ଭିସୁଟ୍‌ ଶିକ୍ଷକ ଆନ୍ଦୋଳନକୁ କଡ଼ା ଝଟକା: ଜଣେ ବହିଷ୍କୃତ, ୨ ନିଲମ୍ବିତ, ୧୫ଙ୍କୁ କାରଣ ଦର୍ଶାଅ ନୋଟିସ

ସମ୍ବଲପୁର: ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋଫେସର ଅଟଲ ଚୌଧୁରୀଙ୍କ ବହିଷ୍କାର ସମେତ ୧୦ ଦଫା ଦାବି ନେଇ ଶିକ୍ଷକ ସଂଘର ୨୫୦ରୁ ଉର୍ଦ୍ଧ୍ୱ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ଗତ ମାସ ୧୭ତାରିଖରୁ ଆନ୍ଦୋଳନରେ ବସିଛନ୍ତି। ତେବେ ଶନିବାର ଶିକ୍ଷକ ସଂଘର ଆନ୍ଦୋଳନ ଉପରେ ରାଜ୍ୟ ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଶିକ୍ଷକ ସଂଘର ସଭାପତି ପ୍ରଫେସର ଟି. ଆର ଦାସଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ଉପ-ସଭାପତି ଡ. ପାଣ୍ଡବ ପାତ୍ର ଓ ସଂପାଦକ ଡ. ପ୍ରଦୀପ ଦାସଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏହାବାଦ୍‌ ଧାରଣାରେ ବସିଥିବା ଶିକ୍ଷକଙ୍କ ମଧ୍ୟରୁ ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଛି।

ଏହି ନୋଟିସ୍‌ ପାଇଥିବା ଶିକ୍ଷକମାନେ ଆସନ୍ତା ୧୭ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟକୁ ଏହାର ଉତ୍ତର ଦେବାରୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଇବା, ନାମଲେଖା ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା, ଛାତ୍ରଛାତ୍ରୀଙ୍କୁ ପାଠ ନ ପଢ଼ାଇବା, ବିଶ୍ୱବିଦ୍ୟାଳୟ ପରିବେଶରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବା, ଧାରଣାସ୍ଥଳରେ ନାରାବାଜି କରିବା ଆଦି ଅଭିଯୋଗରେ ଶିକ୍ଷକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି।

ତେବେ ବହିଷ୍କୃତ ହୋଇଥିବା ପ୍ରଫେସର ଦାସଙ୍କ ବିରୋଧରେ ଅନ୍ୟ ଏକ ସଙ୍ଗିନ ଅଭିଯୋଗ ମଧ୍ୟ ଆସିଛି। ବିଶ୍ୱବିଦ୍ୟାଳୟର ନିଳମ୍ବିତ ପ୍ରଫେସର ଏସ୍‌.ପି ପାଣିଗ୍ରାହୀଙ୍କୁ ମଦ ପିଆଇ କୁଳପତିଙ୍କ ବିରୋଧରେ ଅସଙ୍ଗତ ଇ-ମେଲ ନେଇ ଅଭିଯୋଗ ହୋଇଛି। ତେବେ ଏ ସଂପର୍କରେ ପ୍ରଫେସର ଦାସଙ୍କୁ ପଚାରିବାରେ ସେ କୌଣସି ଇ-ମେଲ ସଂପର୍କରେ ଜାଣି ନଥିବା କହିଛନ୍ତି। ତାଙ୍କ ବିରୋଧରେ ଏହା ଷଡଯନ୍ତ୍ର ଓ ଚକ୍ରାନ୍ତ ହୋଇଥିବାରୁ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିବେ ବୋଲି ପ୍ରଫେସର ଦାସ କହିଛନ୍ତି।

ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିବ ନାଁ ପ୍ରତ୍ୟାହାର ହେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସଂପର୍କରେ ସଂଘ ସଂପାଦକ ଡ. ପ୍ରଦୀପ ଦାସଙ୍କୁ ପଚରାଯିବାରୁ ସେ କହିଛନ୍ତି, ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ।

ସମ୍ବନ୍ଧିତ ଖବର