ନାବାର୍ଡର ପାଣ୍ଠି ସହାୟତା ଦୁଇ ଗୁଣ ବୃଦ୍ଧି

୨୦୧୭-୧୮ରେ ଦେଇଛି ୧୭,୧୯୫ କୋଟି

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ପାଣ୍ଠି ସହାୟତାରେ ଦୁଇ ଗୁଣ ବୃଦ୍ଧି ହୋଇଛି। ବିଗତ ଦୁଇ ବର୍ଷ ଭିତରେ ନାବାର୍ଡ ରାଜ୍ୟ ପାଇଁ ବିପୁଳ ପରିମାଣର ପାଣ୍ଠି ପ୍ରଦାନ କରିିଛି ବୋଲି ନାବାର୍ଡ ଓଡ଼ିଶା କାର୍ଯ୍ୟାଳୟର ସିଜିଏମ୍‌ ଡକ୍ଟର କେ ସି ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି ଯେ, ୨୦୧୫-୧୬ରେ ଓଡ଼ିଶାକୁ ୮୩୬୮ କୋଟି ଟଙ୍କାର ବିକାଶମୂଳକ ପାଣ୍ଠି ସହାୟତା ପ୍ରଦାନ କରାଯାଇଥିଲା। ୨୦୧୭-୧୮ ସୁଦ୍ଧା ସେହି ପାଣ୍ଠି ପରିମାଣ ଦୁଇ ଗୁଣ ବୃଦ୍ଧି ପାଇ ୧୭ ହଜାର ୧୯୫ କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହି ପାଣ୍ଠି ପରିମାଣ ୧୫୨% ବଢ଼ିଛି ବୋଲି ସେ କହିଛନ୍ତି। ବିକାଶମୂଳକ ପାଣ୍ଠି ପ୍ରଦାନ କରିବା କ୍ଷେତ୍ରରେ ନାବାର୍ଡ ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ସର୍ବଭାରତୀୟ ସ୍ତରରେ ଏକ ନମ୍ବର ସ୍ଥାନରେ ରହିଛି।

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌୍‌ଆଇଡିଏଫ୍‌)ରେ ନାବାର୍ଡ ୨୦୧୭-୧୮ରେ ୨୫୧୨ କୋଟି ଟଙ୍କା ପ୍ରଦାନ କରିଛି ଯାହା ଗତବର୍ଷର ୨୪୦୬ କୋଟି ଟଙ୍କା ତୁଳନାରେ ଅଧିକ। ଆର୍‌ଆଇଡିଏଫ୍‌ ପାଣ୍ଠି ପ୍ରଦାନ କରିବାରେ ମଧ୍ୟ ନାବାର୍ଡର ଓଡ଼ିଶା କାର୍ଯ୍ୟାଳୟ ସର୍ବଭାରତୀୟ ସ୍ତରରେ ଶୀର୍ଷ ସ୍ଥାନରେ ରହିଛି। ଦୀର୍ଘମିଆଦୀ ଜଳସେଚନ ପାଣ୍ଠି ବାବଦରେ ୧୦୪୪.୬୫ କୋଟି ଟଙ୍କା, ଧାନ ସଂଗ୍ରହ ପାଇଁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମକୁ ୪୫୮୫ କୋଟି ଟଙ୍କା ପ୍ରଦାନ କରିଛି। ପୂର୍ବବର୍ଷ ଏବାବଦରେ ନାବାର୍ଡ ୨୧୨୪ କୋଟି ଟଙ୍କା ପ୍ରଦାନ କରିଥିଲା। ଏଥର ପାଖାପାଖି ଦୁଇ ଗୁଣା ଅଧିକ ପାଣ୍ଠି ପ୍ରଦାନ କରିଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ମଧ୍ୟ ଏହା ୩୦୦ କୋଟି ଟଙ୍କାର ପାଣ୍ଠି ସହାୟତା ପ୍ରଦାନ କରିଛି। ତେବେ ଫସଲ ଋଣ ବାବଦରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆର୍‌ଆର୍‌ବି) ଓ ସମବାୟ ବ୍ୟାଙ୍କକୁ ନାବାର୍ଡର ପାଣ୍ଠି ସହାୟତା ୨୦୧୭-୧୮ରେ ୭୯୩୦.୬୭ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୧୬-୧୭ରେ ଏବାବଦରେ ନାବାର୍ଡ ୯୧୫୫ କୋଟି ଟଙ୍କା ପ୍ରଦାନ କରିଥିଲା। ରାଜ୍ୟରେ ୧୦୯ଟି ଜଳ ବିଭାଜିକା ପ୍ରକଳ୍ପ ପାଇଁ ୫୦.୩୪ କୋଟି ଟଙ୍କା, ୫୬ଟି ଆଦିବାସୀ ବିକାଶ ପ୍ରକଳ୍ପ ପାଇଁ ୧୦୮.୨୬ କୋଟି ଟଙ୍କା ଓ ସବୁଜ ପାଣିପାଗ ପାଣ୍ଠି ପାଇଁ ଏହା ୨୨୦ କୋଟି ଟଙ୍କା ପ୍ରଦାନ କରିଛି। ରାଜ୍ୟର ୨୨୧୩ଟି କୃଷକ କ୍ଲବ୍‌ର ଡିଜିଟାଇଜେସନ୍‌ କରାଯାଇଛି। ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ନାବାର୍ଡ ପକ୍ଷରୁ କଟକର ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୭ଟି ଗ୍ରାମରେ ୧୪ କୋଟି ଟଙ୍କା ବିନିଯୋଗରେ ଏକ ପ୍ରକଳ୍ପ ଚାଲୁ ରହିଛି। ନାବାର୍ଡ ପକ୍ଷରୁ ୨୦୧୮ ମାର୍ଚ ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାର ୬୨,୩୨୮ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ଡିଜିଟାଇଜେସନ୍‌ କରାଯାଇଛି।

ସମ୍ବନ୍ଧିତ ଖବର