା ବେସ୍ ମ୍ୟାନେଜମେଣ୍ଟ, କମ୍ପାଇଲର କନ୍‌ଷ୍ଟ୍ରକ୍ସନ ଓ କମ୍ପ୍ୟୁଟର ଗ୍ରାଫିକ୍ସ। ବିଲ୍‌ ଗେଟ୍‌ସ ୫ ଦଶନ୍ଧି ତଳର ଏହି ରିଜ୍ୟୁମ୍ ସେୟାର କରି ତା’ ତଳେ କ୍ୟାପ୍ସନରେ ଲେଖିଛନ୍ତି- ଯଦି ଆପଣ ଜଣେ ନବ୍ୟ ସ୍ନାତକ ହୋଇଥିବେ ବା ଅଣ୍ଡରଗ୍ରାଜୁଏଟ୍ ବି ହୋଇଥିବେ ତେବେ ଆପଣଙ୍କର ରିଜ୍ୟୁମ୍ ମୋର ଏହି ୪୮ ବର୍ଷ ତଳର ରିଜ୍ୟୁମ୍‌ଠାରୁ ନିଶ୍ଚୟ ଭଲ ହୋଇଥିବ। ଗେଟ୍‌ସଙ୍କ ଏହି ପୁରୁଣା ରିଜ୍ୟୁମ୍‌କୁ ନେଟ୍ ବ୍ୟବହାରକାରୀମାନେ ବହୁତ ପସନ୍ଦ କରିଛନ୍ତି। ଅନେକେ ନିଜର ମତାମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର