ଗୁଡ଼ହାଣ୍ଡି-ଡୋକରୀଚଞ୍ଚରା ମାନବ ସଂଗ୍ରହାଳୟ କେବେ?
୯ ବର୍ଷ ହେଲା ଝୁଲି ରହିଛି ପ୍ରସ୍ତାବ,୨୦୧୩ ମସିହାରୁ କେନ୍ଦ୍ର ସରକାରଙ୍କ ବିଚାରାଧୀନ
ଦେବେନ୍ଦ୍ର ବିଶି
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି-ଡୋକରୀଚଞ୍ଚରା ଠାରେ ପ୍ରସ୍ତାବିତ ଦେଶ ଚତୁର୍ଥ ମାନବ ସଂଗ୍ରହାଳୟ ଅନିଶ୍ଚିତତା ମଧ୍ୟରେ ରହିଛି। କେନ୍ଦ୍ର ସରକାରଙ୍କର ଉଦାସୀନତା ଯୋଗୁଁ ୯ ବର୍ଷ ହେଲା ପ୍ରସ୍ତାବ ଝୁଲି ରହିଛି। ଭାରତର କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମାନବ ସଂଗ୍ରହାଳୟ ରହିଥିବାବେଳେ କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି-ଡୋକରୀଚଞ୍ଚରା ଠାରେ ଚତୁର୍ଥ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ୨୦୧୩ ମସିହାରୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ବିଚାରାଧୀନ ରହିଛି। ତେବେ, ଏହି ପ୍ରସ୍ତାବକୁ ସଂପୃକ୍ତ ବିଭାଗ ପକାଇ ରଖି ଏକ୍ଷେତ୍ରରେ କୌଣସି ଆଗ୍ରହ ଦେଖାଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ୍ ଗୁଡ଼ହାଣ୍ଡି-ଡୋକରୀଚଞ୍ଚରା ନେଇ ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଇତିହାସ ବିଭାଗ ମୁଖ୍ୟ ଡ. ବାବା ମିଶ୍ର ଅନେକ ଗବେଷଣା କରି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ତାଙ୍କ ସନ୍ଦର୍ଭ ଅନୁଯାୟୀ ଇଣ୍ଡିଆନ୍ ଆର୍କିଓଲୋଜିକାଲ୍ ସୋସାଇଟିର ପୁରାତତ୍ତ୍ବରେ ଡ. ମିଶ୍ର ଗୁଡ଼ହାଣ୍ଡି-ଡୋକରିଚଞ୍ଚରାର ବହୁ ଦୁର୍ଲଭ ତଥ୍ୟ ଉପସ୍ଥାପନ କରିଥିଲେ। ଏଠାରେ ୧୦ ହଜାର ବର୍ଷ ପୂର୍ବ ପ୍ରାଗ ଐତିହାସିକ ଗୁମ୍ଫାଚିତ୍ର ଦେଖିବାକୁ ମିଳେ। ଏହା ନୂତନ ପ୍ରସ୍ତର ଯୁଗ ସହିତ ସାମଞ୍ଜସ୍ୟ ରହିଛି। ପୁରାତନ ପ୍ରସ୍ତର ଠାରୁ ଲୌହଯୁଗ ପର୍ଯ୍ୟନ୍ତ ହାତ ହତିଆରର ଚିତ୍ର ଦେଖିବାକୁ ମିଳେ। ଏହା ସହିତ ଦୁର୍ଲଭ ଔଷଧୀୟ ବୃକ୍ଷ ମଧ୍ୟ ଦେଖିବାକୁ ମିଳେ। ତାଙ୍କ ଦ୍ବାରା ୬୧ ପ୍ରକାର ଲୌକିକ ଚେରମୂଳି ଔଷଧୀୟ ବୃକ୍ଷ ଠାବ ହୋଇଛି। ଏ ଅଞ୍ଚଳରେ ପ୍ରାଗ ଐତିହାସିକ ପଥର ଖୋଦେଇ, ଗୁମ୍ଫା ଚିତ୍ର ରହିଛି। ଏହା ସହିତ ମେଗାଲିଥିକ ସଂସ୍କୃତି, ମେନେହିର (ପଥର ଖମ୍ବ), ଡୋକରିଚଞ୍ଚରାର ସୂତାକୁଞ୍ଜଠାରେ ମଧ୍ୟ ଏଭଳି ପୁରାତତ୍ତ୍ବ ପଥର ଚିତ୍ର କଳା ଦେଖିବାକୁ ମିଳେ। ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ, ବେହେରା ଡ୍ୟାମ୍, ଭୌଗୋଳିକ ଇକୋ-ଟୁରିଜିମ, ଆଦିବାସୀ ପାରମ୍ପରିକ ଜ୍ଞାନକୌଶଳ ଦେଖିବାକୁ ମିଳେ।
