ବାଇକ୍ ଦୁର୍ଘଟଣାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ

ନୂଆପଡ଼ା/ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନିଲଜି ଗ୍ରାମ ବିଜୁ ଏକ୍ସପ୍ରେସ ୱେ’ରେ ବାଇକ୍ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ନିଲଜି ଗ୍ରାମର ସୁପାର ବାଗ (୫୭) ବୋଲି ଜଣାପଡ଼ିଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଶବ ରଖି ରାସ୍ତାରୋକ କରିଛନ୍ତି।

ସୂଚନାମତେ, ନିଲଜି ଗ୍ରାମର ସୁପାର ବାଗ ଗତ ବୁଧବାର ରାତି ପ୍ରାୟ ୮ଟାରେ ଶୌଚ ପାଇଁ ବିଜୁ ଏକ୍ସପ୍ରେସ ରାସ୍ତାକଡ଼କୁ ଯାଇଥିଲେ। ଘରକୁ ଫେରୁଥିବା ସମୟରେ ଏକ ବାଇକ୍ ( ଓଡି ୦୮-୮୮୯୪) ତାଙ୍କୁ ଧକ୍କା ଦେଇଥିଲା। ପରେ ବାଇକ୍ ଚାଳକ ଗାଡ଼ି ଛାଡ଼ି ଫେରାର୍ ମାରିଥିଲା। ପରିବାର ଲୋକ ତୁରନ୍ତ ସୁପାରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଧର୍ମଗଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ଶବ ରଖି ସିନାପାଲି-ବୋଡ଼େନ ରାସ୍ତା ଅବରୋଧ କରିଥିଲେ।

ଘଟଣାସ୍ଥଳକୁ ସିନାପାଲି ଥାନା ଅଧିକାରୀ ଡମ୍ୱରୁଧର ପ୍ରଧାନ, ସିନାପାଲି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝୀ, ଏସ୍‌ଆଇ ଗୌରୀଶଙ୍କର ଦାସ, ଏଏସ୍‌ଆଇ ପ୍ରଭାକର ପ୍ରମୁଖ ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପରେ ରାସ୍ତାରୁ ହଟିଥିଲେ। ଅନ୍ୟପକ୍ଷରେ ପରିବାର ଲୋକଙ୍କ ଅଭିଯୋଗ ପରେ ସିନାପାଲି ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର