ପଶ୍ଚିମ ଓଡ଼ିଶାରେ ଓକିଲଙ୍କ କାର୍ଯ୍ୟବନ୍ଦ ପ୍ରସଂଗ : ଆନ୍ଦୋଳନ ପ୍ରତ୍ୟାହାର କଲେ ଆଉ ୨ ସଂଘ

କଟକ : ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ପ୍ରସଂଗରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ପଶ୍ଚିମ ଓଡ଼ିଶାର ଆଉ ଦୁଇଟି ପ୍ରମୁଖ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ବଲାଙ୍ଗୀର ଓକିଲ ସଂଘ ଓ ଲୋଇସିଂଘା ଓକିଲ ସଂଘ ସେମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ସହିତ ଫେବ୍ରୁଆରି ୧୫ରୁ କୋର୍ଟ କାର୍ଯ୍ୟରେ ଯୋଗ ଦେବେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆଇନଜୀବୀ ଆନ୍ଦୋଳନ ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା। କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରି କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ କହିଥିଲା। କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ପଶ୍ଚିମ ଓଡ଼ିଶାର ୧୭ଟି ବାର୍ ଆସୋସିଏସନର କର୍ମକର୍ତ୍ତାଙ୍କ ସହିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ରହିଥିବା ରାଜ୍ୟ ଆଇନଜୀବୀ ପରିଷଦ ଜାନୁଆରି ୨୨ରେ ଚେତାଇ ଦେଇଥିଲା। ଏହାପରେ କେତେକ ବାର୍ ଆସୋସିଏସନ୍ ଆନ୍ଦୋଳନ ପ୍ରତ୍ୟାହାର କରି କୋର୍ଟ କାର୍ଯ୍ୟରେ ଯୋଗ ଦେଇଥିବାବେଳେ ଅନ୍ୟ କେତେକ ସଂଘ ଆନ୍ଦୋଳନ ଜାରି ରଖିଥିଲେ। ଅନ୍ୟପକ୍ଷରେ ଆନ୍ଦୋଳନ ଜାରି ରହିଥିବା ସ୍ଥାନରୁ ମାମଲା ସ୍ଥାନାନ୍ତର ପାଇଁ ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ପଦକ୍ଷେପ ଗ୍ରହଣ କରାଯାଇଛି।

ଜାନୁଆରି ୧୦ରେ ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ସଂପର୍କିତ ମାମଲାର ଶୁଣାଣି କରି କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଆଇନଜୀବୀଙ୍କ ବିରୋଧରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୁପ୍ରିମକୋର୍ଟ ଆଶା ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ, କେତେକ କୋର୍ଟରେ ପ୍ରତି ମାସ‌ର କେତେକ ନିର୍ଦ୍ଦିଷ୍ଟ ଦିନ କୋର୍ଟ କାର୍ଯ୍ୟ ବର୍ଜନ କରାଯାଉଛି କିମ୍ବା କେବଳ ଜାମିନ ଓ ଇଞ୍ଜକ୍ସନ ମାମଲା ଶୁଣାଣି କରାଯାଉଛି। ଏଭଳି ସ୍ଥିତି ସଂପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିବା ସହିତ ସିଭିଲ ଓ କ୍ରିମିନାଲ ଟ୍ରାଏଲ ଜାରି ରହିବା ଉପରେ ଗୁରୁତ୍ବାରୋପ କରିଥିଲେ। ନିର୍ଦ୍ଦିଷ୍ଟ ଦିବସରେ ଆଇନଜୀବୀଙ୍କ ପକ୍ଷରୁ କୋର୍ଟ ବର୍ଜନ କରାଯାଉଥିବା ବେଳେ ପସନ୍ଦମୁତାବକ କାର୍ଯ୍ୟ କରାଯାଉଥିବା ସ୍ଥିତିରେ ୨୦୧୯ ଡିସେମ୍ବର ୬ରେ ସୁପ୍ରିମକୋର୍ଟ କୋର୍ଟ କାର୍ଯ୍ୟ ସ୍ବାଭାବିକ ପ୍ରସଂଗରେ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଆଇନଜୀବୀ ପରିଷଦ ଓ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ସପ୍ତାହ ଭିତରେ ଏ ନେଇ ଅବଗତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୭କୁ ଧାର୍ଯ୍ୟ କରାଯାଇଥିବା ବେଳେ ଆଇନଜୀବୀ ପରିଷଦ ପକ୍ଷରୁ ଏହି ପ୍ରସଂଗରେ ପୂର୍ବରୁ ପଦକ୍ଷେପ ନିଆଯାଇଥିଲା କାର୍ଯ୍ୟବନ୍ଦ ଜାରି ରଖିଥିବା ଆଇନଜୀବୀମାନଙ୍କୁ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ କହିଥିଲା।

ସମ୍ବନ୍ଧିତ ଖବର