ଏହାର ଗବେଷଣା ପାଇଁ ଜାତୀୟସ୍ତରର ବହୁ ଐତିହାସିକ ଡ. ବାବା ମିଶ୍ରଙ୍କ ସହିତ ମିଶି ଗବେଷଣା ମଧ୍ୟ କରିଛନ୍ତି। ସେମାନଙ୍କ ସନ୍ଦର୍ଭ ଦେଶ ତଥା ବିଦେଶର ଇତିହାସ କଂଗ୍ରେସରେ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ନେଇ ଉପସ୍ଥାପନ ହୋଇଛି। ୨୦୧୩ ମସିହାରେ ଡ. ବାବା ମିଶ୍ରଙ୍କ ମାର୍ଗଦର୍ଶନରେ ବେରୁଟରେ ଅବସ୍ଥାପିତ ପ୍ରବାସୀ କଳାହାଣ୍ଡି ପ୍ରଫେସର ଡ. ଦିଗମ୍ବର ପାତ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଗୁଡ଼ହାଣ୍ଡି ଡୋକରି ଚଞ୍ଚରାରେ ଭୋପାଳ (ମଧ୍ୟପ୍ରଦେଶ), ରାୟପୁର (ଛତିଶଗଡ଼), କର୍ଣ୍ଣାଟକ ଭଳି ମାନବ ସଂଗ୍ରହାଳୟ ସ୍ଥାପନ ପାଇଁ ଲିଖିତ ଭାବେ ଜଣାଇଥିଲେ। ଏହାର ଜବାବରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଡ. ଦେବନନ୍ଦ ବାଲୋଡ଼ି ଏନେଇ ସଂସ୍କୃତି ମନ୍ତ୍ରାଳୟ ଗୁରୁତ୍ବ ସହିତ ବିଚାର କରୁଛି ବୋଲି ୨୦୧୩ ମସିହା ଅଗଷ୍ଟ ୨୬ ତାରିଖରେ ଚିଠି ମାଧ୍ୟମରେ ଜଣାଇଥିଲେ।
କିନ୍ତୁ ଦୀର୍ଘ ୯ବର୍ଷ ପରେ ମଧ୍ୟ ମାନବ ସଂଗ୍ରହାଳୟ ଅନିଶ୍ଚିତତା ମଧ୍ୟରେ ରହିଯାଇଛି। ଦୀର୍ଘ ୯ବର୍ଷ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ କୌଣସି ତତ୍ପରତା ପ୍ରକାଶ ନକରିବା ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ କେନ୍ଦ୍ର ସଂସ୍କୃତି ବିଭାଗକୁ ଏନେଇ ଦାବି ଉପସ୍ଥାପନ କରାଗଲେ ମାନବ ସଂଗ୍ରହାଳୟ ପାଇଁ ପଥ ଖୋଲନ୍ତା ବୋଲି ସାଧାରଣରେ ଦାବି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ୧୯୪୬ ମସିହାରେ କଳାହାଣ୍ଡି ଗଡ଼ଜାତ ରାଜ୍ୟର ଆରର୍କିଓଲୋଜିକାଲ୍ ଡିପାର୍ଟମେଣ୍ଟ୍ ପକ୍ଷରୁ ପ୍ରଥମେ ଏହା ପ୍ରାଗଐତିହାସିକ ଯୁଗର ବୋଲି ଲୋକ ଲୋଚନକୁ ଅଣାଯାଇଥିଲା। ବର୍ତ୍ତମାନ ଏହାର ଗବେଷଣା ପାଇଁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଗବେଷଣା ସହିତ ଐତିହାସିକ ଗୁମ୍ଫା ଚିତ୍ରର ସୁରକ୍ଷା ଅପରିହାର୍ଯ୍ୟ ହୋଇଛି।