ଜୟପୁରରେ ସିଟି ବସ୍‌ ସେବା; ୨ଟିରେ ନିଆଁ ଲାଗିବା ପରେ ବଳକାର ସୁରକ୍ଷା ଦାୟିତ୍ବ କାହାର?

ଜୟପୁର: ଗତ ୭ବର୍ଷ ତଳେ ଆରମ୍ଭ ହୋଇଥିବା ‘‘ସିଟି ବସ ‌ସେବା’’ ଯୋଜନା ସ୍ବଳ୍ପ କିଛି ମାସ ଚାଳି ବନ୍ଦ ହୋଇ ଯାଇଥିଲା। ଏହା ପରେ ଜୟପୁର –ବୋରିଗୁମ୍ମା ଜାତୀୟ ରାଜପଥ କଡ ଜୟପୁର ଜୀବନବୀମା କାର୍ଯ୍ୟାଳୟ ପାର୍ଶ୍ବରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା ୨୦ଟି ସିଟି ବସ । ଗତ ୩ତାରିଖ ଦିନ ଏଠାରେ ଥିବା  ବସ ମଧ୍ୟରୁ ୨ଟିରେ ନିଆଁ ଲାଗିଯାଇଥିଲା। ସଂପ୍ରତି ଏହି ବସ ସେବା ଚଳାଇବାକୁ ନେଇଥିବା ସଂସ୍ଥା କୋର୍ଟର ଦ୍ବାରସ୍ଥ ହେବା ପରେ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏହି ସ୍ଥିତିରେ ପ୍ରଶାସନ ବି ହାତ ମାରୁନି। ଅପରପକ୍ଷରେ ଉକ୍ତ ପରିଚାଳନା ସଂସ୍ଥା ବି ଏହାର ସୁରକ୍ଷା ଦିଗରେ ପଦକ୍ଷେପ ନେଉନି। କେହି ସୁରକ୍ଷା ଦାୟିତ୍ବ ନେଉ ନଥିବାରୁ ଟାୟର, ଯନ୍ତ୍ରାଂଶ, ବିଞାନପ୍ରଯୁକ୍ତି ବିଦ୍ୟା ସଂଯୋଗ ଥିବା ବୈଷୟିକ ସାମଗ୍ରୀ ଗୁଡିକ ଏଠାରୁ ଗାୟବ ହୋଇଯାଇଛି। କେବଳ ବସର ଖୋଳ, ଭଙ୍ଗା ଦଦରା ଯନ୍ତ୍ରାଂଶ ଓ ସିଟ ହିଁ ବଂଚିଛି।

ପ୍ରକାଶଯୋଗ୍ୟ,୨୦୧୬ମସିହାରେ ରାଜ୍ୟସରକାର ୨୦ଟି ବସକୁ ନେଇ ଆରମ୍ଭ କରିଥିଲେ ‘‘ସିଟି ବସ ‌ସେବା ’’ ଯୋଜନା। ଜୟପୁରରୁ କୋରାପୁଟ, ବୋରିଗୁମ୍ମା, କୋଟପାଡ, କୁନ୍ଦୁରା, ପଟାଙ୍ଗି, ସୁନାବେଡା, ସିମିଳିଗୁଡା ଆଦି ଗାଁକୁ ଏହି ସିଟି ବସ ସେବା ଆରମ୍ଭ ହୋଇଥିଲା।  ଜୟପୁର-କୋରାପୁଟ-ସୁନାବେଡ଼ା ଅର୍ବାନ ଟ୍ରାନସଫୋର୍ଟ ଟ୍ରଷ୍ଟ ଗଠନ କରାଯାଇଥିଲା। ଏଥିରେ ଅଧ୍ୟକ୍ଷ ଜିଲ୍ଲାପାଳ, ଟ୍ରଷ୍ଟର ସଭ୍ୟ ଭାବେ ଏସପି, ଜୟପୁର, ସୁନାବେଡା, କୋରାପୁଟ ଓ କୋଟପାଡ ପୌରପାଳିକା ନିର୍ବାହୀ ଅଧିକାରୀ, କ୍ରିଟ ସଂପାଦକ, ଆରଟିଓ, ହାଲ, ନାଲକୋ ଓ ବିଭାଗର ଜଣେ ମନୋନୀତ ପ୍ରତିନିଧି ଏଥିରେ ସଭ୍ୟ। ଏପରିକି ଜୟପୁର ପୌରପାଳିକା ଏହି ଟ୍ରଷ୍ଟ ପାଇଁ ଜୟପୁର ପୌରପାଳିକା ୪ଲକ୍ଷ, କୋରାପୁଟ ‌ପୌରପାଳିକା ୨ଲକ୍ଷ , ସୁନାବେଡା ପୌରପାଳିକା , କ୍ରିଟ୍ , ନାଲକୋ ଓ ହାଲ ଏକ ଲକ୍ଷ ଲେଖାଏଁ ଏଭଳି ୧୦ଲକ୍ଷ ଜମା କରାଯାଇଥିଲା।  ସରକାରଙ୍କ ତରଫରୁ ଟେଣ୍ଡର ପ୍ରକ୍ରିୟା କରିବା ସହ ଟ୍ରଷ୍ଟ ସହ  ଠିକା ସଂସ୍ଥା ଚୁକ୍ତି କରି ନେଇଥିଲେ। ଅନେକ ସର୍ତ୍ତ ବି ରଖାଯାଇଥିଲା।

