ପଞ୍ଚସଖା ନଗରରେ ତେଜୁଛି ଅସନ୍ତୋଷ: ପୁଣି ସର୍ବସାଧାରଣ ପ୍ଲଟ୍‌କୁ ବିକିଲା ସୋସାଇଟି

ଖଣ୍ଡଗିରି: ସ୍ଥାନୀୟ ଡୁମୁଡୁମା ପଞ୍ଚସଖାନଗରରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପ୍ଲଟ୍‌ଗୁଡ଼ିକୁ ପୁଣି ବେଆଇନ ଭାବେ ସୋସାଇଟି ବିକିବା ଆରମ୍ଭ କରିଛି। ବାରମ୍ବାର ଅଭିଯୋଗ ପରେ ବି ସୋସାଇଟିର ଏଭଳି ବେଆଇନ କାମ ବନ୍ଦ ହେଉ ନଥିବାରୁ ନଗରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ପୂର୍ବରୁ ବହୁ ସର୍ବସାଧାରଣ ପ୍ଲଟ ବିକିଥିବା ସୋସାଇଟି ଏବେ ପୁଣି ଏକ ପାର୍କ ପାଇଁ ଉଦ୍ଦିଷ୍ଟ ପ୍ଲଟକୁ ବିକ୍ରି କରି ସାରିଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ତେଣୁ ଖୁବ୍‌ଶୀଘ୍ର ସେମାନେ ଏହା ବିରୋଧରେ ଉପଯୁକ୍ତ ଫୋରମ୍‌ରେ ଅଭିଯୋଗ କରିବା ସହ ମାନ୍ୟବର ଅଦାଲତଙ୍କ ଦ୍ବାରସ୍ଥ ହେବେ ବୋଲି ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି।

ପଞ୍ଚସଖାନଗରବାସୀଙ୍କ ଅଭିଯୋଗ ଅନୁସାରେ, ସେମାନେ କ୍ୟାପିଟାଲ ଅର୍ବାନ୍‌ ହାଉସ୍‌ ବିଲ୍ଡିଂ କୋ-ଅପରେଟିଭ୍‌ ସୋସାଇଟିରୁ ପ୍ଲଟ୍‌ କିଣିଥିଲେ। ସହିଦନଗର, ବାପୁଜୀନଗର, ଗୌତମନଗର ଓ ବୁଦ୍ଧେଶ୍ବରୀ ଅଞ୍ଚଳରେ ଏହି ସୋସାଇଟି ଲୋକଙ୍କୁ ଘର ପାଇଁ ପ୍ଲଟ୍‌ ଯୋଗାଇ ସୁନାମ ଅର୍ଜନ କରିଥିବାରୁ ପଞ୍ଚସଖାନଗରବାସୀଙ୍କ ଦୃଢ଼ ଭରସା ସୃଷ୍ଟି ହୋଇଥିଲା। ତେଣୁ ଡୁମୁଡୁମା ଅଞ୍ଚଳରେ ସୋସାଇଟି ଚକ ଜମି କିଣି ଏହି ପ୍ରକଳ୍ପ ଆରମ୍ଭ କରିବା ପରେ ଲୋକେ ଏଠାରେ ପ୍ଲଟ୍‌ କିଣିଥିଲେ। ପ୍ରାୟ ୮୫ ଏକର ପରିମିତ ଜମି ଉପରେ ଏହି ନଗର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା। ଏହି ପ୍ରକଳ୍ପରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଯଥା ଫାଣ୍ଡି, ବିଦ୍ୟାଳୟ, ଡାକଘର, ମନ୍ଦିର, କମ୍ୟୁନିଟି ହଲ୍‌, ମାର୍କେଟ୍‌ କମ୍ପ୍ଲେକ୍ସ ପାର୍କ ଆଦି ପାଇଁ ଆବଶ୍ୟକ ମୁକ୍ତ ପ୍ଲଟ୍‌ ରଖାଯାଇଥିଲା ଓ ପ୍ଲଟ୍‌ ବିକ୍ରି ବେଳେ ବ୍ରୋଚର୍‌ରେ ଏସବୁ ଦର୍ଶା ଯାଇଥିଲା। ଏଥିସହ ସୋସାଇଟି ନିଜ ଖର୍ଚ୍ଚରେ ଚକ ଜମିକୁ ଘରବାରିରେ ପରିଣତ କରି ଲୋକଙ୍କୁ ରେକର୍ଡ ଅଫ୍‌ ରାଇଟ୍‌ ଦେବ ବୋଲି କୁହାଯାଇଥିଲା। ମାତ୍ର ଲୋକେ ପ୍ଲଟ୍‌ କିଣି ଘର କରିବା ପରେ ସୋସାଇଟି କିସମ ପରିବର୍ତ୍ତନ କରିବା ନାଁ ଧରିଲା ନାହିଁ। ଫଳରେ ବିଡିଏ ମଞ୍ଜୁରି ପାଇଁ ଲୋକେ ବାଧ୍ୟ ହୋ‌ଇ ନିଜ ଖର୍ଚ୍ଚରେ କିସମ ପରିବର୍ତ୍ତନ କ‌ରାଇଲେ। ପରେ ପରେ ସୋସାଇଟି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପ୍ଲଟଗୁଡ଼ିକ ବିକିବା ଆରମ୍ଭ କଲା। ତେଣୁ ନଗରବାସିନ୍ଦାମାନେ ଅଭିଯୋଗ କଲେ ଓ କଥା ମୁଖ୍ୟ ଶାସନ ସଚିବଙ୍କ ଦପ୍ତରରେ ପହଞ୍ଚିଥିଲା। ଫଳରେ ତତ୍କାଳୀନ ରେଜିଷ୍ଟ୍ରାରଙ୍କ ନିର୍ଦେଶରେ ଜେଆର୍‌ସିଏସ୍‌ ତଦନ୍ତ କରିଥି‌ଲେ। ୨୦୧୦ ମସିହାରେ ଏହି ଯାଞ୍ଚ କରାଯାଇଥିଲା ଓ ରିପୋର୍ଟରେ ସର୍ବସାଧାରଣ ପ୍ଲଟ ବିକ୍ରି ବନ୍ଦ କରିବା ପାଇଁ ସୁପାରିସ କରାଯାଇଥିଲା। କେବଳ ସେତିକି ନୁହେଁ, ତୁରନ୍ତ ସର୍ବସାଧାରଣ ପ୍ଲଟ ଓ ରାସ୍ତା ଜମିର କିସମ ପରିବର୍ତ୍ତନ କରି ବିଡିଏକୁ ହସ୍ତାନ୍ତର କରିବାକୁ ସୁପାରିସ କରାଯାଇଥିଲା। ମାତ୍ର ପରେ ଏହି ତଦନ୍ତ ରିପୋର୍ଟକୁ ଚାପି ଦିଆଯାଇଥିଲା। ଫଳରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତଥା ସ୍ଥାନୀୟ ବିଧାୟକଙ୍କ ପାଣ୍ଠିରୁ କମ୍ୟୁନିଟି ହଲ୍‌ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲେ ବି ପ୍ଲଟ ହସ୍ତାନ୍ତର ହୋଇ ନ ଥିବାରୁ କାମ ହୋଇପାରିନାହିଁ। କିନ୍ତୁ ଏବେ ପାର୍କ ପାଇଁ ଉଦ୍ଦିଷ୍ଟ ପ୍ଲଟକୁ ବାଲି ପକାଇ ପୋତାଯାଉଛି। ଏହି ପ୍ଲଟକୁ ସୋସାଇଟି ଦୁଇ ଜଣଙ୍କୁ ବିକିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର