ଆଜି ବିଶ୍ୱ ପର୍ଯ୍ୟଟନ ଦିବସ : ସ୍ୱପ୍ନ, ଯୋଜନାରେ ପର୍ଯ୍ୟଟନର ବିକାଶ

ଭୁବନେଶ୍ବର : ପର୍ଯ୍ୟଟନ ପାଇଁ ବ୍ୟାପକ ସମ୍ଭାବନା ଓଡ଼ିଶାରେ ଅଛି। ୪୮୦ କିଲୋମିଟର୍ ବେଳାଭୂମି, ପୁରାତନ ମନ୍ଦିର, ଅଭୟାରଣ୍ୟ, ଜଳପ୍ରପାତ ଏମିତି କେତେ କ’ଣ। ପ୍ରାଚୁର୍ଯ୍ୟରେ ଭରା ଏହି ରାଜ୍ୟ ପର୍ଯ୍ୟଟନକୁ ନେଇ ସାରା ବିଶ୍ବରେ ପରିଚିତ ହେବ।

ରାଜ୍ୟ ପର୍ଯ୍ୟଟନକୁ ନେଇ ଏମିତି କିଛି ଧାଡ଼ି ଗତ କିଛି ବର୍ଷ ହେଲା ଶୁଣିବାକୁ ମିଳୁଛି। ଯେତେବେଳେ ପର୍ଯ୍ୟଟନକୁ ନେଇ କିଛି ସଭା, ସମିତି ହେଉଛି ସେତେବେଳେ ଏହି ଭାଷଣବାଜି ଚାଲୁଛି। କିନ୍ତୁ ପର୍ଯ୍ୟଟନର ବିକାଶ କେତେ ହୋଇଛି, ତାହାର ଠୋସ୍ ହିସାବ କାହା ପାଖରେ ନାହିଁ। ଯେତେବେଳେ ଯାହା ଘୋଷଣା ହୋଇଛି, ତାହା କେବଳ ଘୋଷଣାରେ ଅଟକିଯାଇଛି। କିଛି ହାତଗଣତି ପ୍ରକଳ୍ପ ଛାଡ଼ିଦେଲେ ପର୍ଯ୍ୟଟନ ବିଭାଗ ସେମିତି କିଛି ବିଶାଳ ଭିତ୍ତିଭୂମି ସୃଷ୍ଟି କରିପାରିନି, ଯେଉଁଥିରେ କି ପର୍ଯ୍ୟଟକମାନେ ଓଡ଼ିଶା ପ୍ରତି ଆକୃଷ୍ଟ ହେବେ। ପୁରୀ-ଭୁବନେଶ୍ବରକୁ ରାଜ୍ୟ ପର୍ଯ୍ୟଟନର କେନ୍ଦ୍ର କୁହାଯାଉଥିଲେ ବି ଏଠାରେ ପର୍ଯ୍ୟଟନ ବିଭାଗର ଅଧିକାଂଶ ପ୍ରକଳ୍ପ ଅଧପନ୍ତରିଆ ଭାବେ ପଡ଼ିଛି।

 

ଗତ କିଛି ବର୍ଷ ହେଲା ରାଜ୍ୟରେ ତାରକା ହୋଟେଲ୍‌ର ଆବଶ୍ୟକତା ଅନୁଭୂତ ହେଉଛି। ବଡ଼ ବଡ଼ ଜାତୀୟ, ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମ ଭୁବନେଶ୍ବରରେ ଆୟୋଜନ ହେଉଥିବାରୁ ହୋଟେଲ୍‌ ରୁମ୍‌ ଅଧିକ ଆବଶ୍ୟକ ହେଉଛି। କିନ୍ତୁ ନିକଟ ଅତୀତରେ ଗୋଟିଏ ବି ତାରକା ହୋ‌େଟଲ୍‌ ଖୋଲି ନାହିଁ। ପର୍ଯ୍ୟଟନର ବିକାଶ ପାଇଁ ବିମାନ ସେବା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଭୁବନେଶ୍ବର ବିମାନବନ୍ଦରକୁ କେବେ ଠାରୁ ଆନ୍ତର୍ଜାତିକ ମାନ୍ୟତା ଦିଆସରିଲାଣି। କିନ୍ତୁ କେବଳ କ୍ବାଲାଲାମ୍ପୁର ଓ ବ୍ୟାଙ୍ଗକ୍‌କୁ ବିମାନ ଚଳାଚଳ କରୁଥିଲା। ଗତକାଲି ଠାରୁ ବ୍ୟାଙ୍ଗକ୍‌କୁ ବିମାନ ସେବା ବନ୍ଦ ହୋଇଯାଇଛି। ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ କେନ୍ଦ୍ରକୁ କେବଳ ଚିଠି ଲେଖାଯିବା ବାଦ୍ ସେଥିରେ ବିଶେଷ ଅଗ୍ରଗତି ହୋଇ ନାହିଁ।