ସହର ଓ ଗ୍ରାମାଂଚଳ ଲୋକଙ୍କୁ ଗମନାଗମନ ସୁବିଧା ଯୋଗାଇବ । ବସରେ ସିଟ୍ ଯେତିକି, ସେତିକି ଯାତ୍ରୀ ଯାତାୟାତ କରିବେ ଏବଂ ଜିଲ୍ଲା ପ୍ରଶାସନ ଏହାର ତଦାରଖ କରିବେ । କିନ୍ତୁ ସେମିତି କିଛି ହେଲା ନାହିଁ । ହେଲେ ଆରମ୍ଭର ମାତ୍ର ୩ ମାସରେ  ସେବା ଠପ୍ ହୋଇଯାଇଥିଲା। ତା ପର ଠାରୁ  ସବୁ ବସ ଗୋଟିଏ ପଡିଆରେ ଠିଆ ହୋଇଥିବା ବେଳେ ଏବେ ଖତଗଦା ପାଲଟି ଯାଇଛି । ୫ କୋଟି ୨୦ ଲକ୍ଷ ଟଙ୍କାର ବସ ଗଡିବା ଠାରୁ ଆରମ୍ଭ କରି ଗୋଟିଏ ସ୍ଥାନରେ ଠିଆ ହୋଇ ଖତ ହେବା ଯାଏଁ ଜିଲ୍ଲା ପ୍ରଶାସନ ତଦାରଖ କରିବା କିଭଳି ଏହି ବସ ଗୁଡିକ ଚାଳିବ ସେ ସଂପର୍କରେ ଦେଖି ନଥିଲେ। ଜାନୁଆରୀ ମାସରେ  ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କାର ଏହି ଅତ୍ୟାଧୁନିକ ବସ ଗୁଡ଼ିକୁ ସ୍କ୍ରାପରେ  ବିକ୍ରୀ କରି କିଛି ଟଙ୍କା ବାହାର କରି ସରକାରୀ ତହବିଲରେ ଜମା କରିବାକୁ ବିଭାଗୀୟ ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଥିଲେ।  ଏବଂ କ୍ଷତିଭରଣା କରିବାକୁ ଉକ୍ତ ପରିଚାଳନା ଘରୋଇ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୧୦ମାସ ମଧ୍ୟରେ ପ୍ରଶାସନ ଏ ନେଇ କିଛି ପଦକ୍ଷେପ ନେଇ ନଥିଲେ। ଏହାରି ମଧ୍ୟରେ ଉକ୍ତ ସଂସ୍ଥା ପକ୍ଷରୁ ହାଇକୋର୍ଟର ଦ୍ବାରସ୍ଥ ବି ହୋଇଛି। ଲତାବୁଧା ମଧ୍ୟରେ ଏସବୁ ଗାଡ଼ି ରହୁଥିବା ବେଳେ ମଦୁଆ ଓ ଅସମାଜିକଙ୍କ ଅଡ୍ଡା ପାଲଟିଛି । ୨ଟିରେ ନିଆଁ ଲାଗିବା ଭଳି ଅନ୍ୟ ଗାଡ଼ି ଗୁଡିକର ସୁରକ୍ଷା କିଏ କରିବେ ତାହାକୁ ନେଇ ଏବେ ବିରାଟ ବଡ ପ୍ରଶ୍ନ ସୃଷ୍ଟି କରିଛି।

 

 

 

ସମ୍ବନ୍ଧିତ ଖବର