ରାଜ୍ୟ ପର୍ଯ୍ୟଟନ ପାଇଁ ଜାତୀୟ ସ୍ତରର ଜଣେ ଅଭିନେତା କିମ୍ବା କ୍ରୀଡ଼ାବିତ୍‌ଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର୍ କରିବା ପାଇଁ ବହୁ ସମୟରେ ଆଲୋଚନା ହୋଇଛି। କିନ୍ତୁ ବିଭାଗ ପକ୍ଷରୁ ସେ ଦିଗରେ ଯଥେଷ୍ଟ ଉଦ୍ୟମ କରାଯାଇ ନାହିଁ। କେବଳ କିଛି ଓଡ଼ିଆ ଅଭିନେତା, ଅଭିନେତ୍ରୀଙ୍କୁ ଭରସା କରି ରାଜ୍ୟ ପର୍ଯ୍ୟଟନର ପ୍ରଚାର ଚାଲିଛି।

ପୁରୀରେ ଏବେ ଏକାଧିକ ବିକାଶମୂଳକ ପ୍ରକଳ୍ପ ସରକାର ହାତକୁ ନେଉଛନ୍ତି। ପୂର୍ବରୁ ପର୍ଯ୍ୟଟନ ବିଭାଗ ମଧ୍ୟ କିଛି ପ୍ରକଳ୍ପ ହାତକୁ ନେଇଥିଲା। କିନ୍ତୁ ସେଥିରୁ ଅଧିକାଂଶ ସଫଳ ହୋଇପାରି ନାହିଁ। ନବକଳେବର ସମୟରେ ପିପିଲି ନିକଟରେ କ୍ରାଫ୍ଟ ଭି‌େଲଜ୍ ହୋଇଥିଲା। ଚାରି ବର୍ଷ ହେଲା ସେଠାରେ ତାଲା ଝୁଲୁଛି। ପୁରୀରେ ନୀଳାଚଳ ଅର୍ବାନ୍‌ ହାଟ ନିକଟରେ ଏକ ଆକ୍ବାରିୟମ୍‌ ପ୍ରତିଷ୍ଠା ପାଇଁ ୭ ବର୍ଷ ତଳୁ ଯୋଜନା ହୋଇଥିଲା। ନାମ ରଖାଯାଇଥିଲା ‘ମତ୍ସ୍ୟ ଉଦ୍ୟାନ’। ୨୦୧୩ ମସିହା ଜାନୁଆରିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ପ୍ରକଳ୍ପର ଶିଳାନ୍ୟାସ ବି କରାଗଲା। ଦୁଇ ବର୍ଷ ଭିତରେ କାମ ସରିବ ବୋଲି ସେହିଦିନ ପର୍ଯ୍ୟଟନ ବିଭାଗ ଜୋର‌୍‌ଦାର‌୍‌ ଘୋଷଣା କଲା। କିନ୍ତୁ ଏ ପର୍ଯ୍ୟନ୍ତ କାମ ସରିବ କ’ଣ, ଆରମ୍ଭ ବି ହୋଇପାରିଲାନି। ବହୁ ପ୍ରତୀକ୍ଷିତ ଶାମୁକା ପ୍ରକଳ୍ପରେ କେତେବେଳେ ନ୍ୟାସ୍‌ନାଲ୍‌ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ର ସବୁଜ ଶିକୁଳି ପଡ଼ୁଛି ତ କେତେବେଳେ ବିଭାଗୀୟ ଅବହେଳାର ଶିକାର ହେଉଛି। ଏହି ପ୍ରକଳ୍ପର କିଛି ଜାଗାରୁ ଆଇନ୍‌ଗତ ବିବାଦ ତୁଟିଥିଲେ ବି ପ୍ରକଳ୍ପ ଆଗେଇବା ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଇନି। ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ଓଟିଡିସି ଓ ଇଡ୍‌କୋର ଭାଗୀଦାରିତାରେ ସ୍ବତନ୍ତ୍ର ନିଗମ ‘ଶାମୁକା ପର୍ଯ୍ୟଟନ ଉନ୍ନୟନ ନିଗମ’ ବି ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହି ନିଗମ କାମ କରିବା ଦୂରର କଥା, ଏହାର ଅଫିସ୍‌ ବି ଏ ପର୍ଯ୍ୟନ୍ତ ଖୋଲାଯାଇ ନାହିଁ।

ଖୋଦ୍ ରାଜଧାନୀରେ ମଧ୍ୟ ପର୍ଯ୍ୟଟନ ବିଭାଗର ମନ୍ଥର ଗତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଧଉଳିର ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର। କିନ୍ତୁ ଫନୀ ପରେ ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡ଼ିବାକୁ ବିଭାଗ ଉଦ୍ୟମ କରି ନାହିଁ। ଖଣ୍ଡଗିରି ନିକଟରେ ଗାନ୍ଧୀ ଶାଶ୍ବତ ଶାନ୍ତି କେନ୍ଦ୍ରର କାମ ଅତ୍ୟନ୍ତ ମନ୍ଥର ଗତିରେ ଚା‌ଲିଛି। ଖଣ୍ଡଗିରି‌େର ଲାଇଟ୍ ଆଣ୍ଡ୍‌ ସାଉଣ୍ଡ୍‌ କାମ ଏ ଯାଏ ଆରମ୍ଭ ହୋଇପାରିଲା ନାହିଁ। ଲିଙ୍ଗରାଜ ମନ୍ଦିର ନିକଟରେ ଅତିଥି ଭବନ, ଶୌଚାଳୟ କମ୍ପ୍ଲେକ୍ସ, ବ୍ୟାଟେରି ଗାଡ଼ି ସବୁ ପ୍ରସ୍ତୁତ ଥିଲେ ବି ତାହା ବ୍ୟବହାର ହୋଇପାରୁନି। ବିଭାଗ ପକ୍ଷରୁ ଏ ନେଇ ଆନ୍ତରିକତା ପ୍ରକାଶ ପାଉ ନାହିଁ।

ଚିଲିକା କୂଳ‌ରେ ମୁସ୍ତାକ ନାଦିୱାଦୱାଲା ୫ ହଜାର କୋଟି ଟଙ୍କା ବ୍ୟୟରେ ଚିଲିକା ଫିଲ୍ମ ସିଟି ପାଇଁ ଘୋଷଣା କରିଥିଲେ। ଏହା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ଭୂମିକା ନେବ ବୋଲି କୁହାଗଲା। କିନ୍ତୁ ସରକାରୀ ସୂତ୍ରରୁ ଆବଶ୍ୟକ ସହଯୋଗ ନମିଳୁଥିବାରୁ ଏହି ପ୍ରକଳ୍ପ ଆଣ୍ଠେଇ ପଡ଼ିଥିବା ଜଣାପଡ଼ିଛି।

ପୁରୀ ଓ ଭୁବନେଶ୍ବର ପରି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟନ ବିଭାଗ ଠିକ୍ ଭାବେ ସଜାଡ଼ି ପାରୁନି। ରାଜ୍ୟର ଅନ୍ୟ ସ୍ଥାନରେ କିପରି ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରିବ, ସେ ନେଇ ପ୍ରଶ୍ନ ଉଠୁଛି। ବିଭାଗୀୟ ଅଧିକାରୀମାନେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଘନ ଘନ ବିଭିନ୍ନ ରାଜ୍ୟ ଓ ବିଦେଶ ଭ୍ରମଣ କରୁଛନ୍ତି। କିନ୍ତୁ ଏପଟେ ବିଭାଗର କୋଟି କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକ ଖତ ଖାଉଛି। ଏଗୁଡ଼ିକୁ କାର୍ଯ୍ୟକ୍ଷମ କରିବାରେ ସର୍ବନିମ୍ନ ଆନ୍ତରିକତା ବି ପ୍ରକାଶ ପାଉନି।

ସମ୍ବନ୍ଧିତ ଖବର